ଭୁବନେଶ୍ବର: ଆଉ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ। ୧୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ୨ ଦିନ ଅତିପ୍ରବଳ ବର୍ଷା ରହିଥିବାରୁ ଏ ବର୍ଷ ବାହୁଡ଼ା ଭିଜିବାକୁ ଯାଉଛି। ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତନରୁ ୩.୧ କିମି ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସକ୍ରିୟ ରହିଛି। ଏହି କାରଣରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ରବିବାର ଓ ସୋମବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭାରୀ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆଜି ସନ୍ଧ୍ୟାାରେ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି। ଏହାସହ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି।

Advertisment

ରବିବାର ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲାକନଗିରି ଆଦି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୋମବାର ମଧ୍ୟ ଏହି ସବୁ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏଣୁ ୧୭ ତାରିଖ ଯାଏଁ ସତର୍କ ସୂଚନା ରହିଥିବାରୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା‌ ବୈଜ୍ଞାନିକ ଡ. ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି। ଜୁନ୍‌ରୁ ଜୁଲାଇ ୧୩ ସୁଦ୍ଧା ୨୫୦ ମିମି ସ୍ବାଭାବିକ ବର୍ଷା ହେବା କଥା। କିନ୍ତୁ ଏହି ଅବଧିରେ ସ୍ବାଭାବିକଠାରୁ ୨୭% କମ୍‌ ବର୍ଷା ହୋଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ, ୭ ଦିନ ଭିତରେ ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ରବିବାର ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ। ୧୫ରେ ଲଘୁଚାପ ରୂପ ନେବ। ୧୬ରେ ଓଡ଼ିଶା ରାୟପୁର ପର୍ଯ୍ୟନ୍ତ ବିସ୍ତୃତି ଓ ୧୭ରେ ମଧ୍ୟପ୍ରଦେଶ ମୁହାଁ ହେବ। ୧୮ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୨ଦିନ ପର୍ଯ୍ୟନ୍ତ ଓଡ଼ିଶା ସଂଲଗ୍ନ ସମୁଦ୍ରରେ ରହିବ। ଏହା ପରେ ୨୧ ଓ ୨୨ ଆଡ଼କୁ ଝାଡ଼ଖଣ୍ଡ ମୁହାଁ ହେବ। ଏହି ଦୁଇଟି ଲଘୁଚାପ ଫଳରେ ଦକ୍ଷିଣ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି।