ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଥିବାର ଲକ୍ଷଣ ଦେଖାଦେଇଛି। ଏହି ସତର୍କ ସୂଚନା ପାଇବା ପରେ ସରକାର ମାନ୍ଦାବସ୍ଥାକୁ ପ୍ରତିହତ କରିବା ଲାଗି କେତେଗୁଡ଼ିଏ ରଣନୀତି ଆପଣାଇଛନ୍ତି। ସେଥିରୁ ଗୋଟିଏ ହେଲା ଖର୍ଚ୍ଚ ବୃଦ୍ଧି। ଅନ୍ୟଟି ହେଲା ଦେଶରେ ଅଧିକ ଘରୋଇ ନିବେଶକୁ ନିଶ୍ଚିତ କରିବା ଲାଗି ପୁଞ୍ଜି ମୂଲ୍ୟକୁ ହ୍ରାସ କରିବା। ଏତଦବ୍ୟତୀତ ଦେଶରେ ଆୟକର ହାରକୁ ହ୍ରାସ କରିବା। ଆୟକର ହାର କମିଲେ ମଧ୍ୟବିତ୍ତ ଏବଂ ନବ ମଧ୍ୟବିତ୍ତ ବର୍ଗର ଲୋକମାନେ ଅଧିକରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ସକ୍ଷମ ହେବେ। ଫଳରେ ଦେଶରେ ଚାହିଦା ଏବଂ ଖର୍ଚ୍ଚ ବୃଦ୍ଧି ଘଟିବ।
ସରକାରୀ ନିବେଶକୁ କ୍ରମାଗତଭାବେ ବୃଦ୍ଧି କରାଗଲେ ଘରୋଇ ନିବେଶ ପାଇଁ ଏହା ପ୍ରୋତ୍ସାହନ ଭାବେ କାର୍ଯ୍ୟ କରିବ। ସେହିଭଳି କମ୍ ମୂଲ୍ୟରେ ଋଣ ମିଳିଲେ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଅଧିକ ଋଣ କରି ତାହାକୁ ନିବେଶ କରିବାରେ ସକ୍ଷମ ହେବେ। ଆସନ୍ତା ପୂର୍ଣ୍ଣାଙ୍ଗ ବଜେଟରେ ଏଥିରୁ କେତୋଟି ପଦକ୍ଷେପ ସରକାର କାର୍ଯ୍ୟକାରୀ କରିପାରନ୍ତି। ତେବେ ୨୦୦୮ରେ ଦେଖାଦେଇଥିବା ବିଶ୍ବ ମାନ୍ଦାବସ୍ଥା ବେଳେ ସରକାର ଯେଭଳି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ୨୦୦୯-୧୦ରେ ଘୋଷଣା କରିଥିଲେ। ଉତ୍ପାଦନ ଶୁଳ୍କ ଏବଂ ସେବା ଟିକସକୁ ହ୍ରାସ କରିଥିଲେ। କିନ୍ତୁ ଏବେ ତାହା ହେବା ସମ୍ଭବ ନୁହେଁ। କାରଣ ଉତ୍ପାଦନ ଶୁଳ୍କ ଏବଂ ସେବା ଟିକସକୁ ଜିଏସଟି ପରିସରରେ ସାମିଲ କରାଯାଇଛି। ଜିଏସଟି ହ୍ରାସ କରିବାକୁ ହେଲେ ରାଜ୍ୟ ଗୁଡ଼ିକର ଅନୁମତି ଆବଶ୍ୟକ। କେନ୍ଦ୍ର ସରକାର ଏକାକୀ ଏହା କରିପାରିବେ ନାହିଁ। ତେଣୁ ସରକାର ଯାହା କରିବେ ପ୍ରତ୍ୟକ୍ଷ ଟିକସରେ ହିଁ କରିବେ। ତେଣୁ ସରକାର ଲୋକଙ୍କ ଉପରୁ ଆୟକର ବୋଝ ହ୍ରାସ କରିପାରନ୍ତି ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/income-tax-1532936498.jpg)