ଗରିବ ଦମ୍ପତିଙ୍କ ସ୍ୱପ୍ନ ପୂରଣ କଲା କରୋନା: ଶ୍ରମଦାନ କରି ୩୦ ଫୁଟ ଗଭୀର କୂଅ ଖୋଳିଦେଲେ ପତି-ପତ୍ନୀ

ହରଭଙ୍ଗା: ଦୃଢ ଆତ୍ମ ବିଶ୍ୱାସ ଥିଲେ ଅନ୍ୟର ବିନା ସହାୟତାରେ ମଧ୍ୟ ଯେକୌଣସି କାର୍ଯ୍ୟ କରିବା ସମ୍ଭବ। ଏହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ବୌଦ୍ଧ ଜିଲ୍ଲା ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ରତନପୁର ରେଣ୍ଡା ସାହି ଗ୍ରାମର ଏକ ବୟସ୍କ ଦମ୍ପତି। ଲକଡାଉନ ବେଳେ ସମୟର ସଦ ଉପଯୋଗ କରି ନିଜସ୍ୱ ପରିଶ୍ରମ ବଳରେ ସେମାନେ ଏକ ୩୦ଫୁଟ ଗଭୀରର କୂଅ ଖୋଳି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି।

ଘଟଣାଟି ହେଲା ଏହି ଗ୍ରାମର ଏକାଦଶି ଅଦାବର(୫୮)ଓ ତାଙ୍କ ପତ୍ନୀ କାଞ୍ଚନ ଅଦାବର(୫୩) ଉଭୟ ଦିନମଜୁରି କରି ଜୀବନ ଅତିବାହିତ କରୁଥିଲେ। ସେମାନଙ୍କ ପରିବାରକୁ ବ୍ଲକ ପ୍ରଶାସନ ତରଫରୁ ଏକ ଆବାସଗୃହ କରିବା ପାଇଁ କାର୍ଯ୍ୟାଦେଶ ମିଳିଥିଲା। ହେଲେ ପାଖରେ ପାଣିର ସୁବିଧା ନଥିବାରୁ ଏହି ପରିବାର ଘର କିପରି କରିବେ ଏହାକୁ ନେଇ ଚିନ୍ତାରେ ଥିଲେ। ମାତ୍ର ହଠାତ କରୋନା ପାଇଁ ଲକଡାଉନ ଜାରି ହେବାପରେ କାମଧନ୍ଦା ନପାଇ ଘରେ ଖାଲି ନବସି ପରିଶ୍ରମ କରି କୂଅ ଖୋଳିବା କାମ ଆରମ୍ଭ କଲେ।

ନିୟମିତ ଭାବେ ଉଭୟ ଦମ୍ପତିଙ୍କ ଦୃଢ଼ ପରିଶ୍ରମ ଯୋଗୁଁ ଦେଢମାସ ପରେ ସେମାନେ ଏକ ଗଭୀର କୂଅ ଖୋଳିବାକୁ ସ୍ୱମ୍ପୁର୍ଣ ରୂପେ ସମର୍ଥ ହୋଇଛନ୍ତି। ଏକଥା ଜଣାପଡିବା ପରେ ପ୍ରତିଦିନ ଏହି କୂଅକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଲୋକ ଆସି ସେମାନଙ୍କର କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲୋକେ ଏକାଦଶି ଓ କାଞ୍ଚନଙ୍କ ଠାରୁ ପ୍ରେରଣା ଲାଭ କରିଛନ୍ତି ।

ସମ୍ବନ୍ଧିତ ଖବର