କଟକ: କଟକସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ୫୬ଟି ନୂଆ ଗାଡ଼ି ଓଡ୍ରାଫ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି। ଏହି ଗାଡ଼ି ଦ୍ୱାରା ଜରୁରିକାଳୀନ ପରିସ୍ଥିତି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଜନତା ଉପଯୁକ୍ତ ସେବା ପାଇ ପାରିବେ। ଏହି ଗାଡ଼ିକୁ ଭାରପ୍ରାପ୍ତ ପୁଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ମନୁଷ୍ୟକୃତ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ୍ରାଫର ଭୂମିକା ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହି ଆସିଛି। ବିଗତ ୨୪ ବର୍ଷ ମଧ୍ୟରେ ଓଡ୍ରାଫ ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିଆସିଛି। ବାହାନଗା ରେଳ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଜରୁରିକାଳୀନ ପରିସ୍ଥିତି ସମୟରେ ଧନ ଜୀବନ ସୁରକ୍ଷା ଯୋଗାଇ ଦେବାରେ ଓଡ୍ରାଫ ନିରନ୍ତର ସେବା ଯୋଗାଇ ଆସିଛି । ଆଗାମୀ ଦିନରେ ଅତ୍ୟାଧୁନିକ ଉପକରଣ, ପରିବହନ ଏବଂ ମାନବ ସମ୍ବଳ ଯୋଗାଇ ଓଡ୍ରାଫକୁ ଆହୁରି ଶକ୍ତିଶାଳି କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ଓଡ୍ରାଫର ଦାୟିତ୍ୱରେ ଥିବା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ବିଗତ ଦିନରେ ଓଡ୍ରାଫ ଦ୍ୱାରା କରାଯାଇଥିବା ବିଭିନ୍ନ ଅପରେସନ ସମ୍ପର୍କରେ ସୂଚନା ଦେଇଥିଲେ। ବାହାନଗା ରେଳ ଦୁର୍ଘଟଣା, ସମ୍ବଲପୁର ବୋରୱେଲରୁ ନବଜାତ ଶିଶୁକୁ ଉଦ୍ଧାର ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ୍ରାଫର କାର୍ଯ୍ୟାବଳୀ ସମ୍ପର୍କରେ ସେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଆର.ପି କୋଚେଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ୫୬ଟି ନୂଆ ଗାଡ଼ି ମଧ୍ୟରେ ୨୦ଟି ବୋଲେରୋ, ୨୦ଟି ବସ, ୧୫ଟି ଟ୍ରାକ୍ଟର ଏବଂ ଗୋଟିଏ କାମ୍ପର ଗାଡି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/sfhfftt.jpg)