ବର୍ଷୀୟାନ୍‌ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ ଆଉ ନାହାନ୍ତି

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍‌ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ ଆଉ ନାହାନ୍ତି।ଆଜି ସକାଳ କଟକ ସ୍ଥିତ ଶିବାଜୀନଗର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସକାଳ ୮ଟା ୧୦ ମିନିଟ୍‌ ସମୟରେ ହୃତ୍‌ଘାତ ହେବାଫଳରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି।ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଆରତୀ ଗୋସ୍ୱାମୀ ,ଏବଂ ଦୁଇ ପୁତ୍ର ଓ ବୋହୂ ଉପସ୍ଥିତ ଥିଲେ। ଗୁରୁକୃଷ୍ଣ ଗୋସ୍ୱାମୀ ଏକାଧାରରେ ଜଣେ କାହାଣୀକାର,ସଂଳାପ ଲେଖକ,ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ।ସେ ପ୍ରାୟ ଛଅ ଦଶନ୍ଧିରୁ ଅଧିକ ସମୟ ହେବ ଓଡ଼ିଆ ସଙ୍ଗୀତ ଜଗତ ସହ ଜଡ଼ିତ ଥିଲେ।

୧୯୫୮ରେ ମୁକ୍ତିପ୍ରାପ୍ତ ଲୋକପ୍ରିୟ ଚଳଚ୍ଚିତ୍ର ‘ମା’ରେ ପ୍ରଥମେ ଗୀତ ଲେଖିବାର ସୁଯୋଗ ପାଇଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ।ଏହପରେ ସେ‘ଅରୁନ୍ଧତୀ’, ‘କିଏ କାହାର’,‘ଗପ ହେଲେବି ସତ’,‘ପ୍ରିୟତମା’,‘ଋଣଭୂମି’,‘ପଥର ଖସୁଛି ବଡ଼ ଦେଉଳୁ’ ସମେତ ୨୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ରଚନା କରିଥିଲେ। ତାଙ୍କ ରଚିତ ଲୋକପ୍ରିୟ ଗୀତମଧ୍ୟରେ ରହିଛି ‘ଫୁଲେଈ ରାଣୀ ସଜଫୁଲ ….’,‘ମୁଁ ଯେ ଜାଣେନା କାହାବାଟ ….’,‘ଅଭିମାନୀ ବନ୍ଧୁରେ….’,‘ମୁଁ ଜଣେ ମୋ ସପନ ଦିନେ ସତ.. ଆଦି।ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଥିଲେ।ଗୁରୁକୃଷ୍ଣ ଗୋସ୍ୱମୀ ମୁକ୍ତିଲାଭ କରିନଥିବା ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

 

ସମ୍ବନ୍ଧିତ ଖବର