ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା, ବାହାର ଜିଲ୍ଲାବାସୀ କରି ପାରିବେ ଶବଦାହ

କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ଲାଗୁ ରହିବ

ପୁରୀ: ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା । ଆଜିଠୁ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ହଟାଯାଇଛି । ଏବେ ପୁରୀ ଜିଲ୍ଲା ବାହାରର ଯେ କେହି ନିଜ ଆତ୍ମୀୟଙ୍କ ଶବଦାହ କରିପାରିବେ । ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ରହିବ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାରେ ସଂକ୍ରମଣ କମିଥିବାରୁ କଟକଣା ହଟାଯାଇଛି । ହେଲେ ଶବଦାହ ବେଳେ କୋଭିଡ ଗାଇଡଲାଇନ ପାଳନ କରାଯିବ । ୨୦ ଜଣରୁ ଅଧିକ ଉପସ୍ଥିତ ନ ରହିବା ସହ ସମସ୍ତେ ମାସ୍କ ପିନ୍ଧିବା ଭଳି ନିୟମ ପାଳନ କରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

Odisha Bytes

ପୂର୍ବରୁ ପୁରୀରେ କରୋନା ସଂକ୍ରମଣ ବଢୁଥିବା ହେତୁ ସ୍ୱର୍ଗଦ୍ୱାରରେ ଶବଦାହକୁ ବନ୍ଦ କରାଯାଇଥିଲା । ହେଲେ ଏହି କଟକଣାକୁ ଆଜି ହଟାଇ ଦିଆଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ଜିଲ୍ଲାପାଳ । ବର୍ତ୍ତମାନ ପୁରୀରେ ସଂକ୍ରମଣ ହାର ଅନ୍ୟ ଜିଲ୍ଲା ତୁଳନାରେ କମ ଥିବାରୁ କଟକଣା ହଟାଯାଇଛି ।

ସୂଚନା ମୁତାବକ, କରୋନା ସଂକ୍ରମଣକୁ ରୋକିବାକୁ ସ୍ବର୍ଗଦ୍ବାରରେ ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ପୂର୍ବରୁ ଏହି କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। କିନ୍ତୁ ପରେ ଏହି କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏ ମଧ୍ୟରେ ସଂକ୍ରମଣ କମ ହେଉଥିବା ଦେଖି ସମୟସୀମା ପୂର୍ବରୁ କଟକଣାକୁ ହଟାଇ ଦେଇଛନ୍ତି ଜିଲ୍ଲାପାଳ |

ସମ୍ବନ୍ଧିତ ଖବର