ସରକାର ବି ଠକୁଛନ୍ତି ! ୨୫ ବର୍ଷ ହେଲା ସୁରୁନି ସେକ୍ଟର-୧୩ ବାସିନ୍ଦାଙ୍କ ସଂଘର୍ଷ; ଭଙ୍ଗାରୁଜା ଅନ୍ଧାର ରାସ୍ତା, ବିପର୍ଯ୍ୟସ୍ତ ଡ଼୍ରେନ୍‌ନେଜ୍‌, ସ୍ବେରେଜ

କଟକ: ସିଡିଏ (ମର୍କତ ନଗର) ସେକ୍ଟର ୧୩ରେ ଜମି ଖଣ୍ଡେ ପାଇବା ପାଇଁ ହିତାଧିକାରୀଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ୧୯୯୫\୯୬ରେ ଟଙ୍କା ଜମା କରିଥିଲା ବେଳେ ଦୀର୍ଘ ୫ ବର୍ଷ ପରେ ଅର୍ଥାତ ୨୦୦୧ରେ କିଛି ଲୋକଙ୍କୁ ଜମି ହସ୍ତାନ୍ତର କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଗଣ୍ଡଗୋଳ କାରଣରୁ ଜମି ପାଇବାକୁ ଦୀର୍ଘ ୧୮ ବର୍ଷ କାଳ ଅପେକ୍ଷା କରିବାକୁ ପଡିଥିଲା। ମୋଟ ୧୭୦୦ ଲୋକଙ୍କୁ ପ୍ଲଟ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୦ଟି ପରିବାର ଘର ତିଆରି କରି ରହିଛନ୍ତି।

ଅନ୍ୟ ପ୍ଲଟ ଗୁଡିକରେ ନିର୍ମାଣ କାମ ଆରମ୍ଭ ହୋଇଯାଇଥିଲେ ବି ପ୍ରଶାସନ ସର୍ବନିମ୍ନ ମୌଳିକ ଭିତ୍ତିଭୂମି ଯୋଗାଇ ଦେଉ ନଥିବାରୁ ଲୋକ ଗୁରୁତର ସ୍ଥିତିର ସାମନା କରୁଛନ୍ତି। ବିଦ୍ୟୁତ ଲାଇନ, ସ୍ବେରେଜ ଲାଇନ, ଡ୍ରେନେଜ ଓ ରାସ୍ତା କାମ ଅଧାପନ୍ତରିଆ ଭାବେ ପଡ଼ିରହିଛି। ୨୧ଟି ଟ୍ରାନ୍ସଫର୍ମରରୁ ଏଯାଏ ମାତ୍ର ୭ଟି ଟ୍ରାନ୍ସଫର୍ମର ବସିଥିବା ବେଳେ ସେଥିରୁ ମାତ୍ର ୩ଟି କାମ କରୁଛି। ଏପର୍ଯ୍ୟନ୍ତ ସବୁ ଲୋକଙ୍କ ଘର ରାସ୍ତାରେ ଖୁଣ୍ଟ ଓ ତାର ଟଣା ନ ହୋଇ ପାରିବା ହେତୁ ଲୋକେ ୧ କିମି ଦୂରରୁ ସର୍ଭିସ ଟାଣି ଲାଇନ ଆଣିବାକୁ ବାଧ୍ୟ ହେଉଛନ୍ତି।

୧୬ ବର୍ଷ ତଳେ ତିଆରି ହୋଇଥିବା ସ୍ବେରେଜ ଲାଇନ ଓ ଚାମ୍ବର ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଂଗି ରୁଜି ଗଲାଣି। ଏପରିକି ମାଟିରେ ସବୁ ପୋତି ହୋଇ ଗଲାଣି। ସ୍ନେରେଜ ଚାମ୍ବର ଉପରେ କଭର ନଥିବା ହେତୁ ଛୋଟ ବଡ ଦୁର୍ଘଟଣା ଘଟୁଛି। ୨୦୧୯ ଫନି ବାତ୍ୟା ପୂର୍ବରୁ ଏଠାରେ ୧୦୦ଟି ଷ୍ଟ୍ରିଟ୍ ଲାଇଟ ଲଗାଯାଇଥିବା ବେଳେ ସେଗୁଡିକ ବାତ୍ୟାରେ ନଷ୍ଟ ହୋଇ ଏବେ ମାତ୍ର ୫ଟି ଷ୍ଟ୍ରିଟ୍ ଲାଇଟ ଜଳୁଛି। ସାରା ଅଞ୍ଚଳ ରାତିରେ ଅନ୍ଧାର ରହୁଥିବାରୁ ଚୋରତସ୍କରଙ୍କ ଦୌରାତ୍ମ୍ୟ ବଢୁଛି।

ଏଠାରେ ଏକ ପୁଲିସ ଆଉଟ ପୋଷ୍ଟ ପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ତାହା ମଧ୍ୟ ଆଜିଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଅନ୍ୟପଟେ ପ୍ରଥମରୁ ଲୋକେ ୫୦ ପଇସା ହିସାବରେ ଜମିର ବର୍ଗଫୁଟ ଅନୁସାରେ ସିଡିଏକୁ ଗ୍ରାଉଣ୍ଡ ରେଣ୍ଟ୍ ଦେଉଥିଲେ। କିନ୍ତୁ ଗତ ତିନି ମାସ ହେଲା ବିନା ନୋଟିସରେ ଲୋକଙ୍କ ଠାରୁ ବର୍ଗଫୁଟକୁ ୧ଟଙ୍କା ୯୬ ପଇସା ହିସାବରେ ଗ୍ରାଉଣ୍ଡ ରେଣ୍ଟ୍ ଆଦାୟ କରାଯାଉଛି।

ଖରସୁଆଁ ନାଳକୁ ଅବରୋଧ କରି ରେଭେନ୍ସା ପାଚେରି ନିର୍ମାଣ କରିବା ପରେ ଏହି ଅଞ୍ଚଳର ଉଦବୃତ ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନାହିଁ। ତେଣୁ ବର୍ଷାରେ ସାରା ଅଞ୍ଚଳ ଉବୁଟୁବୁ ହେଉଛି। ସେକ୍ଟର ୧୩ ଆବାସିକ ସଂଘର ସଭାପତି ବିଜ୍ଞାନ ଶର୍ମା ଓ ସଂପାଦକ ସୋମରଂଜନ ପଟ୍ଟନାୟକ କହିବା ଅନୁଯାୟୀ ମୌଳିକ ଦାବି ପୂରଣ ପାଇଁ ଅତୀତରେ ବହୁବାର ସଂଘର୍ଷ କରିଥିଲୁ। ଆଗାମୀ ଦିନରେ ଯଦି ଏଠାରେ ଥିବା ସମସ୍ୟାର ସମାଧାନ ନ ହୁଏ ତେବେ ପୁନର୍ବାର ରାଜରାସ୍ତାକୁ ଯିବାକୁ ବାଧ୍ୟ ହେବୁ।

ସମ୍ବନ୍ଧିତ ଖବର