ଆଜି ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି
ଭୁବନେଶ୍ୱର : ରାଜ୍ୟରେ ଏବେ ତାପମାତ୍ରା ଅପରିବର୍ତିତ ରହିଥିବା ବେଳେ ଅଧିକାଂଶ ଜିଲ୍ଲାରେ ବିଳମ୍ବିତ ରାତି ଓ ଭୋର୍ ସମୟରେ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ଶନିବାର ସକାଳୁ ସୋନପୁର ଓ ବୌଦ୍ଧ ଜିଲ୍ଲା କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। ଘନ କୁହୁଡ଼ି ପଡ଼ିଥିବାରୁ ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଥିଲା। ଏଥିସହ କଟକ, ପାରାଦୀପ, କୋରାପୁଟ, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି କୁହୁଡ଼ି ପଡ଼ିବ। ଆଜି ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକ ଯଥା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୋନପୁରଠାରେ ୮ ଡିଗ୍ରି ରେକର୍ଡ ହୋଇଛି। ୧୦ ଡିଗ୍ରି ତଳକୁ ଦାରିଙ୍ଗବାଡ଼ି ଓ ଫୁଲବାଣୀର ତାପମାତ୍ରା ଖସିଥିଲା। ଦାରିଙ୍ଗବାଡ଼ିରେ ୯ ଡିଗ୍ରି ଓ ଫୁଲବାଣୀରେ ୯.୫ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ଭବାନୀପାଟଣାର ସର୍ବନିମ୍ନ ତାପମାତ୍ରା ୧୦.୫ ଓ ଅନୁଗୁଳରେ ୧୦.୬ ଡିଗ୍ରି ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୧୨ରୁ ୧୪ ଡିଗ୍ରି ଭିତରେ ରହିଥିବା ବେଳେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୧୬ରୁ ୧୮ ଡିଗ୍ରି ଭିତରେ ରହିଛି। ଭୁବନେଶ୍ବରରେ ୧୬.୯ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ବୋଲି କେନ୍ଦ୍ର କହିଛି।