ଭାରତର ହ୍ୟାଟ୍ରିକ୍ ବିଜୟ, ଜାପାନ୍‌କୁ ୯-୦ରେ ହରାଇଲା

ମସ୍କାଟ (ଓମାନ): ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ରବିବାର ୯-୦ ଗୋଲରେ ଜାପାନକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଭାରତ ମଧ୍ୟ ହ୍ୟାଟ୍ରିକ୍ ବିଜୟ ସହିତ ସେମିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି। ପୂର୍ବ ଦୁଇ ଦିନ ଆ‌ୋୟାଜକ ଓମାନକୁ ୧୧-୦ରେ ଏବଂ ପାକିସ୍ତାନକୁ ୩-୧ରେ ହରାଇଥିବା ଭାରତ ରବିବାର ମଧ୍ୟ ଏକତରଫା ବିଜୟ ହାସଲ କରିଥିଲା। ଚତୁର୍ଥ ମିନିଟରେ ଲଳିତ ଉପାଧ୍ୟାୟ ଫିଲଡ୍ ଗୋଲ୍‌‌ରୁ ଅଭିଯାନ ଆରମ୍ଭ କରିବା ପରେ ଅଷ୍ଟମ ମିନିଟରେ ଗୁରଜାଣ୍ଟ ସିଂହ ମେଳିରୁ ଫାଇଦା ଉଠାଇ ଦ୍ବିତୀୟ ଗୋଲ‌ ଦେଇଥିଲେ। ଏହା ପରେ ହରମନପ୍ରୀତ୍ ସିଂହ ୧୮ ମନିଟରେ ପେନାଲଟି ଷ୍ଟ୍ରୋକରୁ ଏବଂ ୨୧ତମ ମିନିଟରେ ପେନାଲଟି କର୍ନରରୁ ଗୋଲ ଦେବାରୁ ଭାରତ ପ୍ରଥମାର୍ଧରେ ୪-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଧ‌ର ୩୬ତମ ମିନିଟରେ ଆକାଶଦୀପ ସିଂହ ଏବଂ ୪୨ ତମ ମିନିଟରେ‌ ବଦଳ‌ ଖେଳାଳି କୋଠାଜିତ୍ କଡ଼ଙ୍ଗବମ ଆଉ ଦୁଇଟି ଫିଲଡ ଗୋଲ୍ ଦେଇଥିଲେ। ତୃତୀୟ କ୍ବାର୍ଟର ଶେଷ ମିନିଟରେ (୪୫+୧) ଲଳିତ ଉପାଧ୍ୟାୟ ବ୍ୟକ୍ତିଗତ ଦ୍ବିତୀୟ ଗୋଲ ଦେଇଥିଲେ। ୪୯ତମ ମିନିଟରେ ପେନାଲଟି କର୍ନରରୁ ମନଦୀପ ସିଂହ ଅଷ୍ଟମ ଗୋଲ୍ ଦେଇଥିଲେ। ୫୭ତମ ମିନିଟରେ ଅଧିନାୟକ ମନପ୍ରୀତଙ୍କ ପାସରୁ ମନଦୀପ ସିଂହ ଆଉ ଏକ‌ ଗୋଲ ଦେଇଥିଲେ। ରବିବାରର ବିଜୟ ସହିତ ଭାରତ ମଧ୍ୟ ଜାପାନ ବିପକ୍ଷରେ ରଖିଥିବା ଆଧିପତ୍ୟକୁ ଆଗକୁ ନେଇଛି। ୨୨ ମୁକାବିଲାରୁ ଭାରତ ୧୮ ବିଜୟ ହାସଲ କରିଥିବାବେଳେ ଗୋଟିଏ ଅମୀମାଂସିତ ଏବଂ ୩ ପରାଜୟ ସାମିଲ ରହିଛି। ଗତ ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତ ୮-୦ରେ ଜାପାନକୁ ଦଳିଥିଲା। ଭାରତ ନିଜର ପରବର୍ତୀ ଦୁଇ ମ୍ୟାଚ୍ ମଙ୍ଗଳବାର ଓ ବୁଧବାର ଯଥାକ୍ରମେ ମାଲେସିଆ ଓ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି ୧୦.୪୦ରେ ଆରମ୍ଭ ହେବ। ଷ୍ଟାରସ୍ପୋର୍ଟସ-୨, ଷ୍ଟାରସ୍ପୋର୍ଟସ ଏଚଡି-୨ ଏବଂ ହଟଷ୍ଟାର୍ ଏହାର ସିଧାପ୍ରସାରଣ କରୁଛନ୍ତି।

ସମ୍ବନ୍ଧିତ ଖବର