ଭାରତ ସହଯୋଗରେ ଇରାନରେ ଆରବ ସାଗରକୂଳରେ ନିର୍ମିତ ଚାବାହାର ବନ୍ଦରର ସଂପ୍ରସାରିତ ପ୍ରକଳ୍ପ ଆଜି ଉଦଘାଟିତ ହୋଇଛି । ଏହାକୁ ଇରାନର ରାଷ୍ଟ୍ରପତି ହାସାନ ରୌହାନୀ ଉଦଘାଟନ କରିଥିଲେ । ଏହି ଉଦଘାଟନର ଠିକ ଗୋଟିଏ ଦିନ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କୌଣସି ପୂର୍ବକାର୍ଯ୍ୟସୂଚୀ ବିନା ତେହେରାନରେ ପହଞ୍ଚି ସେଠାକାର ନେତୃବୃନ୍ଦଙ୍କୁ ଭେଟିଥିଲେ । ଏହି ଘଟଣା ଏହି ବନ୍ଦରର ସାମରିକ ଗୁରୁତ୍ୱକୁ ପ୍ରମାଣିତ କରୁଛି ।
ସାମରିକ ଦୃଷ୍ଟିକୋଣରୁ ଏହି ବନ୍ଦରଟି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଇରାନର ଶତ୍ରୁ ଆମେରିକା କହିଛି ଯେ ଯଦି କେବେ ଇରାନ ଉପରେ ଆର୍ଥିକ କଟକଣା ଲଗାଯାଏ ଏହି ବନ୍ଦରକୁ ସେଥିରୁ ମୁକ୍ତ ରଖାଯିବ । ଏହାର କାରଣ ହେଉଛି ଏହି ବନ୍ଦରଟି ପାକିସ୍ତାନରେ ଚୀନ ଦ୍ୱାରା ନିର୍ମାଣାଧୀନ ଗ୍ଵାଦାର ବନ୍ଦରଠାରୁ ଅଳ୍ପ ଦୂରରେ ଅବସ୍ଥିତ । ଏହି ବନ୍ଦର ଦେଇ ଆଫଗାନିସ୍ତାନ ସମେତ ସମଗ୍ର ମଧ୍ୟ ଏସିଆକୁ ଭାରତର ବାଟ ଫିଟିଯିବ । ଗତ ସପ୍ତାହରେ ଭାରତ ଏହି ବନ୍ଦର ବାଟ ଦେଇ ଆଫଗାନିସ୍ତାନକୁ ଗହମ ପଠାଇଥିଲା ।
ଚୀନ ପାକିସ୍ତାନ ସହ ମିଶି ଭାରତକୁ ଘେରିବା ପାଇଁ ଉଦ୍ୟମ କରୁଥିବାରୁ ଭାରତ ୨୦୦୩ରେ ଏହି ବନ୍ଦରର ବିକାଶ ଲାଗି ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିଥିଲା । ଏହା ପରେ ଗତ ୨୦୧୫ରେ ମୋଦିଙ୍କ ଇରାନ ଗସ୍ତ କାଳରେ ଏହାକୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପାକିସ୍ତାନର ଗ୍ଵାଦର ବନ୍ଦରରେ ଚୀନ ନୌସେନାର ଉପସ୍ଥିତି ବଢୁଥିବାରୁ ଇରାନର ଚାବାହାର ବନ୍ଦର ମାଧ୍ୟମରେ ଭାରତର ନୌସେନା ପାକିସ୍ତାନ ଓ ଚୀନର ଓ୍ଵାନ ବେଲ୍ଟ ଓ୍ଵାନ ରୋଡ୍ ପ୍ରକଳ୍ପ ଉପରେ ନଜର ରଖିପାରିବ । ଏଣୁ ଏହି ବନ୍ଦରକୁ ଠିକ ସମୟରେ କାର୍ଯ୍ୟକ୍ଷମ କରି ଭାରତ ଚୀନ ପୂର୍ବରୁ ହିଁ ମଧ୍ୟ ଏସିଆ ପାଇଁ ଏକ ବିକଳ୍ପ ବାଟ ଖୋଲି ଦେଇଛି । ଏବେ ଆଫଗାନିସ୍ତାନ ଓ ଅନ୍ୟ ଦେଶମାନଙ୍କୁ ସାମୁଦ୍ରିକ ପ୍ରବେଶ ପଥ ପାଇଁ ପାକିସ୍ତାନର ମର୍ଜି ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଆମେରିକାକୁ ମଧ୍ୟ ଆଫଗାନରେ ଥିବା ନିଜ ସୈନ୍ୟମାନଙ୍କ ପାଇଁ ଜରୁରୀ ସାମଗ୍ରୀ ପ୍ରେରଣ ପାଇଁ ପାକିସ୍ତାନ ଉପରେ ସଂପୂର୍ଣ୍ଣ ନିର୍ଭର କରିବାକୁ ପଡିବ ନାହିଁ । ଭାରତର ଏହି ବିଚକ୍ଷଣ ଗୋଟି ଚାଳନାରେ ଖୋଦ ଚୀନ ବିଚଳିତ ହୋଇଯାଇଥିବା କୁହାଯାଉଛି ।
ଏହି ପ୍ରକଳ୍ପକୁ ଇରାନରେ ସରକାରୀ ନିର୍ମାଣ କାର୍ଯ୍ୟ କରୁଥିବା ଖଟମ ଅଲ-ଅନବା କମ୍ପାନି ପକ୍ଷରୁ ନିର୍ମାଣ କରାଯାଇଛି । ଏଥିରେ ଭାରତର କେତେକ ରାଷ୍ଟ୍ରାୟତ କମ୍ପାନି ସହାୟତା କରିଥିଲେ । ଏହି ବନ୍ଦର ପ୍ରକଳ୍ପ ଓ ତତସଂପର୍କିତ ସଡ଼କ ଓ ରେଳ ପ୍ରକଳ୍ପପାଇଁ ଗତ ବର୍ଷ ଭାରତ ପକ୍ଷରୁ ପ୍ରାୟ ୫୦୦ ନିୟୁତ ଡଲାରର ଅନୁଦାନ ଘୋଷଣା କରାଯାଇଥିଲା । ପୂର୍ବରୁ ଏହି ବନ୍ଦରର କ୍ଷମତା ୨.୫ ନିୟୁତ ଟନ ଥିବାବେଳେ ଏବେ ତାହା ୮.୫ ନିୟୁତ ଟନକୁ ବୃଦ୍ଧି ପାଇଛି ।