ଅଡିଟ କମିଟି ତଦନ୍ତ କରିବ, ସେୟାର ଦାମ୍ କମିଲା
ନୂଆଦିଲ୍ଲୀ: ଦେଶର ଆଗ ଧାଡ଼ିର ଆଇଟି କଂପାନି ଇନ୍ଫୋସିସ୍ ପୁଣି ଥରେ ବିବାଦ ମଧ୍ୟରେ ଫସିଯାଇଛି। କଂପାନିର ସିଇଓ ଏବଂ ସିଏଫ୍ଓଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। କଂପାନି ତରଫରୁ ଅଭିଯୋଗର ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ଅଧ୍ୟକ୍ଷ ନନ୍ଦନ ନିଲେକାନି ସୂଚନା ଦେଇଛନ୍ତି। ତଦନ୍ତରେ ଯେଭଳି କୌଣସି ବାଧା ସୃଷ୍ଟି ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ସିଇଓ ସଲିଲ୍ ପାରେଖ ଓ ସିଏଫ୍ଓ ନିଲଞ୍ଜନା ରାୟଙ୍କ ଠାରୁ ଦାୟିତ୍ବ ପ୍ରତ୍ୟାହାର କରାଯାଇଛି।
ଏହି ଘଟଣାର ପ୍ରଚାର ହେବା ପରେ ଷ୍ଟକ ବଜାର ଇନ୍ଫୋସିସ୍ର ନିବେଶକମାନଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। କଂପାନିର ସେୟାର ଦାମ୍ ଆଜି ୧୭% କମିଯାଇଛି। ଫଳରେ ଇନ୍ଫୋସିସ୍ର ନିବେଶକମାନଙ୍କର ୫୩ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ପୁଞ୍ଜି ବଜାରରେ ଗତକାଲି ଇନ୍ଫୋସିସ୍ର ବଜାର ମୂଲ୍ୟ (ମାର୍କେଟ କ୍ୟାପିଟାଲାଇଜେସନ୍) ୨ ଲକ୍ଷ ୭୪ ହଜାର କୋଟି ଟଙ୍କା ଥିଲା। ଆଜି ତାହା ୨ ଲକ୍ଷ ୨୭ ହଜାର କୋଟି ଟଙ୍କାକୁ ଖସିଯାଇଛି। ନିବେଶକମାନେ ନିଜ ପାଖରେ ଥିବା ଇନ୍ଫୋସିସ୍ର ସେୟାର କମ୍ ଦାମରେ ବିକ୍ରି କରିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥି ସହିତ ଇନ୍ଫୋସିସ୍ ସେୟାରର ମୂଲ୍ୟ ବିଗତ ୬ ବର୍ଷ ଭିତରେ ଏହାର ସର୍ବନିମ୍ନ ସ୍ତରକୁ ଖସିଯାଇଛି।
ସିଇଓ ଓ ସିଏଫ୍ଓଙ୍କ ବିରୋଧରେ ଅଭିଯୋଗ ଗତ ସେପ୍ଟେମ୍ବର ମାସରେ ଆସିଥିଲା। ‘ଏଥିକାଲ୍ ଏମ୍ପ୍ଲଇଜ୍’ ନାମକ ଏକ କର୍ମଚାରୀ ଦଳ ତରଫରୁ ଏହି ଅଭିଯୋଗ କରାଯାଇଥିଲା। ଏବେ ତାହାର ତଦନ୍ତ ଦାୟିତ୍ବ କଂପାନିର ଅଡିଟ୍ କମିଟିକୁ ପ୍ରଦାନ କରାଯାଇଛି। ଇନ୍ଫୋସିସ୍ର ସିଇଓ ଏବଂ ସିଏଫ୍ଓଙ୍କ ନାମରେ ଦୁଇଟି ଅଭିଯୋଗ ଆସିଛି। ସିଇଓଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଓ ମୁମ୍ବାଇ ଗସ୍ତକୁ ନେଇ ଏକ ଅଭିଯୋଗ ଆସିଛି। ଏହି ଅଭିଯୋଗର ସ୍ବାଧୀନ ତଦନ୍ତ କରିବା ଲାଗି କଂପାନିର ଅଡିଟ୍ କମିଟି ଆଇନ ସଂସ୍ଥା ସର୍ଦୁଲ ଅମରଚାନ୍ଦ ମଙ୍ଗଳଦାସକୁ ଦାୟିତ୍ବ ପ୍ରଦାନ କରିଛି। ତଦନ୍ତର ରିପୋର୍ଟ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ନିଲେକାନି ଆଜି ପ୍ରତିଶ୍ରୁତି ଦେଇଛନ୍ତି। ବିବାଦ ଇନ୍ଫୋସିସ୍ ପାଇଁ ନୂଆ ନୁହେଁ। ଦୁଇ ବର୍ଷ ତଳେ ଏହାର ଅନ୍ୟତମ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି ଓ ସେହି ସମୟରେ କଂପାନିର ସିଇଓ ଭାବେ କାର୍ଯ୍ୟ କରୁଥିବା ବିଶାଳ ସିକ୍କାଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲେ। ଇନ୍ଫୋସିସ୍ରେ କର୍ପୋରେଟ୍ ପ୍ରଶାସନ ନିୟମର ଉଲ୍ଲଂଘନ ହେଉଛି ବୋଲି ନାରାୟଣମୂର୍ତ୍ତି ଅଭିଯୋଗ କରିଥିଲେ। ସେହି ସମୟରେ ସିକ୍କାଙ୍କୁ ନେଇ କଂପାନିର ପରିଚାଳନା କର୍ତ୍ତୃପକ୍ଷ ବା ବୋର୍ଡ ଏବଂ ନାରାୟଣମୂର୍ତ୍ତିଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ସିକ୍କାଙ୍କୁ ସିଇଓ ପଦ ହରାଇବାକୁ ପଡ଼ିଥିଲା।
ବିବାଦର କାରଣ
ଏଥିକାଲ୍ ଏମ୍ପ୍ଲଇଜ୍ ନାମକ କର୍ମଚାରୀଙ୍କ ଏକ ଗୋଷ୍ଠୀ ତରଫରୁ ଇନ୍ଫୋସିସ୍ର ସିଇଓ ଓ ସିଏଫ୍ଓଙ୍କୁ ନେଇ ଗୁରୁତର ଅଭିଯୋଗ କରାଯାଇଛି। ଏହି ଦୁଇ ଅଧିକାରୀ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ସୂଚନା କଂପାନିର ବୋର୍ଡ ଏବଂ ଅଡିଟର୍ଙ୍କୁ ଦେଉନଥିଲ। କଂପାନିର ଅସଲ ସ୍ଥିତି ଲୁଚାଇବାକୁ ପ୍ରୟାସ କରୁଥିଲେ। ସିଇଓ ଏବଂ ସିଏଫ୍ଓ ଆଦାନପ୍ରଦାନ କରିଥିବା ଅନେକ ଇ-ମେଲ୍ ଏବଂ ସେମାନଙ୍କ କଥାବାର୍ତାର ଭଏସ୍ ରେକର୍ଡିଂକୁ ‘ଏଥିକାଲ୍ ଏମ୍ପ୍ଲଇଜ୍’ ତରଫରୁ ପ୍ରମାଣ ସ୍ବରୂପ ଇନ୍ଫୋସିସ୍ ବୋର୍ଡ ପାଖକୁ ପଠାଯାଇଛି। ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଦଳ ଦାବି କରିଛନ୍ତି। କଂପାନିର ଲାଭ ଏବଂ ସେୟାର ମୂଲ୍ୟକୁ ପ୍ରଭାବିତ କରିବାର ଆଶଙ୍କା ଥିବା ତଥ୍ୟଗୁଡ଼ିକୁ ସିଇଓ ଓ ସିଏଫ୍ଓ ଲୁଚାଉଥିଲେ। ବୋର୍ଡ ଓ ଅଡିଟରଙ୍କ ବିନା ଅନୁମତିରେ କଂପାନିର ସିଏଫ୍ଓ ନିଲଞ୍ଜନା ରାୟ ‘ପୁଞ୍ଜିନିବେଶ ନୀତି ଓ ଆକାଉଣ୍ଟିଂ’କୁ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ସିିଇଓଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ବୋର୍ଡରେ ଥିବା ଦକ୍ଷିଣ ଭାରତର ଦୁଇ ଜଣ ସଦସ୍ୟଙ୍କୁ ସେ ‘ମାଡ୍ରାସି’ କହୁଥିଲେ। ଦକ୍ଷିଣ ଭାରତର ଲୋକଙ୍କୁ ଉପହାସ କରିବା ଲାଗି ସେମାନଙ୍କୁ ମାଡ୍ରାସି କୁହାଯାଇଥାଏ। ସେହିପରି ଅନ୍ୟ ଜଣେ ସଦସ୍ୟାଙ୍କୁ ସେ ‘ଡିଭା’ କହୁଥିଲେ।