ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ପଞ୍ଚାୟତ ସମିତି ପକ୍ଷରୁ ବିଶେଷ ତତ୍ପରତା ଦେଖାଦେଇଛି। ୧୬ଟି ଯାକ ପଞ୍ଚାୟତରେ ବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରାଯାଇଛି। ଅପରାହ୍ଣରେ ବର୍ଷା ଓ ପବନ ବୃଦ୍ଧି ପାଇବା ଯୋଗୁଁ କଚ୍ଚାଘର ଏବଂ ବିପଦସଙ୍କୁଳ ଘରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଉଠିଯିବା ପାଇଁ ସତର୍କ କରାଯାଇଛି। ସତ୍ୟଭାମାପୁର, ପ୍ରତାପରୁଦ୍ରପୁର ଏବଂ ଜୟଦେବ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ବହୁ ଅସହାୟ ପରିବାର ସେମାନଙ୍କ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଛନ୍ତି।
ବିଡିଓ ଜୟଦେବ ଦାଶଙ୍କ ସୂଚନା ଅନୁଯାୟୀ, ସଂଧ୍ୟା ସୁଦ୍ଧା ୩ଟି ଯାକ ବାତ୍ୟା ଆଶ୍ରୟସ୍ଥଳୀ ସମେତ ବିଭିନ୍ନ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପାଖାପାଖି ୫୫୦ଜଣ ଲୋକ ଆଶ୍ରୟ ନେଇଛନ୍ତି। ଗୁହାଳ ଘର ନଥିବାରୁ କିଛି ଲୋକ ଗୃହପାଳିତ ପ୍ରାଣୀଙ୍କୁ ଆଣି ଆଶ୍ରୟ ସ୍ଥଳୀରେ ରହୁଥିବା ଦେଖିବାକୁ ମିଳିଛି। କରୋନା କଟକଣା ଓ ସଂକ୍ରମଣ ଦୃଷ୍ଟରୁ ସ୍ବତନ୍ତ୍ର ଥଇଥାନ ବ୍ୟବସ୍ଥା କରାଯାଇଛି। ବିପନ୍ନଙ୍କ ନିକଟରେ ଶୁଖିଲା ଖାଦ୍ୟ, ମହମବତି ତଥା ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ଯୋଗାଇ ଦେବାକୁ ଜନପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ବିପନ୍ନଙ୍କ ଲାଗି ମାସ୍କ ଏବଂ ସାନିଟାଇଜର ଆଦି ଯୋଗାଇ ଦିଆଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଆର୍ଆର୍ଟି ଟିମ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରିତାପର ବିଷୟ, ଅନେକ ସରପଞ୍ଚ ବିପନ୍ନଙ୍କ ପାଖରେ ଏସବୁ ସାମଗ୍ରୀ ପହଞ୍ଚାଇ ପାରିନଥିବା ଅଭିଯୋଗ ହେଉଛି। ତେଣୁ ନିରାପଦ ସ୍ଥାନରେ ଆଶ୍ରିତ ବିପନ୍ନ ପରିବାର ରାତିରେ ଭୋକ ଉପାସରେ ରହିବାକୁ ବାଧ୍ୟ ହୋଇଥିଲେ। ସେହିପରି ବାରମ୍ବାର ବିଦ୍ୟୁତ କାଟ ହେବା ଫଳରେ ଅନ୍ଧାରରେ ହନ୍ତସନ୍ତ ହୋଇଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସଂଗରୋଧରେ ରହୁଥିବା ସଂକ୍ରମିତଙ୍କ ଦୁଃଖ କରୋନା ଯାତନାଠାରୁ ବଳି ପଡ଼ିଥିଲା। ବାତ୍ୟା ସମୟରେ ବେଣୁପୁର ପଞ୍ଚାୟତ ଗୁଡ଼ିଆ ସାହିରେ ବାଉଁଶଧଡ଼ା ବନ୍ଧା ଯିବାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ବିଭିନ୍ନ ପଞ୍ଚାୟତରେ ସଂକ୍ରମିତଙ୍କ ପାଖରେ ଔଷଧ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଅନୁରୂପ ଭାବେ ଭଙ୍ଗାଘରେ ରହୁଥିବା ସଂକ୍ରମିତ ଲୋକମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dg4j654dg65j46d5g4j56g4d56gdgjdgjjggddj.jpg)