ଭୁବନେଶ୍ବର: ଚଳିତ ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ମୁତାବକ କେବଳ ଗ୍ରୀନ୍ କ୍ରାକର(ସବୁଜ ବାଣ) ଫୁଟାଇବାକୁ ଅନୁମତି ଦିଆଯାଇଛି। ଯେଉଁ ବ୍ୟବସାୟୀମାନେ ବାଣ ବିକ୍ରି କରିବେ, ସେମାନେ କେବଳ ଏହି ଗ୍ରିନ୍ କ୍ରାକର ହିଁ ବିକିପାରିବେ। ଲୋକମାନେ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ। ହେଲେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧର୍ମସ୍ଥଳର ୧୦୦ ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ୍ ପୁଲିସ ସତର୍କ କରି ଦେଇଛି। ଏହି ଛାଟ ପରେ ବାଣ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି।
ଭୁବନେଶ୍ବରରେ ଦିନକୁ ଦିନ ବାୟୂ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଦୀପାବଳିର ବାଣଫୁଟା ଏହାକୁ ଗୋଟିଏ ଦିନରେ ହିଁ ଅନେକ ଗୁଣରେ ବଢ଼ାଇ ଦିଏ। ବାୟୂ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ ସାଂଘାତିକ ସ୍ଥିତି ସୃଷ୍ଟିକରେ। ବାଣଫୁଟା ସମୟରେ ଅନେକ ଅଘଟଣ ବି ଘଟେ। ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ୫୦୦ରୁ ଊର୍ଧ୍ବ ବାଣ ବ୍ୟବସାୟୀ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ପାଖାପାଖି ୯୦ ପ୍ରତିଶତଙ୍କୁ ଅନୁମତି ମିଳିଥିଲା। ସେମାନେ ବରମୁଣ୍ଡା, ରସୁଲଗଡ଼, ଚନ୍ଦ୍ରଶେଖରପୁର, ଜଟଣୀ ଭଳି ବଡ଼ ବଡ଼ ପଡ଼ିଆ ଓ ଖୋଲା ଅଞ୍ଚଳରେ ବାଣ ବଜାର ଲଗାଇବେ। ଅଗ୍ନି ନିରାପତ୍ତା ଦୃଷ୍ଟିକୁ ମଧ୍ୟ ଗୁରୁତ୍ବ ଦେବେ। ଏସବୁ ଭିତରେ ବ୍ୟବସାୟୀମାନେ ଗ୍ରିନ୍ କ୍ରାକର ବିକ୍ରି କରୁଛନ୍ତି ନା ନାହିଁ ଓ ନିୟମ ମୁତାବକ ଦୋକାନ କରିଛନ୍ତି ନା ନାହିଁ ଯାଞ୍ଚ କରିବାଲାଗି ଡିସିପି ପ୍ରତୀକ ସିଂହ ଦୁଇଟି ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି। ଦୁଇଜଣ ଏସିପିଙ୍କ ନେତୃତ୍ବରେ ପ୍ରଦୂଷଣ ବୋର୍ଡର କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ମିଳିତ ଭାବେ ବାଣ ବଜାରଗୁଡ଼ିକ ଉପରେ ନଜର ରଖିବେ। ଏହାଛଡ଼ା ନିଜ ଅଞ୍ଚଳ ଉପରେ ନଜର ରଖିବାଲାଗି ପ୍ରତି ଥାନାକୁ ସତର୍କ ରହିବାକୁ ଡିସିପି ଶ୍ରୀ ସିଂହ ନିର୍ଦେଶ ଦେଇଛନ୍ତି। ଲୋକମାନେ ନିର୍ଦ୍ଧାରିତ ସମୟ ଭିତରେ ହିଁ ବାଣ ଫୁଟାଇବାକୁ ନିଶ୍ଚିତ କରିବାଲାଗି ପୁଲିସ ଓ ପାଟ୍ରୋଲିଂ ଟିମ୍ ନିରନ୍ତର ନଜର ରଖିବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।
ଗ୍ରିନ୍ କ୍ରାକର୍ କେମିତି ଚିହ୍ନିବେ?
ଗ୍ରିନ୍ କ୍ରାକର କ’ଣ? କିପରି ଏହାକୁ ଚିହ୍ନଟ କରିବେ? ଏନେଇ ଅନେକ ଲୋକଙ୍କ ମନରେ ମାଳ ମାଳ ପ୍ରଶ୍ନ ରହିଛି। ପରିବେଶବିତ୍ଙ୍କ ମତରେ, ସବୁଜ ବାଣରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ। ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ୍ ଓ ବେରିୟମ୍ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ ରାସାୟନିକ ମିଶୁଥିବା ବେଳେ ସବୁଜ ବାଣରେ ଏସବୁ ନଥାଏ। ସବୁଜ ବାଣରେ ଆଲୁମିନିୟମ୍, ଲିଡ୍ ଓ କାର୍ବନ ଥାଏ। ଏହା ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗତ କରିଥାଏ। ପାରମ୍ପରିକ ବାଣର ଶବ୍ଦ ତୀବ୍ରତା ୧୬୦ ଡେସିବେଲ୍ ପାଖାପାଖି ଥିବାବେଳେ ସବୁଜ ବାଣରେ ଏହା ୧୧୦ରୁ ୧୨୫ ଡେସିବେଲ୍ ମଧ୍ୟରେ ରହିଥାଏ। ସେହିପରି ସବୁଜବାଣ ପ୍ୟାକେଟରେ ସିଏସ୍ଆଇଆର୍ ଅନୁମତିର ସବୁଜ ଲୋଗୋ ଥାଏ। ଫଳରେ ଏହାକୁ ସହଜରେ ଚିହ୍ନଟ କରା ଯାଇପାରେ।