କିଟ୍‌ରେ ଆଇପିଏଲ୍‌ ପ୍ରଶଂସକ ଉଦ୍ୟାନମଉଜ ସହିତ ଆଜି ବଡ଼ ପରଦାରେ ଫଟାଫଟ୍‌ କ୍ରିକେଟ୍‌ର ମଜା

ରହିଛି ଲକି ବିଜେତା ହେବାର ମଉକା

ଚନ୍ଦ୍ରଶେଖରପୁର: ମୁମ୍ବାଇ ଯାଇ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ହେବାକୁ ଥିବା ପ୍ରଥମ ପ୍ଲେଅଫ୍‌ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳୁନାହିଁ ତ’? ସେଥିପାଇଁ ଚିନ୍ତା କରନ୍ତୁ ନାହିଁ। କିଟ୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ୍‍ରେ ବିସିସିଆଇ ପକ୍ଷରୁ ମଙ୍ଗଳବାର ହେବାକୁ ଥିବା ଆଇପିଏଲ୍‌ ପ୍ରଶଂସକ ଉଦ୍ୟାନ ଆପଣଙ୍କୁ ଆଣିଦେବ ଫଟାଫଟ୍‌ କ୍ରିକେଟ୍‌ ଦେଖିବାର ମଜା। ନିଜର ପ୍ରିୟ ଖେଳାଳିଙ୍କୁ ବଡ଼ ପରଦାରେ ଦେଖିବାର ସୁଯୋଗ। ଆଖି ଝଲସା ବଡ଼ ଏଲ୍‌ଇଡ଼ି ପରଦା ସାଙ୍ଗକୁ ନାଚ ଗୀତର ମଉଜ। ଏହା ସହିତ ରହିଛି ବିଭିନ୍ନ ପୁରସ୍କାର ଜିଣି ଲକି ବିଜେତା ହେବାର ମଉକା। ଚେନ୍ନାଇ ଓ ହାଇଦ୍ରାବାଦ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ କିଟ୍‌ ଷ୍ଟାଡିୟମ୍‌ରେ। ଏଥିନେଇ କୌଣସି ପ୍ରବେଶିକା ଫି ରହିବ ନାହିଁ। ଦେଶର ୧୯ଟି ରାଜ୍ୟର ୩୬ ସହରରେ ଏକାଦଶ ଆଇପିଏଲ୍‌ ମ୍ୟାଚ୍‌ର ସିଧା ପ୍ରସାରଣ ନିମନ୍ତେ ବିସିସିଆଇ ପକ୍ଷରୁ ଏହି ପ୍ରଶଂସକ ଉଦ୍ୟାନର ବ୍ୟବସ୍ଥା କରାଯାଇଛି। ଆଇପିଏଲ୍‌ ପ୍ରଶଂସକ ଉଦ୍ୟାନ ମଙ୍ଗଳବାର ଭାରତର ଦୁଇଟି ସହରରେ ଅନୁଷ୍ଠିତ ହେବ।

ସେଥିମଧ୍ୟରୁ ଭୁବନେଶ୍ୱର ଅନ୍ୟତମ। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିସିସିଆଇ ଅଧିକାରୀ ସୁମିତ ମାଲ୍ଲପୁରାକର୍‌। ବିସିସିଆଇ ପକ୍ଷରୁ ଏନେଇ ସମସ୍ତ ସୁବିଧା ଯୋଗାଇଦେଇଥିବା ବେଳେ କିଟ୍‌ ପକ୍ଷରୁ ଷ୍ଟାଡ଼ିଅମ୍‌ ଯୋଗାଇଦିଆଯାଇଛି। ପୂର୍ବବର୍ଷ ମଧ୍ୟ ଏଠାରେ ଆଇପିଏଲ୍‌ ପ୍ରଶଂସକ ଉଦ୍ୟାନ ଅନୁଷ୍ଠିତ ହୋଇଥିଲା ଯାହାକି ବେଶ୍‌ ଆଦୃତ ହୋଇଥିଲା। ତେଣୁ ପୁଣିଥରେ ପ୍ରଶଂସକ ଉଦ୍ୟାନ ପାଇଁ କିଟ୍‌କୁ ବିସିସିଆଇ ମନୋନୀତ କରିଥିବା ସେ ପ୍ରକାଶ କରିଥିଲେ। ବିଭିନ୍ନ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ସହିତ ନାନା ଖାଦ୍ୟ ଓ ପାନୀୟ ଆଇପିଏଲ୍‌ ମ୍ୟାଚ୍‌କୁ ଆକର୍ଷଣୀୟ କରିବା ନେଇ ଆୟୋଜକମାନେ ପ୍ରକାଶ କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଓସିଏ ଉପସଭାପତି ନବ ରଞ୍ଜନ ପଟ୍ଟନାୟକ, କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଆଇପିଏଲ୍‌ ପ୍ରଶଂସକ ଉଦ୍ୟାନକୁ ନେଇ ମତ ରଖିଥିଲେ। ରାଜଧାନୀର ଯୁବବର୍ଗଙ୍କ ନିକଟରେ ଏହା ବେଶ୍‌ ଆଦୃତ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର