ନୂଆଦିଲ୍ଲୀ- ବ୍ୟାଙ୍କ ଖାତା ସହିତ ଆଧାର ଓ ପ୍ୟାନ୍ ଲିଙ୍କ୍ ବା ଫର୍ମ ୬୦ ସଂଯୋଗ କରିବାର ଶେଷ ତାରିଖକୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ପୂର୍ବରୁ ଏଥିଲାଗି ଶେଷ ତାରିଖ ଡିସେମ୍ବର ୩୧ ତାରିଖ ଥିଲା । ଏ ସଂପର୍କରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଟ୍ଵିଟ୍ କରି ସୂଚୀତ କରାଯାଇଛି ।
ଦେଶରୁ କଳାଧନକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ବ୍ୟାଙ୍କ ଖାତା, ମ୍ୟୁଚୁଆଲ ଫଣ୍ଡ ଓ ବୀମା ପଲିସୀ ସହ ଆଧାର ଲିଙ୍କ୍ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ତେବେ ବୁଧବାରଦିନ ଏହି ଆଇନରେ ଏକ ସଂଶୋଧନ ଅଣାଯିବା ସହ ଏନେଇ ଏକ ଗେଜେଟ୍ ନୋଟିସ୍ ପ୍ରକାଶ ପାଇଛି । ଅର୍ଥମନ୍ତ୍ରଣାଳୟ ଅଧିନସ୍ଥ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ଏହି ନୋଟିସରେ କୁହାଯାଇଛି ଯେ ଆଇନରେ ଲେଖାଥିବା ‘ଡିସେମ୍ବର ୩୧ , ୨୦୧୭ ସୁଦ୍ଧା’ ବଦଳରେ ‘ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସମୟସୀମା’ ଲେଖାହେବ ।
ଏହା ଫଳରେ ବ୍ୟାଙ୍କ ଖାତା ସହ ବାଧ୍ୟତାମୂଳକଭାବେ ଆଧାର ଓ ପ୍ୟାନ୍ ଲିଙ୍କ କରିବାର ଶେଷତାରିଖ ବଢିବାର ପଥ ପରିଷ୍କାର ହୋଇଯାଇଛି । ଆଧାର ଲିଙ୍କ ବେଆଇନ ବୋଲି ଦର୍ଶାଇ କେତେକ ପକ୍ଷ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ ।
ଗତ ଜୁନ ମାସରେ କେନ୍ଦ୍ର ସରକାର ବ୍ୟାଙ୍କଖାତା ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ କରିଥିଲେ । ଏଥିଲାଗି ଡିସେମ୍ବର ୩୧ ଶେଷ ତାରିଖ ରଖାଯାଇଥିଲା । ଏହା ସହିତ ନୂଆ କରି ଖାତା ଖୋଲୁଥିବା ଲୋକମାନଙ୍କୁ ଖାତା ଖୋଲାହେବାର ୬ ମାସ ମଧ୍ୟରେ ଆଧାର ନମ୍ବର ଦେବାପାଇଁ ଯେଉଁ ନିୟମ ଥିଲା ତାହା ବଳବତ୍ତର ରହିଛି ।
ଗତ ସପ୍ତାହରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଥିଲେ ଯେ ଆଧାର- ବ୍ୟାଙ୍କ ଖାତା ଲିଙ୍କ କରିବା ଲାଗି ଥିବା ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇବାକୁ ସରକାର ରାଜି ଅଛନ୍ତି । ଏହା ସହିତ ପ୍ୟାନ ନମ୍ବର ସହ ଆଧାର ଲିଙ୍କ କରିବାର ଶେଷତାରିଖକୁ ମଧ୍ୟ ବଢାଇବାକୁ ସରକାର ରାଜି ହୋଇଥିଲେ ।