ଡୋଙ୍ଘାଇ: ଏସୀୟ ଚାମ୍ପିଅନ୍ସିପ୍ ଲାଗି ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳର ଜଣେ ଖେଳାଳି କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ ବୁଧବାର ଖେଳାଯିବାକୁ ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ୍କୁ ବାତିଲ କରିଦିଆଯାଇଛି। କୋଭିଡ ପଜିଟିଭ୍ ଥିବା ଖେଳାଳିଙ୍କ ନାମ ପ୍ରକାଶ କରାଯାଇନି।
ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡକୁ ୧୩-୦ ଗୋଲ୍ରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ହେଲେ ମଙ୍ଗଳବାର ମାଲେସିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍ କୋଭିଡ କାରଣରୁ ବାତିଲ ହୋଇଥିଲା। ଦକ୍ଷିଣ କୋରିଆ ଗସ୍ତ ପୂର୍ବରୁ ମାଲେସିଆର ଜଣେ ଖେଳାଳି ପଜିଟିଭ୍ ବାହାରିବାରୁ ପ୍ରତିଯୋଗିତାର ପ୍ରଥମ ଦୁଇ ଦିନ ମାଲେସିଆ ଅନୁପସ୍ଥିତ ରହିବାକୁ ବାଧ୍ୟ ହୋଇଥିଲା। ଫଇଜା ସଫିକ୍ ଖଲିମ ନାମକ ଖେଳାଳିର ରିପୋର୍ଟ ପଜିଟିଭ୍ ଆସିବାରୁ ମାଲେସିଆର ସମସ୍ତ ଖେଳାଳି ସଂଗରୋଧରେ ରହିଥିଲେ।
ମାଲେସିଆ ଭଳି ଭାରତୀୟ ଖେଳାଳି ମଧ୍ୟ ସଂଗରୋଧରେ ରହିବାର ସମ୍ଭାବନା ରହିଛି। ‘‘ସବୁଦିନ ଭଳି ଗତ କାଲି ମଧ୍ୟ ଖେଳାଳିଙ୍କ କରୋନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଆଜିର ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ୍ ଖେଳାଯିବନି’’ ବୋଲି ଘୋଷଣା କରାଯାଇଥିବା ହକି ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ‘‘ହଁ, ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ୍ ରହିଛି। ତେଣୁ କୋରିଆ ବିପକ୍ଷ ଆଜିର ମ୍ୟାଚ୍ ବାତିଲ କରାଯାଇଛି। ଅଧିକ ତଥ୍ୟ ଏସୀୟ ହକି ମହାସଂଘ (ଏଏଚ୍ଏଫ୍) ଆଗାମୀ ସମୟରେ ଜଣାଇ ଦେବ’’ ବୋଲି ଏଏଚ୍ଏଫ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।