ପ୍ରଶାସନକୁ ଜବରଦଖଲକାରୀଙ୍କ ଆଖିଠାର, ରାତାରାତି ଗଢ଼ିଉଠୁଛି ଅବୈଧ ଦୋକାନଘର

ଖୋର୍ଦ୍ଧା: ଜାନୁଆରି ୨୪ ତାରିଖରେ ପ୍ରଶାସନ ପକ୍ଷରୁ ଦୃଢ଼ୋକ୍ତି ଦିଆଯାଇଥିଲା ଯେଉଁମାନେ ନାଳ ଓ ରାସ୍ତା ଉପରେ ଅତିରିକ୍ତ ଭାବେ ଅବୈଧ ଦଖଲ କରି ଦୋକାନ ନିର୍ମାଣ କରିଛନ୍ତି ସେମାନଙ୍କୁ ୭ ଦିନ ସମୟ ଦେବା ପରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ । କାହାରି କଥା କିଛି ଶୁଣାଯିବନି । ଯେଉଁମାନେ ଜବରଦଖଲ କରିଛନ୍ତି ସେମାନେ ନିଜ ଆଡ଼ୁ ଅବୈଧ ଦଖଲ ହଟାଇ ଦିଅନ୍ତୁ । ବ୍ୟବସାୟୀ ସଂଘ ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲେ । ଏହା ମଧ୍ୟରେ ୭ ଦିନ ବିତିଯାଇଛି, ସହରର ପ୍ରମୁଖ ରାସ୍ତାରେ ଜବରଦଖଲ ହଟିବ କ’ଣ ନୂଆ ନୂଆ ଦୋକାନ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଚାଲିଛି ।

ଗତମାସ ୨୪ ତାରିଖରେ ଜବରଦଖଲର ସହର ଖୋର୍ଦ୍ଧାକୁ ଜବରଦଖଲ ମୁକ୍ତ କରି କ୍ୟାବିନ୍ ବ୍ୟବସାୟୀଙ୍କୁ ବ୍ୟବସ୍ଥିତ ଭାବେ ଥଇଥାନ କରିବା ପାଇଁ ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି, ତହସିଲଦାର ତଥା ଭାରପ୍ରାପ୍ତ ପୌରପରିଷଦ ନିର୍ବାହୀଅଧିକାରୀ ଇପସିତ ସାହୁ, ବ୍ୟବସାୟୀ ସଂଘ, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ତିନି ଘଂଟା ଧରି ଆଲୋଚନା ହୋଇଥିଲା । ଆଲୋଚନାରେ, ଟିଏଲସି ପଡ଼ିଆ ନିକଟ ସରକାରୀ ଜମିରେ ଥିବା ଜବରଦଖଲ ହଟାଯାଇ ପ୍ରାୟ ୬୦ ପରିବା, ଆମିଷ ବ୍ୟବସାୟୀଙ୍କ ବ୍ୟବସ୍ଥିତ ଭାବେ ଦେକାନ ଘର ଦେଇ ବ୍ୟବସ୍ଥା କରିବା ଓ ସହରରରେ ନାଳ, ରାସ୍ତା ଉପରେ ଅତିରିକ୍ତ କବ୍ଜା କରିଥିବା ଦୋକାନଗୁଡ଼ିକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବ୍ୟବସାୟୀ ସଂଘ କହିଥିଲେ ଯେ ୭ ଦିନ ସମୟ ଦିଆଯାଉ, ପ୍ରଶାସନ ଅବୈଧ ନିର୍ମାଣକୁ ଭାଙ୍ଗିବା ଆବଶ୍ୟକ ନାହିଁ । ଦୋକାନୀ ନିଜ ଆଡ଼ୁ ତାକୁ ହଟାଇଦେବେ । ଦୁଇ ବିଧାୟକ ଓ ପୌରାଧ୍ୟକ୍ଷ ମଧ୍ୟ ଏଥିପାଇଁ ସହମତି ଦେଇଥିଲେ । ଏହା ମଧ୍ୟରେ ୭ ଦିନ ବିତିଯାଇଛି, କିନ୍ତୁ ଯେଉଁମାନେ ନାଳ, ସର୍ବସାଧାରଣ ରସ୍ତାକୁ କବ୍ଜା କରି ଅତିରିକ୍ତ ଭାବେ ଦୋକାନ ବଢ଼ାଇଛନ୍ତି ନିଜଆଡ଼ୁ ହଟାଇନାହାନ୍ତି, ବରଂ ସହରରେ ମୁଖ୍ୟରାସ୍ତାର ଦୁଇ କଡ଼ରେ ୧୫ରୁ ଉଦ୍ଧ୍ୱର୍ ଦୋକାନ ନିର୍ମାଣ ହୋଇଗଲାଣି ।

ସହରକୁ ଜବରଦଖଲକାରୀଙ୍କ ହାତମୁଠାରୁ ହଟାଇବାକୁ ଦୁଇ ବିଧାୟକଙ୍କ ମଧ୍ୟ ଟଣାଓଟରା ଓ ପରସ୍ପର ଦୋଷାରୋପ ଚାଲିଥିବା ବେଳେ ପୌର ପ୍ରଶାସନ ମଧ୍ୟ ଏହି ସମାସ୍ୟାର ସମାଧାନ ପରିବର୍ତେ ସୁରକ୍ଷିତ ଭାବେ ଖସିଯିବାକୁ ଉଦ୍ୟମ କରୁଛି । ପୂର୍ବତନ ଖୋର୍ଦ୍ଧାର ବିଧାୟକ ତଥା ବର୍ତମାନର ବେଗୁନିଆ ବିଧାୟକ ଶ୍ରୀ ସାହୁ ତାଙ୍କ ସମୟରେ ଜବରଦଖଲ ହଟାଇବାକୁ ଉଦ୍ୟମ ହୋଇଥିବା ବେଳେ ବର୍ତମାନର ବିଧାୟକଙ୍କ ସମୟର ଦୁଇ ବର୍ଷ ମଧ୍ୟରେ ଜବରଦଖଲ ବଢ଼ିଛି ବୋଲି ବୈଠକରେ କହିଥିଲେ । ଅପରପକ୍ଷରେ ୨୦୨୪ ନିର୍ବାଚନ ନିକଟତର ହେଉଥିବା ବେଳେ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇ ସମ୍ଭାବ୍ୟ ଅସନ୍ତୋଷକୁ ଏଡ଼ାଇବାକୁ ପୌର ପରିଷଦ ଅଧ୍ୟକ୍ଷା ଓ ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର ଯଥାସମ୍ଭବ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ଅପରପକ୍ଷରେ, ଅବୈଧ ଦଖଲକୁ ହଟାଇବାକୁ ପ୍ରଶାସନ ମଧ୍ୟ ରାଜନୈତିକ ଚାପରେ ରହି ପରବର୍ତୀ ଅଧିକାରୀଙ୍କ ଉପରକୁ ଦାୟିତ୍ୱ ଠେଲି ଦେବାକୁ ଉଚିତ ମଣିଛି ।

ଆଜି ଖୋର୍ଦ୍ଧା ତହସିଲଦାର ଭାବେ ବିଭାସ ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ୪ ତାରିଖ ସୁଦ୍ଧା ଖୋର୍ଦ୍ଧା ପୌର ପରିଷଦର ୬ ମାସ ଧରି ଖାଲିପଡ଼ିଥିବା ନିର୍ବାହୀ ଅଧିକାରୀ ଭାବେ ରିଜୁୱାନା କାୱାକବ୍ ଦାୟିତ୍ୱ ନେବେ । ଗତ ୧ ବର୍ଷ ଧରି ସହରର ଜବରଦଖଲ ହଟାଇବାରେ ଦୁଇ ଦୁଇ ଜଣ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ବଦଳି ହୋଇଗଲାଣି । ବର୍ତମାନ ନୂତନ ଭାବେ ଦାୟିତ୍ୱ ନେଇଥିବା ଅଧିକାରୀ ସହରର ଏହି ଉକ୍ରଟ ସମସ୍ୟାକୁ କିଭଳି ମୁକାବିଲା କରିବେ ତାହା ଦେଖିବାକୁ ବାକି ରହିଛି ।

 

ସମ୍ବନ୍ଧିତ ଖବର