ନୂଆଦିଲ୍ଲୀ: ସାମାଜିକ ସଂଗଠନ 'ପ୍ରଥମ'କୁ ମିଳିଲା ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର । ଭାରତ ତଥା ସମଗ୍ର ବିଶ୍ୱରେ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ନେଇ ସାମାଜିକ ସଂଗଠନ 'ପ୍ରଥମ' କାମ କରେ। ବର୍ଷ ବର୍ଷ ଧରି ଏକାଧିକ ପିଲାଙ୍କ ଭବିଷ୍ୟତ ଉଜ୍ବଳ କରିଥିବା ଏହି ସଂଗଠନକୁ ଆଜି ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାରରେ ପୁରସ୍କୃତ କରାଯାଇଛି।
ବର୍ଷ ବର୍ଷ ଧରି ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ନେଇ ସୁନିଶ୍ଚିତ କରିବା , ଡିଜିଟାଲ୍ ଟେକ୍ନୋଲୋଜିର ଅଭିନବ ଉପଯୋଗ ପାଇଁ ଯୁବପିଢ଼ିମାନଙ୍କୁ କୌଶଳ ଶିଖାଉଥିବାରୁ ସଂଗଠନକୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି।
ସୂଚନା ମୁତାବକ, ଏହି ସଂଗଠନ ୧୯୯୫ରେ ଡ. ମାଧବ ଚଭନ୍ ଏବଂ ଫରିଦା ଲାମବେଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ପ୍ରଥମେ ମୁମ୍ବାଇର ବସ୍ତି ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲା ଏହି ସଂଗଠନ। ପରେ ପରେ ସ୍କୁଲ ଯାଇପାରୁନଥିବା ଏବଂ ଅଧାରୁ ପାଠ ପଢ଼ା ଛାଡ଼ୁଥିବା ପିଲାଙ୍କୁ ନେଇ ପାଠ ପଢ଼ାଇବା ଆରମ୍ଭ କରିଥିଲା 'ପ୍ରଥମ'। ଏବେ ଏହି ସଂଗଠନ ମାଧ୍ୟମରେ ଲକ୍ଷ ଲକ୍ଷ ପିଲା ଉପକୃତ ହେଉଥିବା ଜଣାପଡ଼ିଛି।