ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ଆଶା କରାଯାଉଥିବା ବେଳେ ଦିଲ୍ଲୀରୁ ଯାଇଥିବା ଗୋଟାଏ ବିମାନ ଡୋମିନିକାରେ ଅବତରଣ କରିଥିବା ନେଇ ଖବର ମିଳିଥିଲା | ବିମାନଟି ମେହୁଲ୍ ଚୋକ୍ସିଙ୍କୁ ଭାରତ ଆଣିବା ପାଇଁ ସେଠାରେ ପହଞ୍ଚିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗଷ୍ଟନ୍ ବ୍ରାଉନ୍ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି | ଦିଲ୍ଲୀରୁ ଆସି ଡୋମିନିକାରେ ଅବତରଣ କରିଥିବା ବିମାନ ମେହୁଲ୍ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ନେଇ ଆବଶ୍ୟକ ଥିବା କାଗଜପତ୍ର ଧରି ଆସିଥିବା କହିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ |
ଏ ସମ୍ପର୍କରେ ଭାରତୀୟ କର୍ତ୍ତୃପକ୍ଷଙ୍କ ତରଫରୁ ଅଧିକାରୀକ ଭାବେ କୌଣସି ସରକାରୀ ଘୋଷଣା କରାଯାଇନଥିବା ବେଳେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମେହୁଲ ଚୋକସିଙ୍କ ଭାରତ ପ୍ରତ୍ୟର୍ପଣ ସହ ଜଡିତ କାଗଜପତ୍ର ଦେଇ ଭାରତ ଏକ ବିମାନ ପଠାଇଛି।
ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ, ବେଆଇନ ଭାବେ ଡୋମିନିକା ଦ୍ବୀପରେ ପ୍ରବେଶ କରିଥିବା କାରଣରୁ ସେଠାକାର ପୁଲିସ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଗିରଫ କରିଛି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବାର ସମ୍ଭାବନା ଥିବା କଥା କୁହାଯାଉଛି। ସ୍ମରଣଯୋଗ୍ୟ, ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ରେ ହୋଇଥିବା ୧୩,୫୦୦ କୋଟି ଟଙ୍କା ଜାଲିଆତି ଘଟଣାର ‘ମାଷ୍ଟର୍ମାଇଣ୍ଡ୍’ ହେଉଛନ୍ତି ମେହୁଲ ଚୋକ୍ସି।
/sambad/media/post_attachments/wp-content/uploads/2021/05/bombarder-750x430.jpeg)
ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି ଏବଂ ମେ ୨୩ ତାରିଖ ଦିନ ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ମାରଧର କରାଯିବା ସହ ଜବରଦସ୍ତି ଡୋମିନିକା ଦ୍ବୀପକୁ ନିଆଯାଇଥିବା କଥା ମେହୁଲ୍ ତାଙ୍କ ଡୋମିନିକା ଓକିଲଙ୍କ ଜରିଆରେ ଡୋମିନିକା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଶରୀରରେ ଆଘାତ ଲାଗିଥିବାର ଚିହ୍ନ ଥିବା କେତୋଟି ଫଟୋ ମଧ୍ୟ ବିଭିନ୍ନ ଗଣମାଧ୍ୟମର ହସ୍ତଗତ ହୋଇଛି।
ତେଣୁ, ଏବେ କୌଣସି ଦେଶକୁ ପ୍ରତ୍ୟର୍ପଣ କରାଯାଇ ପାରିବ ନାହିଁ କହି ଅଦାଲତ ତାଙ୍କୁ ୨୦୨୧ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ‘କ୍ବାରେଣ୍ଟିନ୍’କୁ ପଠାଇ ଦେଇଛନ୍ତି।