ଗ୍ରୀନ ଜୋନରେ ଚାଲିପାରିବ ଯାତ୍ରୀବାହୀ ବସ, ଖୋଲିବ ମଦ ଓ ପାନ ଦୋକାନ; ଗ୍ରୀନ ଜୋନରେ ଓଡ଼ିଶାର ୨୧ ଜିଲ୍ଲା

ନୂଆଦିଲ୍ଲୀ: ୨ ସପ୍ତାହ ପାଇଁ କେନ୍ଦ୍ର ସରକାର ଲକଡାଉନ ଅବଧି ବଢ଼ାଇଛନ୍ତି । ମେ ୧୭ ଯାଏଁ ଲକଡାଉନ ଅବଧି ବଢିଥିବାବେଳେ । ଗ୍ରୀନ ଓ ଅରେଞ୍ଜ ଜୋନରେ କିଛି କଟକଣା କୋହଳ କରାଯାଇଛି । ତେବେ ଏହାକୁ ନେଇ କେନ୍ଦ୍ର ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି | ଲକଡାଉନ ଅବଧିରେ ବିମାନ ,ଟ୍ରେନ ସେବା ବନ୍ଦ ରହିବ ବୋଲି କୁହାଯାଇଥିବା ବେଳେ ଗ୍ରୀନ୍ ଜୋନରେ କଟକଣା କୋହଳ କରାଯାଇଛି | ଆଉ ଏକ ବଡ଼ କଥା ହେଲା ଗ୍ରୀନ ଜୋନରେ ଡାକ୍ତରଖାନାଗୁଡ଼ିକର ଓପିଡି ଖୋଲିବା ଲାଗି ଅନୁମତି ଦିଆଯାଇଛି।

ଏହି ଜୋନ ଅଧୀନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚାଲିପାରିବ ବୋଲି କୁହାଯାଇଛି | ଏଥିସହ ବିନା ପାସରେ ମାଲବାହୀ ଗାଡ଼ି ଚଳାଚଳ କରିପାରିବ। ସେହିପରି ଇ-କମର୍ସ ପାଇଁ ରିହାତି ମଧ୍ୟ ଘୋଷଣା କରାଯାଇଛି। ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଇ-ବାଣିଜ୍ୟକୁ ଅନୁମୋଦନ କରାଯାଇଛି | ଏହି ଜୋନ୍ ଗୁଡିକରେ ଅତ୍ୟାବଶ୍ୟକ ହୋଇ ନ ଥିବା  ଜିନିଷଗୁଡିକର ମଧ୍ୟ ବିତରଣ କରାଯାଇପାରିବ | ସେହିପରି ଗ୍ରୀନ ଜୋନରେ ଏଣିକି ମଦ ଦୋକାନ ସହ ପାନ ଦୋକାନ ମଧ୍ୟ ଖୋଲା ରହିବ | ତେବେ ଦୋକାନରେ ଗ୍ରାହକମାନେ  ପରସ୍ପର ଠାରୁ  ଅତିକମରେ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି | ସେହିପରି ଦୋକାନରେ ଏକା ସମୟରେ ୫ ଜଣ ଯେଭଳି ନ ରହିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡିବ |

ଓଡ଼ିଶାର ଏହି ସବୁ ଜିଲ୍ଲା ଗ୍ରୀନ ଜୋନରେ ରହିଛି
କଟକ-ପୁରୀ-ଅନୁଗୁଳ-ବଲାଙ୍ଗୀର-ବରଗଡ-ବୌଦ୍ଧ-ଦେବଗଡ଼-ଗଜପତି-ଗଞ୍ଜାମ-ଜଗତସିଂହପୁର-ଝାରସୁଗୁଡା-କନ୍ଧମାଳ-କେଉଁଝର-ମାଲକାନଗିରି-ମୟୁରଭଞ୍ଜ-ନବରଙ୍ଗପୁର-ନୟାଗଡ଼-ନୂଆପଡା-ରାୟଗଡା-ସମ୍ବଲପୁର-ସୋନପୁର

ତେବେ ଗ୍ରୀନ ଜୋନରେ ପୂର୍ବ ପରି ଶିକ୍ଷାନୁଷ୍ଠାନ, ସିନେମା ହଲ୍,ଜିମ୍, ସେଲୁନ୍, ‌ହଷ୍ଟେଲ ବନ୍ଦ ରହିବ। ଏଥିସହ ସମସ୍ତ ସାମଜିକ, ସାଂସ୍କୃତିକ ଓ ଧାର୍ମିକ ସମାରୋହ ଉପରେ କଟକଣା ଜାରି ରହିବ। ଅନ୍ୟପକ୍ଷରେ ଧର୍ମାନୁଷ୍ଠାନରେ ପ୍ରବେଶ ନିଷେଧ ବଳବତ୍ତର ରହିବ।

କାର୍ଯ୍ୟାଳୟ ଏବଂ କାରଖାନାଗୁଡ଼ିକୁ ସର୍ତ୍ତମୂଳକ କାର୍ଯ୍ୟ ଅନୁମତି ଦିଆଯାଇଛି | ଉଦାହରଣ ସ୍ୱରୂପ, କାର୍ଯ୍ୟାଳୟ ଏବଂ କାରଖାନାଗୁଡ଼ିକରେ ସାମାଜିକ ଦୂରତାକୁ ଯତ୍ନ ନେବାକୁ ପଡିବ | ଏହା ବ୍ୟତୀତ କାର୍ଯ୍ୟକ୍ଷେତ୍ରକୁ ସମୟ ସମୟରେ ପରିମଳ କରିବାକୁ ପଡିବ। ଏଠାରେ ସୂଚନା ଥାଉ କି ଯେଉଁ ଜିଲ୍ଲାଗୁଡ଼ିକରେ ଗତ ୨୧ ଦିନ ଧରି କରୋନା ଭାଇରସ ସଂକ୍ରମଣର ଗୋଟିଏ ବି ଘଟଣା ହୋଇନାହିଁ, ସେମାନଙ୍କୁ ସବୁଜ ଜୋନ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର