ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ୍ ଟିକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଥିବାରୁ ଟିକା ବିତରଣ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ବିମାନବନ୍ଦର ଏବଂ ବିମାନ ସେବା। ଦେଶରେ ତାପମାତ୍ରା ସମ୍ବେଦନଶୀଳ ଟିକା ବିତରଣକୁ ପରିଚାଳନା କରିବା ଲାଗି ପ୍ରସ୍ତୁତ ହେଉଛି ଭାରତୀୟ ବିମାନବନ୍ଦର ଏବଂ ବିମାନ ସେବା। ତାପମାତ୍ରା ସମ୍ବେଦନଶୀଳ ବଣ୍ଟନ ବ୍ୟବସ୍ଥା ଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଜିଏମଆର ହାଇଦ୍ରାବାଦ ବିମାନବନ୍ଦରର କାର୍ଗୋବିମାନ କୋଭିଡ-୧୯ର ଟିକା ବିତରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। କୋଭିଡ୍ ଟିକା ନିର୍ଦ୍ଦିଷ୍ଟ ତାପମାତ୍ରାରେ ରହିବା ଆବଶ୍ୟକ ହୋଇଥିବାରୁ ଏହାର ପରିବହନ ଲାଗି ଶୀତଳଭଣ୍ଡାର ଭଳି ସୁବିଧା ଦେଇପାରୁଥିବା କଣ୍ଟେନର ଆବଶ୍ୟକ ହୋଇଥାଏ।
ବିଶ୍ବସ୍ତରୀୟ ଭିତ୍ତିଭୂମି ସହିତ ଦିଲ୍ଲୀ ବିମାନବନ୍ଦରରେ ଦୁଇଟି କାର୍ଗୋ ଟର୍ମିନାଲ୍ ରହିଛି, ଯାହା ତାପମାତ୍ରା ସମ୍ବେଦନଶୀଳ କାର୍ଗୋ ବିମାନ ପରିଚାଳନା ପାଇଁ ଜିଡିପି (ଉତ୍ତମ ବଣ୍ଟନ ପ୍ରକ୍ରିୟା)- ତାପମାତ୍ରା ନିୟନ୍ତ୍ରିତ ଭଣ୍ଡାର ସୁବିଧା ଯୋଗାଇଥାଏ। ଏହା ସହ ଦିଲ୍ଲୀରେ ଅତ୍ୟାଧୁନିକ ତାପମାତ୍ରା ନିୟନ୍ତ୍ରିତ ଜୋନ୍ ସହ +୨୫ ରୁ -୨୦ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପୃଥକ ଶୀତଳ ଭଣ୍ଡାର ରହିଛି, ଯାହା କୋଭିଡ-୧୯ ଟିକା ବଣ୍ଟନ ପାଇଁ ଅତ୍ୟନ୍ତ ଅନୁକୂଳ ହେବ ବୋଲି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ମୁଖପାତ୍ର କହିଛନ୍ତି।

ଟର୍ମିନାଲ୍ ଗୁଡିକରେ ବିମାନ ବନ୍ଦର ଭିତରକୁ ଆସୁଥିବା ଏବଂ ବାହାରକୁ ଟିକା ନେଇ ଯାଉଥିବା ଯାନଗୁଡିକର ଦ୍ରୁତ ପରିବହନ ପାଇଁ ଉତ୍ସର୍ଗୀକୃତ ପୃଥକ ଫାଟକ ରହିଛି। ଉପଲବ୍ଧ ହେବା ପରେ ଟିକାର ତ୍ବରିତ ଓ ଦକ୍ଷ ପରିବହନ ଏବଂ ବିତରଣ ଉପରେ ଗୁରୁତ୍ୱ ଦିଆଯାଇଛି | ଏହା ସହ ଟିକା ବିତରଣ ପାଇଁ ଶୀତଳଭଣ୍ଡାର ଥିବା ଗାଡ଼ିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଦିଲ୍ଲୀ ସହ ଜିଏମଆର ହାଇଦ୍ରାବାଦ ବିମାନବନ୍ଦରରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଥିବା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ମୁଖପାତ୍ର କହିଛନ୍ତି। ଟିକା ଉପଲବ୍ଧ ହେବା ମାତ୍ରେ ଏହି ଦୁଇଟି ବିମାନ ବନ୍ଦର ଟିକାକୁ ସଂରକ୍ଷିତ କରି ରଖିବା ସହ ବିତରଣ କରିବାରେ ସାହାଯ୍ୟ କରିବେ।