ଧୋନିଙ୍କ ଅଶାନ୍ତ ରୂପକୁ ମନେ ପକାଇଲେ ଇର୍ଫାନ୍‌: ବ୍ୟାଟ୍‌ ଫିଙ୍ଗିଥିଲେ, ଡ୍ରେସିଂ ରୁମ୍‌କୁ ଦୌଡ଼ିଥିଲେ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ବିଶେଷକରି ଜଣେ ଶାନ୍ତ ସ୍ବଭାବର ବ୍ୟକ୍ତି। ଯେଉଁଥିପାଇଁ ଭାରତୀୟ କ୍ରିକେଟ୍‌ ଦଳର ଏହି ପୂର୍ବତନ ୱିକେଟ୍‌ରକ୍ଷକ/ଅଧିନାୟକଙ୍କୁ ‘କ୍ୟାପ୍‌ଟେନ୍‌ କୁଲ୍‌’ ଭା‌ବେ ସମସ୍ତେ ଜାଣନ୍ତି। ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ମଧ୍ୟ ସେ ପଡ଼ିଆ ଭିତରେ ଅଶାନ୍ତ ହେବା ତଥା ନିଜ ଉପରୁ ନିୟତ୍ରଂଣ ହରାଇବା କ୍ବଚିତ୍‌ ଦେଖାଯାଇଥାଏ। ଏପରିକି ନିଜ ଉପରୁ ନିୟଂତ୍ରଣ ହରାଇବା ତ ଦୂରର କଥା ବିଚଳିତ ନହୋଇ ନିଷ୍ପତ୍ତି ନେଉଥିବାରୁ ତାଙ୍କ ନେତୃତ୍ବରେ ଦଳ ମଧ୍ୟ ବହୁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ ଜିତିପାରିଛି। ହେଲେ ତାଙ୍କ ନେତୃତ୍ବ ସମୟରେ ଧୋନିଙ୍କ ଅଶାନ୍ତ ରୂପ ଦେଖିଥିବା କହିଛନ୍ତି ପୂର୍ବତନ ଅଲ୍‌ରାଉଣ୍ଡର ଇର୍ଫାନ୍‌ ପଠାନ୍‌। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଏକ ଅଭ୍ୟାସ ସେସନ୍‌ରେ ଏଭଳି ଏକ ଘଟଣାର ସ୍ମୃତି ରୋମନ୍ଥନ କରିଛନ୍ତି ଇର୍ଫାନ୍‌। ଷ୍ଟାର୍‌ ସ୍ପୋର୍ଟସ୍‌ର ଏକ ଧାରାବାହିକ ”କ୍ରିକେଟ୍‌ କନେକ୍ଟେଡ୍‌” ସହ ବାର୍ତାଳାପ ଅବସରରେ ଇର୍ଫାନ୍‌ ଏହି ଅଜଣା କଥା ଗପିଛନ୍ତି।

ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଯୋଗୀନ୍ଦର ଶର୍ମାଙ୍କୁ ଶେଷ ଓଭର ବୋଲିଂ ଦେଇଥିଲେ ଧୋନି। ଇର୍ଫାନ୍‌ ନିଜେ ମଧ୍ୟ ସେହି ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସଚିନ୍‌ ତେନ୍ଦୁଲକରଙ୍କ ପ୍ରସ୍ତାବକ୍ରମେ ୨୦୧୧ ଦିନିକିଆ ବିଶ୍ବକପ୍‌ (୫୦ ଓଭରିଆ)ର ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ରେ ବ୍ୟାଟିଂକ୍ରମରେ ନିଜକୁ ଉପରକୁ ପଦୋନ୍ନତି ଦେବା ଏବଂ ୨୦୧୩ ଆଇସିସି ଚାମ୍ପିଅନ୍‌ସ ଟ୍ରଫି ବେଳେ ରୋହିତ ଶର୍ମାଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ଦେବାର ନିଷ୍ପତ୍ତି ନେଇଥିଲେ ‌ସେହି ଧୋନି। ଅବଶ୍ୟ ଧୋନିଙ୍କ ସେଭଳି କିଛି ଅବିଶ୍ବସନୀୟ ତଥା ଆଶ୍ଚାର୍ଯ୍ୟଚକିତ କଲାଭଳି ନିଷ୍ପତ୍ତି ଭାରତକୁ ତିନି ତିନିଟି ଆଇସିସି (ଟ୍ବେଣ୍ଟି-୨୦ ବିଶ୍ବକପ୍‌, ଦିନିକିଆ ବିଶ୍ବକପ୍‌ ଓ ଚାମ୍ପିଅନ୍‌ସ ଟ୍ରଫି) ଟ୍ରଫି ଭେଟିଦେବାରେ ସହାୟକ ହୋଇଛି। ତିନିଟି ଆଇସିସି ଟ୍ରଫି ବ୍ୟତୀତ ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ଭାବେ ଧୋନି ମଧ୍ୟ ତିନିଥର ଆଇପିଏଲ୍‌ ଟ୍ରଫି ଜିତିଛନ୍ତି।

ତାଙ୍କର ଜାଜୁଲ୍ୟମାନ କ୍ରିକେଟ୍‌ ଜୀବନକାଳ ଉପରେ ନଜର ପକାଇଲେ, ସେ ଯେ କେବେ ନିଜ ଉପରୁ ନିୟଂତ୍ରଣ ହରାଇପାରନ୍ତି ତାହା ତାଙ୍କ ପ୍ରଶଂସକଙ୍କ ନିକଟରେ ବିଶ୍ବାସଯୋଗ୍ୟ ନଥାଏ। ହେଲେ ଧୋନିଙ୍କ ଅଶାନ୍ତ ରୂପ ମଧ୍ୟରୁ ୨୦୦୭ ବିଶ୍ବକପ୍‌ ପୂର୍ବ ଅଭ୍ୟାସ ସେସନ୍‌ର ଏକ ଘଟଣା ଅନ୍ୟତମ। ଇର୍ଫାନ୍‌ଙ୍କ କହିବା କଥା ହେଲା, ଏହା ଥିଲା ୨୦୦୬-୦୭ର କଥା। ୱାର୍ମ ଅପ୍‌ ବେଳେ ଆମେ ଏକ ମ୍ୟାଚ୍‌ ଖେଳିଥିଲୁ। ଯେଉଁଥିରେ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ମାନେ ଡାହାଣ ହାତରେ ଏବଂ ଡାହାଣହାତୀ ବ୍ୟାଟ୍‌ସମ୍ୟାମାନ୍‌ମାନେ ବାମହାତରେ ବ୍ୟାଟିଂ କରିବାର ନିଷ୍ପତ୍ତି ହୋଇଥିଲା। ତେଣୁ ୱାର୍ମ ଅପ୍‌ ବେଳେ ଦୁଇଟି ଦଳ ଭାଗ ଭାଗ ହୋଇଥିଲେ। ହେଲେ ଧୋନି ଯେତେବେଳେ ଆଉଟ୍‌ ହୋଇଗଲେ ସେତେବେଳେ ସେ ନିଜକୁ ବିଶ୍ବାସ କରିପାରିନଥିଲେ। ସେ ଆଉଟ୍‌ ଥିବା ଭାବି ବି ପାରିନଥିଲେ। ଆଉଟ୍‌ ଯୋଗୁଁ ରାଗି ଯାଇଥିଲେ ଏବଂ ନିଜ ବ୍ୟାଟ୍‌କୁ ଫିଙ୍ଗି ଦେଇଥିଲେ। ଏପରିକି ଆଉଟ୍‌ ପରେ ସିଧା‌ ଡ୍ରେସିଂ ରୁମ୍‌କୁ ଦୌଡ଼ି ପଳାଇଥିଲେ। ୱାର୍ମ ଅପ୍‌ ଶେଷ କରିବା ପରେ ସମସ୍ତେ ଅଭ୍ୟାସରେ ମାତିବାର ନିଷ୍ପତ୍ତି ନିଆଯାଇଥିଲା। ହେଲେ ଧୋନି ଏତେ ଅଶାନ୍ତ ତଥା ନିଜ ଉପରୁ ନିୟଂତ୍ରଣ ହରାଇଥିଲେ ଯେ ସେ ଅଭ୍ୟାସ କରିବାକୁ ଟ୍ରେସିଂ ରୁମ୍‌ରୁ ବହୁ ବିଳମ୍ବରେ ଆସିଥିଲେ। ସେତେବେଳେ ସେ ଖୁବ୍‌ ରାଗିଯାଇଥିବା ଦେଖାଯାଇଥିଲା ବୋଲି ସ୍ମୃତି ରୋମନ୍ଥନ କରିଥିବା ଇର୍ଫାନ୍‌ କହିଥିଲେ। ଏହି ‘କ୍ୟାପ୍‌ଟେନ୍‌ କୁଲ୍‌’ ଧୋନି ଗତବର୍ଷ ବିଶ୍ବକପ୍‌ ସେମିଫାଇନାଲ୍‌ ପରଠାରୁ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ସେହି ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା। ତାହା ପରଠୁ ଆଉ ଫେରିନଥିବା ଧୋନି ଚଳିତ ବର୍ଷ ଆଇପିଏଲ୍‌ ଜରିଆ‌ରେ ଦେଖିବାକୁ ମିଳିବେ ବୋଲି କ୍ଷେତ୍ର ପ୍ରସ୍ତୁତ କରିସାରିଥିଲେ। ହେଲେ କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଛି। କରୋନା ଯୋଗୁଁ ସାରା ବିଶ୍ବରେ ଏବେ ସବୁ କ୍ରୀଡ଼ା ବାତିଲ ଓ ସ୍ଥଗିତ ରହିଛି।

ସମ୍ବନ୍ଧିତ ଖବର