ଧନତେରାସ ପାଇଁ ସୁନାଦୋକାନରେ ଭିଡ଼: ଟ୍ରାଫିକ ସଜାଡିବାକୁ ପୁଲିସ ନାକେଦମ୍

ଜୟପୁର: ଧନତେରାସରେ ସୁନା କିଣିଲେ ଶୁଭ । ଖାସ ଏଥିପାଇଁ ସୁନା କିଣିବା ଲାଗି ଜୟପୁରବାସୀଙ୍କ ଭିତରେ ଆଜି ଥିଲା ପ୍ରବଳ ଉତ୍ସାହ। ଅଳ୍ପ ଟିକିଏ ହେଲେ ବି ସୁନା କିମ୍ବା ରୁପା ଜିନିଷ ଘରକୁ ନେବା ପାଇଁ ଭିଡ ଲଗାଇଥିଲେ ସୁନା ଦୋକାନ ଆଗରେ। ସହରର ସମସ୍ତ ସୁନା ଦୋକନରେ ଦିନ ସାରା ଗ୍ରାହକଙ୍କ ଗହଳି ଥିବା ଲକ୍ଷ୍ୟ କରାଯାଇଥିଲା। ଆଜି ଦିନ ତମାମ ଏହି ଭିଡ଼ ଦେଖିବାକୁ ମିଳିଥିଲା। କୋଭିଡ୍ ପାଇଁ ହୋଇଥିବା ଗାଇଡ୍ ଲାଇନକୁ କେହି ମାନୁଥିବା ଦେଖିବାକୁ ମିଳିନଥିଲା। ଏପରିକି ଲୋକଙ୍କ ମୁହଁରେ ମାସ୍କ ଏବଂ ଶରୀରରୁ ଶରୀର ଦୁରତା (ସାମାଜିକ ଦୂରତା) ବି ଦେଖିବାକୁ ମିଳିନଥିଲା। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସୁନା କିଣାବିକା ଚାଲିଥିଲା। ହିସାବ ଅନୁଯାୟୀ ଆଜି ଗୋଟିଏ ଦିନରେ ଜୟପୁରରେ ପ୍ରାୟ କୋଟିଏ ଟଙ୍କା ସୁନା ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି।

ଏଥିସହ ଲକ୍ଷାଧିକ ଟଙ୍କାର ରୁପା ମଧ୍ୟ ବିକ୍ରି ହୋଇଛି। ଧନତେରାସରେ ସୁନା କିଣିବାର ପରମ୍ପରା ଥିବା ବେଳେ ସୁନା ଦର ଆଗ ଅପେକ୍ଷା କମ ଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ସୁନା କିଣିବା ଅଧିକ ଆଗ୍ରହ ପ୍ରକାଶ ପାଇଥିଲା। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଦୋକାନୀମାନେ ମଧ୍ୟ ବିଭିନ୍ନ ପ୍ରକାର ଅଫର ଘୋଷଣା କରିଥିଲେ। କେଉଁଟି ଡିସକାଉଣ୍ଟ ରହିଛି ତ କେଉଁଠି ଗଢା ମୂଲ୍ୟ ଛାଡ। ଧନତେରାସ ଓ ଦିପାବଳୀରେ ସୁନା କିଣିଲେ ଶୁଭ ବୋଲି ଲୋକମାନେ ମାନୁ ଥିବାରୁ ଅଳ୍ପ ହେଲେବି ସୁନା କିମ୍ବା ରୁପା କିଣିବା ପାଇଁ ଲୋକମାନେ ଚାହୁଁଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରେ ରଖି ଗହଣା ଦୋକାନ ଗୁଡିକ ଆଜି ରୁପା ମୁଦ୍ରା ବି ବିକ୍ରି କରିଥିଲେ। ଏଥିପ୍ରତି ବେଶ ଚାହିଦା ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ସହରର ମେନରୋଡରେ ଥିବା ସୁନା ଦୋକାନରେ ଗହଳି ଯୋଗୁଁ ଦିନ ତମାମ ଭିଡ଼ ହୋଇଥିଲା।। କେବଳ ସୁନା ଦୋକାନ ନୁହେଁ ଏହି ଦିନରେ କୌଣସି ଏକ କଂସା, ପିତ୍ତଳ ଧାତୁ କିଣିବାର ପରମ୍ପରା ଥିବା ଯୋଗୁଁ ପିତ୍ତଳ ଦୋକାନମାନଙ୍କରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେଭଳି ସହରରେ ଥିବା ବାଇକ୍, କାର, ଜିପ୍ ଆଦି ସୋରୁମରେ ବି ଭିଡ଼ ଦେଖିବାକୁ ମିଳିଥିଲା। କିଛି ଗ୍ରାହକ ବି ଏସବୁ କିଣି ନେଉଥିବା ଆଜି ଦେଖିବାକୁ ମିଳିଥିଲା |

ସେଭଳି ଲୁଚା ଛପାରେ ବିଭିନ୍ନ ବାଣ ଦୋକାନୀ ଗତ ବର୍ଷର ବଳକା ବାଣକୁ ନିଜ ଘରେ ଓ ଗୋଦାମ ଘରେ ଚଢ଼ା ଦରରେ ବିକ୍ରୀ କରୁଥିବା ବି ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ପ୍ରଶାସନ ପକ୍ଷରୁ ସହର ମଧ୍ୟରେ ଚାରିଚକିଆ ଯାନକୁ ପାର୍କିଂ କରିବାକୁ ବାରଣ କରାଯାଇଛି। କେବଳ କାରର ଲୋକେ ବଜାରକୁ ଆସିଲେ ଓହ୍ଲାଇବେ ଏବଂ ଚାରିଚକିଆ ଯାନକୁ ଆହାର କେନ୍ଦ୍ରର ପାର୍ଶ୍ବରେ ଆଣି ପାର୍କିଂ କରି ରଖାଯିବାର ଯୋଜନା ରହିଥିଲା। ଯଦି କେହି ମୁଖ୍ୟ ରାସ୍ତାରେ ଚାରି ଚକିଆ ପାର୍କିଂ କଲେ ଜୋରିମାନା ଆଦାୟ କରାଯିବ ବୋଲି ଘୋଷଣା ହୋଇଥିଲା। ତେବେ ଆଜି କେହି ଏହାକୁ ମାନି ନଥିଲେ। ମନଇଛା ୪ଚକିଆ ଗାଡି ଗୁଡିକ ସହର ମଧ୍ୟକୁ ଆଣି ପାର୍କିଂ କରିବା ସହ ନେବା ଆଣିବା ବି କରୁଥିବା ଦେଖିବାକୁ ମିଳିଥିଲା। ଏହାଫଳରେ ମୁଖ୍ୟରାସ୍ତା, ଏମଜିରୋଡ, ରାୟବାବୁ ସାହି, କଣ୍ଡ୍ରା ସାହି, ଦ୍ବିତୀୟ ଦୈନିକ ବଜାର ରାସ୍ତାରେ ବାଇକ୍ ଓ ଚାରି ଚକିଆର ଭିଡ଼ ସହ ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ପୁଲିସକୁ ଏହାକୁ ଠିକ୍ କରିବାକୁ ନାକେଦମ୍ ହେବାକୁ ପଡ଼ିଥିଲା।

ପିସିଆର୍ ଗାଡି ବୁଲୁଥିବା ବେଳେ କିଛି ପୁଲିସ କର୍ମଚାରୀ ଏଣେତେଣେ ଠିଆ ହୋଇ ସବୁ ଦେଖି ନ ଦେଖିଲା ଭଳି ଚୁପ ରହିଥିଲେ। ଜଣେ ନମ୍ବର ବିହୀନ ଚାରିଚକିଆ ବଡ ଗାଡି ଧରି ଜଣେ ଯୁବକ ଏହି ଗହଳି ମଧ୍ୟରେ ନିଜ କାର୍ ନେବା ସମୟରେ ଜଣେ ବାଇକ୍ ଚାଳକଙ୍କୁ ବି ଧକ୍କା ଦେଇଥିଲେ। ତେବେ ସହରର ମୁଖ୍ୟରାସ୍ତାରେ ଆଜି ଯେଭଳି ଭିଡ଼ ଦେଖିବାକୁ ମିଳିଥିଲା ଲାଗୁଥିଲା ଯେଭଳି କରୋନା ସଂକ୍ରମଣ ସଂପୁର୍ଣ୍ଣ ରୁପେ ଉଭେଇ ଯିବା ସହ ସାଧାରଣ ଜୀବନଯାପନ ଆରମ୍ଭ ହୋଇଛି। ସେଭଳି ସୁନାଦୋକାନ ଗୁଡିକର ଭିତର ଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଦୈନିକ ବଜାରଠାରୁ ଆରମ୍ଭ କରି ଦୀପ କିଣିବା, ମିଠା ଦୋକାନ ସବୁ ଠାରେ ଜନଗହଳି ସାଙ୍ଗକୁ ବାଇକ୍ ରାସ୍ତାର ଅଧା ପର୍ଯ୍ୟନ୍ତ ପାର୍କିଂ ଥିବା ଦେଖିବାକୁ ମିଳିଥିଲା। ଏହା ସହ ସହର ମଧ୍ୟରେ ୪ଚକିଆ ଯାନବାହାନ ଯିବା ଆସିବା କରିବା ଫଳରେ ଅଧିକା ଟ୍ରାଫିକ ଜାମ୍ ହୋଇଥିଲା।

ସମ୍ବନ୍ଧିତ ଖବର