ନୂଆଦିଲ୍ଲୀ : ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ଥିଲା ବୋଲି ପାକିସ୍ତାନର ଜଣେ ମନ୍ତ୍ରୀ ଫୱାଦ ଚୌଧୁରୀ ପାକ୍ ସଂସଦରେ ଗତକାଲି ସ୍ବୀକାର କରିଥିଲେ। ପାକିସ୍ତାନର ଏହି ଭୁଲର ଫାଇଦା ଉଠାଇବା ସହ ଭାରତ ସରକାର ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ପାଇଁ ଏହାକୁ ବ୍ୟବହାର କରିବା ଦରକାର ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.କେ ସିଂହ  କହିଛନ୍ତି ।

Advertisment

ତାଙ୍କ କହିବା ମୁତାବକ,ପୁଲୱାମା ଆତଙ୍କବାଦୀ ଆକ୍ରମଣର ସତ୍ୟତାକୁ ସ୍ୱୀକାର କରିଥିବାରୁ ମୁଁ ଫୱାଦ ଚୌଧୁରୀଙ୍କୁ ଧନ୍ୟବାଦ ଜଣାଉଛି। ଆମେ ଆରମ୍ଭରେ କହିଥିଲୁ ଯେ, ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି । ପରବର୍ତ୍ତୀ ସମୟରେ ଭାରତ ସରକାର ପାକିସ୍ତାନରେ ଲୁଚି ଏଭଳି ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମୁଁ ନିଶ୍ଚିତ ଯେ ଆମ ସରକାର ପାକିସ୍ତାନ ଦ୍ବାରା କରାଯାଇଥିବା ଏହି ସ୍ବୀକାରୋକ୍ତିକୁ ବ୍ୟବହାର କରି ବିଶ୍ୱକୁ କହିବେ ଯେ ପାକିସ୍ତାନକୁ ଏଫଏଟିଏଫ ଦ୍ବାରା କଳା ତାଲିକାଭୁକ୍ତ କରାଯିବା ଆବଶ୍ୟକ ଏବଂ ପାକିସ୍ତାନକୁ ଏ ନେଇ କେହି ସମର୍ଥନ କରିବା ଉଚିତ ନୁହେଁ।

ତେବେ ଗତକାଲି ଦେଇଥିବା ନିଜ ବୟାନକୁ ପରେ ବଦଳାଇ ଦେଇଛନ୍ତି ମନ୍ତ୍ରୀ ଫୱାଦ ଚୌଧୁରୀ । ତାଙ୍କ ବୟାନକୁ ଭୁଲ ଭାବରେ ଦର୍ଶାଯାଇଥିବା ସେ କହିଛନ୍ତି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକର ଦେଇ ସେ କହିଛନ୍ତି ଯେ, ମୋର ବୟାନକୁ ଯେଉଁଭଳି ଭାବରେ ଦର୍ଶାଯାଇଛି, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ | ଏହା ହାସ୍ୟାସ୍ପଦ | ଏହିପରି ଭାରତୀୟ ଗଣମାଧ୍ୟମ କାମ କରେ | ଭାରତରେ ରାଜନୈତିକ ସଫଳତା ପାଇଁ ବୟାନକୁ ଭିନ୍ନ ଢ଼ଙ୍ଗରେ ଲୋକଙ୍କ ପାଖକୁ ଅଣଯାଏ। ମୁଁ ସମସ୍ତଙ୍କୁ ମୋର ବକ୍ତବ୍ୟ ପୁରା ଶୁଣିବାକୁ ପରାମର୍ଶ ଦେଉଛି। ଫେବୃଆରୀ ୨୬, ୨୦୧୯ ପରେ ଘଟିଥିବା ଘଟଣାଗୁଡ଼ିକ ବିଷୟରେ ମୁଁ କହୁଥିଲି | ମୁଁ ପୁଲୱାମା ଆକ୍ରମଣକୁ ପାକିସ୍ତାନର ସଫଳତା ବୋଲି କହିନଥିଲି। ଆମ ବାୟୁସେନା ଦୁଇଟି ଭାରତୀୟ ବାୟୁସେନା ବିମାନକୁ ତଳକୁ ଖସାଇବା ଏବଂ ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ କବଜାକୁ ନେବା ସଫଳତା ବିଷୟରେ ମୁଁ କହୁଥିଲି।