ସନ୍ଗ୍ଲାସ୍ ପିନ୍ଧିବା ଏକ ଷ୍ଟାଇଲ୍ କିମ୍ବା ଫେସନ୍ ନୁହେଁ, ଏହା ଏକ ଆବଶ୍ୟକତା। ହୁଏତ କିଶୋର ବୟସର ପୁଅଝିଅଙ୍କ ପାଇଁ ସନ୍ଗ୍ଲାସ୍ ଷ୍ଟାଇଲ ହୋଇପାରେ କିନ୍ତୁ ଆଖିର ଯତ୍ନ ନେବା ପାଇଁ ୨ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ବୟସର ଲୋକମାନେ ସନ୍ଗ୍ଲାସ୍ ପିନ୍ଧୁଛନ୍ତି। ଚଷମା ବଜାର ବର୍ଷକୁ ୧୦ରୁ ୧୫ ପ୍ରତିଶତ ହାରରେ ଆଗକୁ ବଢ଼ୁଛି। ଜନସଂଖ୍ୟା ବୃଦ୍ଧି, ଅଧିକରୁ ଅଧିକ ଲୋକ ଆଖି ପ୍ରତି ସଚେତନ ହେବା ସହିତ ସୋ’ରୁମ୍ ସଂଖ୍ୟା ବୃଦ୍ଧି ଏବଂ ସହଜରେ ଆଖି ପରୀକ୍ଷା ହୋଇ ପାରୁଥିବା ଆଦି କାରଣ ଯୋଗୁଁ ଚଷମା ବଜାର ବଢ଼ୁଛି। ସେହିଭଳି ସନ୍ଗ୍ଲାସ୍ ବଜାର ବୃଦ୍ଧି ମଧ୍ୟ ସମାନ ହାରରେ ଆଗକୁ ବଢ଼ୁଛି। ଚଷମା ବଜାର ଭଳି ସହିତ ସନ୍ଗ୍ଲାସ ବଜାର ବୃଦ୍ଧିର କାରଣ ମଧ୍ୟ ସମାନ ବୋଲି ଭୁବନେଶ୍ୱରର ଚଷମା ସୋରୁମ୍ ଗୁଡ଼ିକ ମତ ଦେଇଛନ୍ତି। ଏଥିସହିତ ବଜାରରେ ଅଧିକ ଭେରାଇଟିର ସନ୍ଗ୍ଲାସ ଉପଲବ୍ଧ ହେବା ସହିତ ଅଫର ଆଦି ସନ୍ଗ୍ଲାସ ବଜାରକୁ ଆଗକୁ ନେଉଛି ବୋଲି କେତେକ ବ୍ୟବସାୟୀ କୁହନ୍ତି। ତେବେ ସନ୍ଗ୍ଲାସ୍ କ୍ଷେତ୍ରରେ ଗ୍ରାହକମାନେ ବ୍ରାଣ୍ଡ୍ ପ୍ରତି ଅଧିକ ସଚେତନ ରହୁଛନ୍ତି । ଫଳରେ ରାଜ୍ୟରେ ଚଷମା ଦୋକାନ ଗୁଡ଼ିକରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍ର ସନ୍ଗ୍ଲାସ ଉପଲବ୍ଧ ହେଉଛି। ସନ୍ଗ୍ଲାସ ବଜାରକୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା:-
ପସନ୍ଦରେ ଭିନ୍ନତା: ସାଧାରଣତଃ ସନ୍ଗ୍ଲାସ୍ ପାଇଁ ଅଧିକାଂଶ ବ୍ୟକ୍ତିଙ୍କର ଫ୍ରେମ୍ରେ କୌଣସି ବାଛବିଚାର ନଥାଏ। କିନ୍ତୁ କେତେକ କ୍ଷେତ୍ରରେ ପୁଅ ଓ ଝିଅ ମାନେ ଫ୍ରେମ୍ ନେଇ ପସନ୍ଦରେ କିଛିଟା ଭିନ୍ନତା ଦେଖାଇଥାନ୍ତି। ଭୁବନେଶ୍ୱରରେ ପୁଅମାନେ ଏଭିଏଟର ଓ େଓ୍ଵଫେୟାର ଫ୍ରେମ୍ର ଚଷମା ପିନ୍ଧିବାକୁ ପସନ୍ଦ କରୁଥିବାବେଳେ ଝିଅମାନେ କ୍ୟାଟ୍ସ ଆଇ, ଓଭାଲ ଏବଂ ଗୋଲାକାର ଆକୃତିର ଚଷମା ଫ୍ରେମ୍ ପିନ୍ଧିବାକୁ ପସନ୍ଦ କରୁଛନ୍ତି ବୋଲି ଏକ ସୋ’ରୁମ୍ର ଜଣେ କର୍ମକର୍ତା କୁହନ୍ତି। ସେହିଭଳି ସନ୍ଗ୍ଲାସ୍ ଏବଂ ବ୍ରାଣ୍ଡ୍କୁ ନେଇ ମଧ୍ୟ ଗ୍ରାହକଙ୍କର ପସନ୍ଦ ଭିନ୍ନ ଭିନ୍ନ ରହୁଛି।
ଚାହିଦାରେ ୟୁଭି ପ୍ରୋଟେକ୍ସନ ଓ ପୋଲାରାଇଜଡ୍ ସନ୍ଗ୍ଲାସ୍: ସନ୍ଗ୍ଲାସ୍ରେ ଦୁଇଟି ପ୍ରଯୁକ୍ତିକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଅଲ୍ଟା ଭାଓଲେଟ୍(ୟୁଭି) ବା ଅତି ବାଇଗଣୀ ରଶ୍ମିରୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରଯୁକ୍ତି ଏବଂ ଅନ୍ୟଟି ହେଲା ପୋଲାରାଇଜଡ୍ ପ୍ରଯୁକ୍ତି। ଅତି ବାଇଗଣୀ ପ୍ରଯୁକ୍ତି ଥିବା ସନ୍ଗ୍ଲାସ୍ ପିନ୍ଧୁଥିଲେ ଚଷମା ପିନ୍ଧୁଥିବା ବ୍ୟକ୍ତିଙ୍କ ଆଖିକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀର ପ୍ରଭାବରୁ ସୁରକ୍ଷା ମିଳିଥାଏ। ସେହିଭଳି ପୋଲାରାଇଜଡ୍ ପ୍ରଯୁକ୍ତି ଦ୍ୱାରା ଆଖିକୁ ସୂର୍ଯ୍ୟାଲୋକର ଅତ୍ୟଧିକ ଉଜ୍ଜ୍ୱଳତାର ପ୍ରଭାବରୁ ସୁରକ୍ଷା ମିଳିଥାଏ। ଆଖିରେ ଆଲୋକର ପ୍ରତିଫଳନ ହୋଇ ନଥାଏ। ଖରାବେଳେ ଯିବା ସମୟରେ ରାସ୍ତାରେ ଯେଉଁ ମରିଚିକା ଦେଖାଦେଇଥାଏ ଏହି ଚଷମା ପିନ୍ଧିଲେ ତାହା ଦେଖା ଯାଇ ନଥାଏ। ସେହିଭଳି ଶତପ୍ରତିଶତ ଭିଜନ୍ ମଧ୍ୟ ମିିଳିଥାଏ। ଫଳରେ ଅତ୍ୟଧିକ ଖରାରେ ମଧ୍ୟ ଆଖି କୌଣସି ଜିନିଷକୁ ଭଲରେ ଦେଖି ପାରିଥାଏ। ମର୍କ୍ୟୁରି କୋଟେଡ ଚଷମାର ଟ୍ରେଣ୍ଡ୍: ସବୁ ପ୍ରକାର ସନ୍ଗ୍ଲାସ ବଜାରରେ ବିକ୍ରି ହେଉଥିଲେ ମଧ୍ୟ ଏବେ ମର୍କ୍ୟୁରି କୋଟେଡ ବା ମିରର୍ ରିଫ୍ଲେକ୍ସନ ସନ୍ଗ୍ଲାସ୍ର ଚାହିଦା ଅଧିକ ରହିଛି। ଏହାର କାରଣ ହେଲା ଉକ୍ତ ଚଷମାଟି କେବଳ ଆଖିକୁ ଥଣ୍ଡା ରଖିଥାଏ ତାହା ନୁହେଁ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀର ପ୍ରତିକୂଳ ପ୍ରଭାବରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ।
ସନ୍ଗ୍ଲାସ୍ର ବଜାରଅଂଶ ୩୦ ପ୍ରତିଶତ: ମୋଟ ଚଷମା ବଜାରରେ ସନ୍ଗ୍ଲାସର ବଜାରଅଂଶ ଓଡ଼ିଶାରେ କେତେହେବ ତାହାର ସୂଚନା ଯଦିଓ ନିର୍ଦ୍ଦିଷ୍ଟ ଭାବେ ନାହିଁ ତଥାପି ଏହା ୩୦ ପ୍ରତିଶତ ପାଖାପାଖି ରହିବ ବୋଲି ଅନେକ ଚଷମା ସୋ’ରୁମ୍ ମତ ଦେଇଛନ୍ତି।
ଅଫର୍ :ଚଷମା ସୋ’ରୁମ୍ ଗୁଡ଼ିକରେ ଏବେ ସନ୍ଗ୍ଲାସ୍ରେ ବିଭିନ୍ନ ପ୍ରକାରର ଅଫର୍ ପ୍ରଦାନ କରାଯାଉଛି। ଟାଇଟନ୍ ଆଇ ପ୍ଲସ୍ରେ ପାଓ୍ଵାର ସନ୍ଗ୍ଲାସ୍ ଲେନ୍ସ ଉପରେ ୨୫ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ସେହିଭଳି ଜିକେବି ଅପ୍ଟିକାଲ୍ସରେ କେତୋଟି ବଛା ବଛା ବ୍ରାଣ୍ଡ୍ର ସନ୍ଗ୍ଲାସ କିଣିଲେ ଅନ୍ୟ ଏକ ସନ୍ଗ୍ଲାସ୍ରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଏତଦ୍ବ୍ୟତୀତ କଣ୍ଟାକ୍ଟ ଲେନ୍ସ ନେଲେ ସୋ’ରୁମ୍ରେ ସନ୍ଗ୍ଲାସ୍ରେ ମଧ୍ୟ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ହିମାଳୟା ସୋ’ରୁମ୍ରେ ଗୋଟିଏ କିଣିଲେ ୧୫ ପ୍ରତିଶତ ଏବଂ ଦୁଇଟି କିଣିଲେ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଲେନ୍ସକାର୍ଟରେ ଗୋଟିଏ ସନ୍ଗ୍ଲାସ କିଣିଲେ ଆଉ ଗୋଟିଏ ସନ୍ଗ୍ଲାସ ମାଗଣା ପ୍ରଦାନ କରାଯାଉଛି। ଏତଦ୍ବ୍ୟତୀତ ଅନ୍ୟାନ୍ୟ ସୋ’ରୁମ୍ ଗୁଡ଼ିକରେ ମଧ୍ୟ ବିଭିନ୍ନ ପ୍ରକାରର ଅଫର ପ୍ରଦାନ କରାଯାଉଛି। ଏହାଛଡ଼ା ଅନ୍ଲାଇନ୍ରେ ବିଭିନ୍ନ କମ୍ପାନି ସନ୍ଗ୍ଲାସ୍ ଉପରେ ଆକର୍ଷଣୀୟ ଅଫର୍ ପ୍ରଦାନ କରୁଛନ୍ତି। ଦୃଷ୍ଟିଦୋଷ ଥିବା ବ୍ୟକ୍ତି ବି ପିନ୍ଧିପାରୁଛନ୍ତି ସନ୍ଗ୍ଲାସ୍: ସାଧାରଣରେ ଏକ ଧାରଣା ରହିଛି ଯେ ସନ୍ଗ୍ଲାସ୍ ଗୁଡ଼ିକ କେବଳ ଖରାରୁ ଆଖିକୁ ରକ୍ଷା କରିବା ସହିତ ଷ୍ଟାଇଲ ପାଇଁ ପିନ୍ଧାଯାଏ। କିନ୍ତୁ ଏହା ଠିକ୍ ନୁହେଁ। ଦୃଷ୍ଟି ଦୋଷ ଥିବା ବ୍ୟକ୍ତିମାନେ ମଧ୍ୟ ସନ୍ଗ୍ଲାସ୍ ପିନ୍ଧିପାରୁଛନ୍ତି। ଦୃଷ୍ଟିଦୋଷ ଥିଲେ ଯେଭଳି ପାଓ୍ଵାର ଚଷମା ପ୍ରସ୍ତୁତ ହେଉଛି ସନ୍ଗ୍ଲାସ୍ରେ ମଧ୍ୟ ସେହିଭଳି ପାଓ୍ଵାର ଚଷମା ପ୍ରସ୍ତୁତ ହେଉଛି।