କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସ‌ରରେ କଟକରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କଟକ ଖାନନଗର ଠାରେ ନେତାଜୀଙ୍କ ନାମରେ ନାମିତ ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ।

Advertisment

ଏହି ବସ୍‌ ଟର୍ମିନାଲକୁ ଅନ୍ତର୍ଜାତୀୟସ୍ତରୀୟ କରାଯିବ। ୧୧ହଜାର ବର୍ଗମିଟରରେ ନିର୍ମିତ ହେବ ଏହି ବସ୍‌ ଟର୍ମିନାଲ। ବସ ଟର୍ମିନାଲଟିରେ ୧୮୦ ବସ୍ ଓ ୨୭୫ କାର୍ ରହି ପାରିବ। ଏଥିପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।

ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Naveen Patnaik's support to BJP man raises brows - The Economic Times The Economic Times

ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନର ଅଂଶସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଖାନନଗରଠାରେ କଟକ ନେତାଜୀ ବସ୍‌ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନେତାଜୀ ଏହି କଟକ ମାଟିର ପୁଅ । ଏହି କଟକରେ ଜନ୍ମ ହୋଇଥିଲେ ଓ ବଡ଼ ମଧ୍ୟ ହୋଇଥିଲେ । ଏହି କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା । ତେଣୁ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

publive-image Sambad

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି । ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ। ଭାରତର ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, କଟକ ନେତାଜୀ ବସ୍‌ ଟର୍ମିନାଲକୁ ଦେଶର ଏକ ମଡେଲ ବସ୍‌ ଟର୍ମିନାଲ ଭାବରେ ଗଢାଯିବ । ଏଠାକୁ ଆସୁଥିବା ସମସ୍ତଙ୍କ ମନରେ ନେତାଜୀଙ୍କ ସ୍ମୃତି ଯେପରି ଜାଗ୍ରତ ହୋଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ। ନେତାଜୀଙ୍କର ଜୀବନି ଓ ସଂଗ୍ରାମର ଝଲକ ସବୁଠାରେ ଦେଖିବାକୁ ମିଳିବ ଏବଂ ଏଠାକୁ ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବ । ଏହି ବସ୍‌ ଟର୍ମିନାଲ ହଜାର ବର୍ଷର ସହର କଟକର ଗରିମାକୁ ଆହୁରି ବୃଦ୍ଧି କରିବ।