ସବୁ ନିୟମ ମାନି ବି କରୋନାର କବଳିତ ହୋଇଛନ୍ତି ଏହି ୩ ଆକ୍ରାନ୍ତ ; ଉଦାହରଣ ଦେଇ ସଚେତନ କଲେ ଶାଳିନୀ ପଣ୍ଡିତ୍

ଭୁବନେଶ୍ୱର: ଟିକିଏ ଅସାବଧାନ ହେଲେ କରୋନା ସଂକ୍ରମଣ ହୋଇପାରେ । ତେଣୁ ସଂକ୍ରମଣ ଧାରା ଅଟକିବା ଯାଏଁ ଖୁବ ସାବଧାନ ହେବାକୁ ପଡ଼ିବ । ଆଜି ରାଜ୍ୟ ସରକାରଙ୍କ କୋଭିଡ୍ ସମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା କହିଛନ୍ତି ଯେ,ସାବଧାନତା ପ୍ରଥମ ପଦକ୍ଷେପ । କେମିତି ବିଦେଶ ଗସ୍ତ ନ କରି କିମ୍ବା ବାହାରକୁ ନ ଯାଇ ମଧ୍ୟ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି, ତାହାର କିଛି ଉଦାହରଣ ସେ ପ୍ରସ୍ତୁତ କରିଛନ୍ତି ।

ସେଥିରୁ ଗୋଟିଏ ଏଭଳି । ଜଣେ ୨୦ବର୍ଷର ପିଲା ଘରେ ଥିଲା। ଲକଡାଉନ ନିୟମ ମାନିଲା ଓ ସାମାଜିକ ଦୂରତା ବି ଅବଲମ୍ବନ କଲା । ହଠାତ୍ ତାର ମନ ହେଲା କ୍ରିକେଟ ଖେଳିବ। ସେ ଘର ବାହାରକୁ କ୍ରିକେଟ ଖେଳିବାକୁ ଚାଲିଗଲା । ସେଠାରେ ବିଦେଶରୁ ଆସିଥିବା ଜଣେ ସାଙ୍ଗର ସଂସ୍ପର୍ଶରେ ଆସିଲା । ନିଜ ଅଜାଣତରେ କ୍ରିକେଟ ପଡ଼ିଆରୁ କରୋନା ଭୂତାଣୁକୁ ଧରି ଘରକୁ ଆସିଲା ।

ଠିକ ସେମିତି ଜଣେ ୭୦ବର୍ଷ ବୟସ୍କ ବୃଦ୍ଧ ଓ ୩ ବର୍ଷର ୪ ବର୍ଷର ଶିଶୁ ବି କରୋନାର କବଳିତ ହୋଇଛନ୍ତି । ଏହି ବୃଦ୍ଧ ଓ ଶିଶୁ ଘର ବାହାରକୁ ପାଦ କାଢ଼ି ନାହାନ୍ତି । କିନ୍ତୁ ସେମାନେ କରୋନା ସଂକ୍ରମଣର ଶିକାର ହେଲେ । ଅସଲ କଥା ହେଲା ତାଙ୍କ ପରିବାରର କେହି ଜଣେ ହୁଏତ ଅତ୍ୟାବଶ୍ୟକ କାର୍ଯ୍ୟରେ ବାହାରକୁ ଯାଇ ଅସାବଧାନ ହୋଇ କରୋନା ଘରକୁ ଧରି ଆସିଛନ୍ତି । ଘରକୁ ଫେରି ହୁଏତ ସେମାନେ ଭଲ ଭାବେ ହାତ ଧୋଇ ନାହାନ୍ତି, ଯାହାଫଳରେ ବୃଦ୍ଧ ଓ ଶିଶୁ ସଂକ୍ରମିତ ହେଲେ ।

ଏହି ଦୁଇ ଉଦାହରଣ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା କହିଛନ୍ତି, କରୋନା ବିରୋଧରେ ଚାଲିଥିବା ଏହି ଲଢ଼େଇରେ ଆମକୁ ଜିତିବାକୁ ହେବ । ରାଜ୍ୟରେ ଚିହ୍ନଟ ହୋଇଥିବା ବହୁ ଆକ୍ରାନ୍ତଙ୍କଠାରେ ରୋଗର ଲକ୍ଷଣ ଦେଖାଯୋଇ ନାହିଁ । ତେଣୁ ଆଗକୁ ସରକାର ଅଧିକ ସଂଖ୍ୟରେ ନମୁନା ପରୀକ୍ଷଣ କରିବେ । ଏହା ଦ୍ୱାରା ସୁଫଳ ମିଳିବ । ଗୋଟିଏ କଣ୍ଟେନମେଣ୍ଟ ଜୋନରୁ ୩୦୦ନମୁନା ପରୀକ୍ଷା ପରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କି, କେହି ଯଦି ଆପଣଙ୍କୁ ନମୁନା ପରୀକ୍ଷା ଲାଗି କହୁଛନ୍ତି, ତେବେ ସଙ୍ଗେ ସଙ୍ଗେ କରାଇ ନିଅନ୍ତୁ ।

ସମ୍ବନ୍ଧିତ ଖବର