ସରିଲା ଐତିହାସିକ ମହୁରୀ ଉଡ଼ାପର୍ବ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ବେତନଟୀ ସଦର: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମର ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ବାସୁଳୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ଛତୁଆ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଏହି ଉଡ଼ା ପର୍ବ ଲାଗି ଏପ୍ରିଲ ମାସ ଆରମ୍ଭରୁ ପ୍ରସ୍ତୁତି ଆରମ୍ଭ ହୋଇ ୧୪ତାରିଖରେ ନିଆଁପାଟ ଓ କଣ୍ଟାପାଟ, ପରେ ଆଜି ୧୫ତାରିଖ ଅପରାହ୍ନରେ ଆରମ୍ଭ ହୋଇଥିଲା ଉଡ଼ାପର୍ବ। ଏହି ଐତିହାସିକ ଉଡ଼ାପର୍ବରେ ମୟୂରଭଞ୍ଜ ସମେତ ପଡୋଶୀ ଜିଲ୍ଲାରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ମା’ ବାସୁଳୀଙ୍କ ପୀଠପ୍ରାଙ୍ଗଣକୁ ବୁଲି ଆସିଥି‌ଲେ । ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଲକ୍ଷ କରି ଗ୍ରାମ କମିଟି ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।
ବହୁ ପୁରାତନ ମହୁରୀ ଉଡାଯାତ୍ରା ଏକ ନିଆରା ପରମ୍ପରା। ସ୍ଥାନୀୟ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ତାଙ୍କ ବାପା ଜେଜେ ବାପାଙ୍କ ଅମଳରୁ ଗ୍ରାମ ଦେବତୀ ମା ବାସୁଳୀ ଆବିର୍ଭୁତ ହୋଇ ପୂଜା ପାଇ ଆସୁଥିଲେ। ଗ୍ରାମ ତଥା ଅଞ୍ଚଳର ଲୋକମାନଙ୍କ ସୁଖ ଶାନ୍ତି ପାଇଁ ମା ବାସୁଳୀଙ୍କ ଉଦ୍ଦେଶ୍ୟରେ ତତ୍‌କାଳୀନ ଗ୍ରାମବାସୀଙ୍କ ଦ୍ଵାରା ଏହି ଉଡାଯାତ୍ରା ଆରମ୍ଭ ହୋଇଥିଲା। ମା ବାସୁଳୀଙ୍କର ସାତ ଭଉଣୀଙ୍କୁ ପରିବର୍ତ୍ତୀ ସମୟରେ ଗ୍ରାମର ଅନ୍ୟସ୍ଥାନରେ ଆସ୍ଥାନ କରି ପୂଜା କରାଯାଉଥିଲା। ସେବେଠାରୁ ମା ଥାନଶୀର,ଜାମଶୀର, କାଳିକା, ବଡ଼ାମ, ମନ୍ଦାରମଣି, କନକ ଦୁର୍ଗା, ବାହୁତୀ ପୂଜା ପାଇ ଆସୁଛନ୍ତି। ବହୁ ବର୍ଷ ପରେ ମହାଦେବ ମନ୍ଦିର ନିର୍ମାଣ କରାଯାଇ ଥାନପତି ଭାବେ ମୁକ୍ତେଶ୍ଵର ମହାଦେବଙ୍କୁ ସ୍ଥାପନା କରାଯାଇଥିଲା।

ଏହି ଉଡା ଯାତ୍ରା ପହିଲା ବୈଶାଖୀର ୧୩ ଦିନ ପୂର୍ବରୁ ଭକ୍ତାମାନେ ଶୁଦ୍ଧପୁତ ଭାବେ ହବିଷାନ୍ନ କରି ଏକାଙ୍ଗୀ ଭାବେ ଭକ୍ତା ମଣ୍ଡପରେ ରହିଥାଆନ୍ତି। ପ୍ରଥମ ଦିନରୁ ମହାଦେବ ଶିବ ଏବଂ ପାର୍ବତୀଙ୍କର ଅନ୍ୟ ରୂପ ବାସୁଳୀଙ୍କୁ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ପଇତା ଧାରଣ କରିଥାଆନ୍ତି। ପହିଲା ବୈଶାଖୀର ପୂର୍ବ ରାତ୍ରୀରେ ନିଶା ଘଟ ଗ୍ରାମ ପୁଷ୍କରିଣୀରୁ ନିଶା ଘଟ ଉତ୍ତୋଳନ କରି ଦଣ୍ଡ ନୃତ୍ୟ ଏବଂ ଢୋଲ ବାଦ୍ୟ ବଜାଇ ମଣ୍ଡପ ପ୍ରାଙ୍ଗଣରେ ରଖି ସାରା ରାତି ପୂଜାର୍ଚ୍ଚନାରେ ଭକ୍ତାମାନେ ନିଜକୁ ନିୟୋଜିତ କରିଥାଆନ୍ତି। ପଣା ସଂକ୍ରାନ୍ତି ପ୍ରାତଃରୁ ପୋଖରୀରୁ ସ୍ନାନ ସାରି ଗ୍ରାମ ପରିକ୍ରମା କରିଥାଆନ୍ତି। ଅପରାହ୍ନରେ ପ୍ରଥମେ ଏହି ଭକ୍ତାମାନେ କଣ୍ଟାପାଟ, ଝୁଲାପାଟ ଓ ନିଆଁପାଟ ପରେ ପୁଣି ପୁଷ୍କରିଣୀରେ ସ୍ନାନ ସାରି ମଣ୍ଡପରେ ପହଞ୍ଚିବା ପରେ ରାତ୍ରୀରେ ନିଶାଘଟକୁ ଗ୍ରାମ ପରିକ୍ରମା କରିଥାଆନ୍ତି। ଗତକାଲି କଣ୍ଟାପାଟ, ନିଆଁପାଟ, ଝୁଲାପାଟକୁ ଦେଖିବା ପାଇଁ ହଜାରେ ରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ଭିଡ଼ ଜମିଥିଲା।

ଗ୍ରାମର ଦେହୁରୀ ବିନ ଦଳେଇ ତାଙ୍କର ପୂର୍ବ ପିଢି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ମା ବାସୁଳୀଙ୍କର ପୂଜାର୍ଚ୍ଚନା କରିଆସୁଛନ୍ତି। ଏହି ଉଡାପର୍ବରେ ନିଜକୁ ସାମିଲ କରିବା ପାଇଁ ବହୁ ମାନସିକଧାରୀ ଗ୍ରାମର ଭକ୍ତାମାନଙ୍କ ସହିତ ମିଶି ହବିଷାନ୍ନ କରିବା ପୂର୍ବକ ନିଜକୁ ଶୁଦ୍ଧପୁତ ଭାବେ ଏହାକୁ ପାଳନ କରିଥାଆନ୍ତି। ଗତକାଲି ପଣାସଂକ୍ରାନ୍ତି ପରେ ସୋମବାର ଉଡା ପଡ଼ିଆରେ ଉଡ଼ାଖୁଣ୍ଟ ସ୍ଥାପନ କରାଯାଇ ଦାଶୀ ଏବଂ ଭକ୍ତାମାନେ ଉଡି ଉଡି ମାଙ୍କର ପୁଷ୍ପ ଏବଂ ମିଷ୍ଟାନ୍ନ ବର୍ଷା କରିଥିଲେ। ସୋମବାର ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ବେତନଟୀ ଏସଡ଼ିପିଓ ସୁଦର୍ଶନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ଏକ ପ୍ଲାଟୁନ ଫୋର୍ସ ସମେତ ମେଳା ସ୍ଥଳରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର