ବଳଦେବଜିଉ ଓ ଦଧିବାମନଜିଉଙ୍କ ରଥଯାତ୍ର ଆୟୋଜନ ପ୍ରସଂଗ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

ଶ୍ରୀକ୍ଷେତ୍ର ପୁରୀ ଛଡା ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ କଟକଣା ବିଜ୍ଞପ୍ତି କାଏମ

କଟକ: ଶ୍ରୀକ୍ଷେତ୍ର ଭଳି ରାଜ୍ୟର ଅନ୍ୟ ମନ୍ଦିରରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ରରେ ଶ୍ରୀ ବଳାଦେବଜିଉ ଓ ବରଗଡର ଭଟଲିରେ ଦଧିବାମନଜିଉଙ୍କ ରଥଯାତ୍ରା ଆୟୋଜନ ପ୍ରସଂଗ ନେଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିବା ସହିତ ଏ ସଂପର୍କିତ ୫ଟି ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭଟଲି ରଥଯାତ୍ରା କମିଟି, ବଳଦେବଜିଉଙ୍କ ସେବକ ମଦନ ପତ୍ରୀ, ରଂଜନ କୁମାର ସୁଆର, ବାବାଜୀ ଚରଣ ପତ୍ରୀ, କ୍ଷିତୀଶ କୁମାର ସିଂଙ୍କ ପକ୍ଷରୁ ଦାୟର ପୃଥକ ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ଦେଇଛନ୍ତି।
ଅନ୍ୟପକ୍ଷରେ ହାଇକୋର୍ଟଙ୍କ ସବିଶେଷ ରାୟର କପି ହସ୍ତଗତ ହେବା ପରେ କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ରଥଯାତ୍ରା ଆୟୋଜନ ପ୍ରସଂଗ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯିବ ବୋଲି ଆବେଦନକାରୀ ରଂଜନ କୁମାର ପତ୍ରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ସୂଚନା ଦେଇଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ରଥଯାତ୍ରା ସଂପର୍କିତ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଶ୍ରୀକ୍ଷେତ୍ର ଭଳି ତୁଳସୀକ୍ଷେତ୍ରରେ ମଧ୍ୟ ବଡଦାଣ୍ଡ ରହିଛି। ଏଥି ସହିତ ବଳଦେବଜିଉଙ୍କ ଗୋଟିଏ ରଥ ହୋଇଥାଏ। ଶ୍ରୀ‌କ୍ଷେତ୍ର ଭଳି କୋଭିଡ କଟକଣା ଭିତରେ ବିନା ଭକ୍ତରେ ସେବକଙ୍କ ଦ୍ବାରା ରଥଯାତ୍ରାର ସମସ୍ତ ନୀତି ସଂପୂର୍ଣ୍ଣ ଭାବେ ସଂପାଦନ କରାଯାଇ ପାରିବ। ଏଥି ପାଇଁ ସେବକମାନେ ଅନୁରୋଧ କରିଥିବା ବେଳେ ରାଜ୍ୟ ସରକାର ଅନୁମତି ଦେବା ଉଚିତ। ଭଟଲି ଦଧିବାମନଜିଉଙ୍କ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ପୁରୀ ଭଳି ଏଠାରେ ମଧ୍ୟ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ। ବରଗଡ ଜିଲ୍ଲାରେ କରୋନା ସଂଗ୍ରମଣ ସ୍ଥିତିରେ ବହୁତ ସୁଧାର ଆସିଥିବା ସ୍ପଷ୍ଟ ହୋଇଥିବା ବେଳେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯିବା ଉଚିତ।  ଏଥି ସହିତ ପୁରୀକୁ ଛାଡି ରାଜ୍ୟର ଅନ୍ୟସ୍ଥାନରେ ରଥଯାତ୍ରା ଉପରେ କଟକଣା ଜାରି ସଂପର୍କିତ ସ୍ବତନ୍ତ୍ର ରିଲିଫ କମିସନରଙ୍କ ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ହାଇକୋର୍ଟ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଏ ସଂପର୍କିତ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପ୍ରାର୍ଥନାକୁ ଅଗ୍ରାହ୍ୟ କରିଥିଲେ।
ମମାଲାର ବିବରଣୀରୁ ପ୍ରକାଶ ଯେ ଗତ ୧୦ ତାରିଖ ଦିନ ସ୍ବତନ୍ତ୍ର ରିଲିଫ କମିସନର ଘୋଷଣା କରିଥିଲେ ଯେ ଗତ ବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯିବ। ରଥଯାତ୍ରାରେ ସେବକଙ୍କ ବ୍ୟତୀତ ଅନ୍ୟ କେହି ସାମିଲ ହେବେ ନାହିଁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ନାହିଁ ବୋଲି ଘୋଷଣା କରାଯାଇଥିଲା। ଏହାପରେ ଏହି କେନ୍ଦ୍ରାପଡ଼ା, ବରଗଡ ଭଟଲି, କେନ୍ଦୁଝର ଓ ନୟାଗଡ଼ ରଣପୁରରେ ରଥଯାତ୍ରା ଆୟୋଜନ ପାଇଁ ଏକାଧିକ ମାମଲା ରୁଜୁ ହୋଇଥିଲା। ଆଜି ଭଟଲି ସଂପର୍କିତ ଗୋଟିଏ ଓ କେନ୍ଦ୍ରାପଡା ରଥଯାତ୍ରା ସଂକ୍ରାନ୍ତୀୟ ୪ଟି ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା।
କେନ୍ଦ୍ରାପଡା ସଂପର୍କିତ ଆ‌ବେଦନରେ ଦର୍ଶାଯାଇଥିଲା ଯେ  ମନ୍ଦିରରେ ବଳଦେବଜିଉଙ୍କ ସହିତ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ର ଓ ସୁଦର୍ଶନ ପୂଜା ପାଉଛନ୍ତି। ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ବିଶ୍ବପ୍ରସିଦ୍ଧ ବ୍ରହ୍ମତାଳଧ୍ବଜ ରଥ ପାଇଁ। ରଥଯାତ୍ରା ପାଇଁ ତୁଳସୀକ୍ଷେତ୍ର ଏକ ପ୍ରକାର ପ୍ରସ୍ତୁତ ହୋଇ ସାରିଥିବା ବେଳେ ଗତ ୧୦ ତାରିଖ ଦିନ ସ୍ବତନ୍ତ୍ର ରିଲିଫ କମିସନର ଘୋଷଣା କରିଥିଲେ ଯେ ଗତ ବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯିବ।
କୋଭିଡ କଟକଣା ଭିତରେ ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରଦାନ ପାଇଁ ସେବକମାନେ ଜୁନ୍ ୧୧ରେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କିଛି ପଦକ୍ଷେପ ନିଆ ନ ଯିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସମ୍ବିଧାନ ଧର୍ମିକ ଭାବନା ଓ ଧର୍ମ ପାଳନକୁ ସ୍ବୀକୃତି ଦେଇଥିବା ବେଳେ ସରକାର ଏପରି ପାତର ଅନ୍ତର ନୀତି କରିବା ଉଚିତ ନୁହେଁ। ପରମ୍ପରା ଅନୁସାରେ  ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ। ବିନା ଭକ୍ତରେ ରଥଯାତ୍ରା ତୁଳସୀକ୍ଷେତ୍ରରେ ମଧ୍ୟ  ଅନୁଷ୍ଠିତ ହୋଇ ପାରିବ। କୋଭିଡ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ସେବକମାନେ କରିବାକୁ ପ୍ରସ୍ତୁତ। ଏଥି ସହିତ ସୀମିତ ସଂଖ୍ୟକ ସେବକ ଓ ପୁଲିସ କର୍ମଚାରୀ ରଥ ଟଣା ନୀତି ସଂପାଦନ କରିବାରେ କିଛି ବାଧା ନାହିଁ। ତେଣୁ କଟକଣା ଭିତରେ ରଥ ଯାତ୍ରା ହୋଇପାରିବ।  ତେଣୁ ତୁଳସୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ, ଅମିତ ପ୍ରସାଦ ବୋଷ, ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ବାଳ, ରାଜେଶ ମହାନ୍ତି ମାମଲା ପରିଚାଳନା କରୁଥିଲେ।
ସମ୍ବନ୍ଧିତ ଖବର