ସଂସଦରେ ଉଠିଲା କଂସାରିଗୁଡ଼ାରେ ଶିଳ୍ପ ପ୍ରତିଷ୍ଠା ପ୍ରସଙ୍ଗ: ସପ୍ତଗିରି କହିଲେ, କାରଖାନା ନାହିଁ ତ ବକ୍ସାଇଟ୍ ନାହିଁ

ରାୟଗଡ଼ା : ଜମି ଅଧିଗ୍ରହଣକୁ ୧୬ ବର୍ଷ ବିତିଲାଣି। କମ୍ପାନି ଆରମ୍ଭ ହେବାର ନାଁ ଗନ୍ଧ ନାହିଁ। ଯଦି କମ୍ପାନି ପ୍ରତିଷ୍ଠାର ଯୋଜନା ନାହିଁ, ବିସ୍ଥାପିତଙ୍କୁ ଜମି ଫେରାଓ। କାରଖାନା ନାହିଁ ତ ବକ୍ସାଇଟ୍ ମଧ୍ୟ ନାହିଁ।

ସଂସଦ ଅଧିବେଶନରେ କଂସାରିଗୁଡ଼ାରେ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ପ୍ରଶ୍ନ ଉଠାଇ ଏପରି ମତ ରଖିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଶଙ୍କର ଉଲାକା। ସାଂସଦ ପଚାରିଥିବା ପ୍ରଶ୍ନର ସଠିକ୍ ଉତ୍ତର କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଇନଥିବା ସାଂସଦ ଅଭିଯୋଗ କରିଛନ୍ତି। ଜମି ଅଧିଗ୍ରହଣ କରି ସରକାର କମ୍ପାନି ହାତକୁ ଟେକି ଦେଇ ଚୁପ୍ ବସିଥିବା ବେଳେ ନିଯୁକ୍ତି ଆଶାରେ ବିସ୍ଥାପିତ କମ୍ପାନିକୁ ‌ଜମି ହସ୍ତାନ୍ତର କରି ହନ୍ତସନ୍ତ ହେଉଛନ୍ତି। ୨୦୦୫ ମସିହାରେ କମ୍ପାନି ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା। ୨୦୧୫ ପର୍ଯ୍ୟନ୍ତ କମ୍ପାନି ନିର୍ମାଣ ଆରମ୍ଭ ନ ହେବାରୁ ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ଏହା ପରେ ବି ଆଜି କମ୍ପାନି ନିର୍ମାଣ କାମ ଆରମ୍ଭ ହୋଇପାରୁନି।

କଂସାରୀଗୁଡ଼ାରେ ବାର୍ଷିକ ୧.୫ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କମ୍ପାନି ପ୍ରତିଷ୍ଠା ପାଇଁ ଇଡକୋ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୧୮୮୬.୨୨ ଏକର ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ କରିଛି। ଯେଉଁଥିରେ ରାୟଗଡ଼ା ଜିଲ୍ଲାର  ୪୭.୫୬ ଏକର ସରକାରୀ, ୯୨୦.୨୧ ଏକର ବେସରକାରୀ, କୋରାପୁଟ ଜିଲ୍ଲାରୁ ୪୭୮.୩୦ ଏକର ସରକାରୀ, ୪୩୯.୪୫ ଏକର ବେସରକାରୀ ଜମି ରହିଛି। ସେଥି ମଧ୍ୟରୁ ୧୩୮୫.୩୯ ଏକର ଜମି କମ୍ପାନି ପ୍ରତିଷ୍ଠା ଲାଗି ହିଣ୍ଡାଲକୋକୁ ପ୍ରଦାନ କରାଯାଇଛି। ରାଜ୍ୟରେ କମ୍ପାନି ପ୍ରତିଷ୍ଠା ପାଇଁ ସବୁଠି ବିରୋଧର ସ୍ବର ଉଠୁଥିବା ବେଳେ କଂସାରୀଗୁଡା ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କ ସଂପୂର୍ଣ୍ଣ ସମର୍ଥନ ରହିଛି। ଏହା ସତ୍ତ୍ବେ କମ୍ପାନି ଦିନ ଗଡ଼ାଇ ଚାଲିଛି। ୨୦୨୦ ଜାନୁଆରୀ ୯ ତାରିଖରେ ବସିଥିବା ହାଇଲେବଲ୍ କ୍ଲିଅରାନସ୍ ଅଥରିଟ୍ ବୈଠକରେ ବାର୍ଷିକ ୨ ମିଲିୟନ୍ ଟନ୍ ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂସାରିଗୁଡା ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରିବା ସହ କମ୍ପାନି ଦ୍ବାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଘୋଷଣାକୁ ଦେଢ଼ ବର୍ଷ ବିତିଥିଲେ ମଧ୍ୟ କମ୍ପାନି ପ୍ରତିଷ୍ଠା ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନି। ରିଫାଇନେରୀ ୟୁନିଟ୍ ବଦଳରେ ହିଣ୍ଡାଲକୋ ଟେକ୍ସଟାଇଲ୍ ୟୁନିଟ୍ ପ୍ରତିଷ୍ଠା କରିବାକୁ ଚାହୁଁଥିବା ବିସ୍ଥାପିତ ଜାଣିବା ପରେ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଂସଦର ପ୍ରତି ଅଧିବେଶନରେ କୋରାପୁଟ ସାଂସଦ ମଧ୍ୟ କଂସାରିଗୁଡ଼ା ପ୍ରକଳ୍ପ ସଂପର୍କରେ ମତ ଉପସ୍ଥାପନ କରୁଛନ୍ତି। ହେଲେ କୌଣସି ସୁଫଳ ମିଳିପାରୁନି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ହିଣ୍ଡାଲକୋ ଜମି ଅଧିଗ୍ରହଣ କରିବା ପରେ ନିଜ ପ୍ରତିଶ୍ରୁତି ଭୁଲି ଯାଇଥିବା ସାଂସଦ ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର