ଅନ୍ତଃରାଜ୍ୟ ମୂର୍ତ୍ତି ଚୋର ସନ୍ତୋଷକୁ ୧୦ ବର୍ଷ ଜେଲ୍, ମାଙ୍ଗାଲୋର ଜୈନ ମନ୍ଦିରରୁ ମୂର୍ତ୍ତି ଚୋରି କରିଥିଲା

ଭୁବନେଶ୍ବରରୁ ଜବତ ହୋଇଥିଲା ଚୋରି ସାମଗ୍ରୀ, କେଜିଏ ସୁନା, ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରୁ ବି ଚୋରି କରିଥିଲା ମୂର୍ତ୍ତି

ଭୁବନେଶ୍ବର: କୁଖ୍ୟାତ ଅନ୍ତଃରାଜ୍ୟ ମନ୍ଦିର ମୂର୍ତ୍ତି ଚୋର ନୟାଗଡ଼ର ସନ୍ତୋଷ ଦାସ ଓରଫ୍ ପ୍ରେମକୁମାରକୁ ତାମିଲନାଡ଼ୁ ସାଲେମର ଏକ କୋର୍ଟ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ମୂର୍ତ୍ତି ଚୋରି କରିଥିବା ସନ୍ତୋଷ ଶେଷରେ ମାଙ୍ଗାଲୋର ଜୈନ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲାରେ ଧରାପଡ଼ିବା ପରେ ଗତକାଲି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି।

ମାଙ୍ଗାଲୋରଠାରୁ ୪୦ କିଲୋମିଟର ଦୂରରେ ଥିବା ମୁଦବିଦ୍ରି ଜୈନ ମନ୍ଦିରରୁ ୨୦୧୩ରେ ସନ୍ତୋଷ ପୁରାତନ ମୂର୍ତ୍ତି ଚୋରି କରିଥିଲା। ଏହି ଘଟଣା ସେତେବେଳେ ମାଙ୍ଗାଲୋରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏପରିକି ଏ ନେଇ ଜୈନ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁମାନେ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲେ। ସିସିଟିଭି ଫୁଟେଜ୍‌ରେ ସନ୍ତୋଷର ଚିତ୍ର ଆସିବା ପରେ ସେ ଓଡ଼ିଶାର ବୋଲି ଜଣାପଡ଼ିଥିଲା। ସନ୍ତୋଷ ଚୋରି କରିବା ପରେ ଛତିଶଗଡ଼ ଆସୁଥିବା ଜାଣି ମାଙ୍ଗଲୋର ପୁଲିସ୍‌ ଛତିଶଗଡ଼ ପୁଲିସକୁ ଖବର ଦେଇଥିଲା। ସେ ଟ୍ରେନ୍‌ରେ ଆସୁଥିବା ଜଣାପଡ଼ିବା ପରେ ଯାଞ୍ଚ ଆରମ୍ଭ କରିଥିଲା ପୁଲିସ। ତେବେ ଟ୍ରେନ୍‌ରୁ ଡେଇଁ ଫେରାର୍‌ ହୋଇଯାଇଥିଲା ସନ୍ତୋଷ। ଏହି ଘଟଣାକୁ ନେଇ ମାଙ୍ଗାଲୋରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ମାଙ୍ଗାଲୋର ପୁଲିସ କମିସନର ଭୁବନେଶ୍ବର ଆସିବା ସହ ତତ୍କାଳୀନ ଦ୍ବୈତନଗରୀ ପୁଲିସ କମିସନର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ଡିସିପି ନୀତିନଜିତ ସିଂଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ତତ୍କାଳୀନ ସ୍ପେସାଲ ସ୍କ୍ବାଡ୍ ଇନ୍ସପେକ୍ଟର ଆଲୋକ ଜେନାଙ୍କୁ ତଦନ୍ତଭାର ଦିଆ ଯାଇଥିଲା।

ପୁଲିସ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସନ୍ତୋଷର ଶ୍ବଶୁର ଘର ଉପରେ ଚଢ଼ଉ କରି ସେଠାରୁ ପ୍ରାୟ ୧ କେଜି ସୁନା, ଚୋରି ହୋଇଥିବା ଜୈନ ମୂର୍ତ୍ତି, ବିପୁଳ ଏଟିଏମ୍ କାର୍ଡ ଜବତ କରିଥିଲା। ପତ୍ନୀ ଓ ଶ୍ବଶୁରକୁ ଗିରଫ କରାଯାଇଥିଲେ ମଧ୍ୟ ସନ୍ତୋଷର ପତ୍ତା ମିଳି ନ ଥିଲା। ସନ୍ତୋଷ କଟକରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ତେବେ ତାକୁ ଧରିବା ଲାଗି ବସ୍‌ ଯାଞ୍ଚ ହେଉଥିବା ଜାଣିପାରି ସେ ଏକ ବାଇକ୍‌ରେ ସାତପଡ଼ା ପଳାଇଥିଲା। ସେଠାରୁ ଭସାପୋଲ(ଭେସେଲ)ରେ ଜହ୍ନିକୁଦ ଚାଲି ଯାଇଥିଲା ଏବଂ ଜହ୍ନିକୁଦରୁ ବସ୍‌ ଯୋଗେ ଆନ୍ଧ୍ରପ୍ରଦେଶ ପଳାଇଥିଲା। ସନ୍ତୋଷର ଫୋନ୍ ଟ୍ରାକ୍ କରୁଥିବା ଇନ୍ସପେକ୍ଟର ଆଲୋକ ଜେନା ଏ ସଂକ୍ରାନ୍ତରେ ତୁରନ୍ତ ମାଙ୍ଗାଲୋର ପୁଲିସ କମିସନରଙ୍କୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ମାଙ୍ଗାଲୋର ପୁଲିସ ଆନ୍ଧ୍ରପ୍ରଦେଶ ପୁଲିସ ସହ ମିଶି ସନ୍ତୋଷ ଯାଉଥିବା ବସ୍‌କୁ ଅଟକାଇଥିଲେ। ଦୀର୍ଘଦିନର ଲୁଚକାଳି ଖେଳ ପରେ ସନ୍ତୋଷ ଗିରଫ ହୋଇଥିଲା। ସନ୍ତୋଷକୁ ଗିରଫ କରିବା ପାଇଁ ଟୁଇନ୍‌ ସିଟି କମିସନରେଟ ପୁଲିସ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମାଙ୍ଗାଲୋର ପୁଲିସ ନିୟୋଜିତ ହୋଇଥିଲେ।

ସନ୍ତୋଷର ଅପରାଧ ଇତିହାସ ବେଶ୍ ଲମ୍ବା। ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରୁ ମୂର୍ତ୍ତି ଚୋରି କରି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୦୧ ମସିହାରେ ଏହି ଦୁଇଟି ମନ୍ଦିରରୁ ମଦନମୋହନ ମୂର୍ତ୍ତି ଚୋରି କରିଥିଲା ସେ। ତାକୁ ଧରିବା ପାଇଁ ସେତେବେଳେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ତତ୍କାଳୀନ ଖୋର୍ଦ୍ଧା ଏସ୍‌ପି ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଗଠିତ ହୋଇଥିବା ସ୍ବତନ୍ତ୍ର ଟିମ୍ ସନ୍ତୋଷକୁ ଧରିବାରେ ସକ୍ଷମ ହୋଇଥିଲା। ଏହି ଚୋରି ମାମଲାରେ ସନ୍ତୋଷକୁ ଜେଲ୍ ଦଣ୍ଡାଦେଶ ମଧ୍ୟ ହୋଇଥିଲା। ତେବେ ୨୦୦୪ରେ ଝାରପଡ଼ା ଜେଲରୁ ମୁକୁଳିବା ପରେ ପୁଣି ଥରେ ସେ ମୂର୍ତ୍ତି ଚୋରି ଆରମ୍ଭ କରି ଦେଇଥିଲା।

ସମ୍ବନ୍ଧିତ ଖବର