ନୂଆଦିଲ୍ଲୀ: ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ, ଓଡ଼ିଶା, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ‘ଆୟୁଷ୍ମାନ୍ ଭାରତ - ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଲାଗୁ ହୋଇ ନ ଥିବା କଥା ଆଜି ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି।
ସାଂସଦ ଜୁଏଲ୍ ଓରାମ୍ଙ୍କ ପ୍ରଶ୍ନର ଉତ୍ତର ଦେଇ ଚୌବେ କହିଛନ୍ତି ଯେ, ମାର୍ଚ ୧୦ ତାରିଖ ସୁଦ୍ଧା ଉପରୋକ୍ତ ରାଜ୍ୟଗୁଡ଼ିକରେ ଏହି ଯୋଜନା ପ୍ରବର୍ତ୍ତନ କରାଯାଇନାହିଁ।
କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ୍ ଭାରତ ଯୋଜନା କେଉଁ କେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହୋଇ ନାହିଁ, ଏହାକୁ ରାଜ୍ୟମାନେ କେଉଁ କାରଣରୁ ଲାଗୁ କରି ନାହାନ୍ତି ଏବଂ ଏହି ଯୋଜନାରୁ ଉପକୃତ ହେବାରୁ ବଞ୍ଚିତ ଲୋକମାନଙ୍କୁ ସହାୟତା ଯୋଗାଇବାକୁ ସରକାର କୌଣସି ଉଦ୍ୟମ କରୁଛନ୍ତି କି, ବୋଲି ଓରାମ୍ ପଚାରିଥିଲେ।
/sambad/media/post_attachments/wp-content/uploads/2021/03/pmm-3.jpg)
ଉତ୍ତର ଦେବାକୁ ଯାଇ ଚୌବେ କହିଛନ୍ତି, ‘ଏବି-ପିଏମ୍ଜେଏଓ୍ଵାଇ’ ପ୍ରବର୍ତ୍ତନ କରାଯିବ ବୋଲି ୨୦୨୦ ବଜେଟ୍ରେ ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ ଘୋଷଣା କରିଥିଲେ ମଧ୍ୟ ଏ ସଂକ୍ରାନ୍ତରେ ସେମାନେ କୌଣସି ପଦକ୍ଷେପ ନେଇ ନାହାନ୍ତି।
୨୦୧୮ ସେପ୍ଟେମ୍ବର ୨୩ରୁ ୨୦୧୯ ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଏବି-ପିଏମ୍ଜେଏଓ୍ଵାଇ’ ଲାଗୁ କରାଯାଇଥିଲା। ଏହି ଯୋଜନାର ବ୍ୟୟ ବାବଦକୁ କେନ୍ଦ୍ର ସରକାରଙ୍କ ଭାଗରୁ ୩୧.୨୮ କୋଟି ଟଙ୍କା ରିଲିଜ୍ ହୋଇଥିଲା। କିନ୍ତୁ, ୨୦୧୯ ଜାନୁଆରି ୧୦ ତାରିଖରୁ ରାଜ୍ୟ ସରକାର ଏହି ଯୋଜନାରୁ ଓହରି ଯାଇଥିଲେ।
ଏହି ଯୋଜନା ପ୍ରଣୟନ ପ୍ରସଙ୍ଗରେ ଓଡ଼ିଶା ଓ ତେଲେଙ୍ଗାନା ସରକାରଙ୍କ ସହ ଆଲୋଚନା ଅବ୍ୟାହତ ଅଛି। ଜନସ୍ୱାସ୍ଥ୍ୟ ରାଜ୍ୟର ଯୋଜନା ହୋଇଥିବାରୁ ‘ଏବି-ପିଏମ୍ଜେଏଓ୍ଵାଇ’ ପ୍ରଣୟନ ସଂକ୍ରାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିବେ।