ରାଜ୍ୟ ସରକାର ନିକଟରେ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ ଓ ଗଣତିମଣତି ଲାଗି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ମୁଖ୍ୟ ଭାବେ ଜଷ୍ଟିସ୍‌ ରଥଙ୍କ କାର୍ଯ୍ୟଧାରା ଉପରେ ସମସ୍ତଙ୍କ ନଜର ରହିଛି। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥଙ୍କର ଜଣେ ଭକ୍ତ ଏବଂ ବିଶିଷ୍ଟ ଆଇନଜ୍ଞ ଜଷ୍ଟିସ୍ ରଥ ମହାପ୍ରଭୁଙ୍କୁ ନେଇ ତାଙ୍କର ଅନନ୍ୟ ଅନୁଭୂତି ଓ ବର୍ତ୍ତମାନର ଦାୟିତ୍ୱ ପ୍ରସଙ୍ଗରେ ‘ରବିବାର ସମ୍ବାଦ’ ସହିତ ମନଖୋଲା ଆଳାପ କରିଛନ୍ତି। ତାଙ୍କୁ ଭେଟିଛନ୍ତି ଆମର ବରିଷ୍ଠ ପ୍ରତିନିଧି
ବିଭୂତି ପତି

Advertisment

ଶ୍ରୀଜଗନ୍ନାଥ ମନ୍ଦିର ସହ ଆପଣଙ୍କ ସଂପର୍କ ବହୁ ପୁରୁଣା। ଆପଣ ଓ ଆପଣଙ୍କ ବାପା ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଭାବେ ବହୁ ମାମଲା ଲଢ଼ିଛନ୍ତି। ଏବେ ପୁଣି ଏକ ନୂତନ ଦାୟିତ୍ବ ମିଳିଛି। କିପରି ଅନୁଭବ କରୁଛନ୍ତି?
ଏହା ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ୨୦୧୪ ମସିହାରେ ଉଚ୍ଚ ନ୍ୟାୟାଳୟର ବିଚାରପତି ହେବା ପୂର୍ବରୁ ମୁଁ ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ମାମଲା ସଫଳତାର ସହିତ ପରିଚାଳନା କରିଛି। ମୋ ବାପା ଭାରତର ଅନ୍ୟତମ ସୁପରିଚିତ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ମାମଲା ଲଢ଼ୁଥିଲେ। କିନ୍ତୁ ସେ କେବେ ସରକାରଙ୍କଠାରୁ ଶ୍ରୀମନ୍ଦିରର ଆଇନଜୀବୀ ଭାବେ କୌଣସି ପାରିଶ୍ରମିକ ଗ୍ରହଣ କରୁ ନଥିଲେ। ଏପରିକି ମହାପ୍ରଭୁଙ୍କ ମାମଲାର ଫିସ୍‌ରୁ ନେଇ ସତ୍ୟପାଠ ଦାଖଲ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରୁଥିଲେ। ପରବର୍ତ୍ତୀ ସମୟରେ ମୁଁ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ପଥ ଅନୁସରଣ କରିଥିଲି। ମୋ ଜାଣିବାରେ, ତିନି ପୁରୁଷ ଧରି ଆମ ପରିବାର ଚକାନୟନଙ୍କ ଶ୍ରୀଚରଣରେ ସମର୍ପିତ। ମୋ ଜେଜେବାପା ସ୍ବର୍ଗତ ନାରାୟଣ ରଥ ଜଣେ ବିଶିଷ୍ଟ ପଣ୍ଡିତ ଥିଲେ ଏବଂ ଯେଉଁଠାରେ ବି ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ହୁଏ ତାଙ୍କୁ ପୂଜାପାଠ ଲାଗି ଲୋଡ଼ା ଯାଇଥାଏ।

ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ମାଲିକାନା ଓ ରତ୍ନଭଣ୍ଡାରର ପରିଚାଳନା ନେଇ କ’ଣ ନୀତିନିୟମ ରହିଛି?
ଏହି ପ୍ରସଙ୍ଗରେ ମୁଁ ଯେତିକି ଜାଣିଛି ସେତିକି କହିପାରିବି। ଶ୍ରୀମନ୍ଦିର ପ୍ରତିଷ୍ଠା ହେବା ପରଠାରୁ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ସମସ୍ତ ସମ୍ପତ୍ତିର ମାଲିକାନା ସ୍ବତ୍ବ ତାଙ୍କର ଚଳନ୍ତି ପ୍ରତିମା କୁହାଯାଉଥିବା ଗଜପତିଙ୍କ କରକମଳରେ ରହିଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ଶ୍ରୀମନ୍ଦିର ପରିଚାଳନାରେ ଯଥେଷ୍ଟ ଅଧିକ ଅର୍ଥର ଆବଶ୍ୟକତା ପଡ଼ିଲା ସେତେବେଳେ ତତ୍କାଳୀନ ଇଂରେଜ ପ୍ରଶାସକଙ୍କ ସହିତ ଏହି ସମସ୍ୟା ଦୂର କରିବାକୁ ଆଲୋଚନା ହୋଇଥିଲା। ସେମାନେ ୧୯୨୮ ମସିହାରେ ଗଜପତିଙ୍କ ସହିତ ଆଲୋଚନା କରି ତାଙ୍କ ସହମତିରେ ଶ୍ରୀଜିଉଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମେତ ବିଭିନ୍ନ ରତ୍ନ ଓ ଅଳଙ୍କାର ଶ୍ରୀମନ୍ଦିରକୁ ହସ୍ତାନ୍ତର କଲେ। ଏହାର ଏକ ‘ରେକର୍ଡସ୍‌ ଅଫ୍ ରାଇଟ୍ସ’ ମଧ୍ୟ ରହିଛି। ଦିବ୍ୟ ରତ୍ନଭଣ୍ଡାର କଥା ମଧ୍ୟ ସେଥିରେ ଉଲ୍ଲେଖ ରହିଛି। ଏହାକୁ କେବେ କେବେ ଖୋଲାଯାଇଛି ତାହା ମଧ୍ୟ ଉଲ୍ଲେଖ ରହିଛି। ପରବର୍ତ୍ତୀ ସମୟରେ ଯେତେବେଳେ ଶ୍ରୀମନ୍ଦିର ପରିଚାଳନା ଲାଗି ‘ଜଗନ୍ନାଥ ଆକ୍ଟ୍‌’ ଆସିଲା ସେତେବେଳେ ଏହାର ଧାରା-୫ ଅନୁଯାୟୀ କେଉଁ ସମ୍ପତ୍ତି କେଉଁଠାରେ କିପରି ଓ କେଉଁ ଘରେ ରହିବ ତା’ର ଉଲ୍ଲେଖ ରହିଲା। ସେହିପରି ଧାରା-୬ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ ରତ୍ନଭଣ୍ଡାର ଖୋଲା ଯାଇପାରିବ ନାହିଁ ବୋଲି ଲିପିବଦ୍ଧ ରହିଲା। ଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରି ଅଫିସ୍‌ରେ ରଖାଯିବା ନିୟମ ହେଲା। ଏସବୁ ନୀତିନିୟମକୁ ଅନୁସରଣ କରି ୧୯୭୮ ମସିହାରେ ତତ୍କାଳୀନ ସରକାର ରତ୍ନଭଣ୍ଡାର ଖୋଲାଇ ଗଣତିମଣତି କରିଥିଲେ। ଏହାର ରିପୋର୍ଟ ସରକାରଙ୍କୁ ଦିଆଯାଇଥିଲା। ଏସବୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ସମ୍ପୂର୍ଣ୍ଣ ରେକର୍ଡ ପ୍ରସ୍ତୁତ କରିଛନ୍ତି।

ଆପଣ ଶ୍ରୀମନ୍ଦିର ସମ୍ପର୍କିତ ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ମାମଲାର ସଫଳ ପରିଚାଳନା କରିଛନ୍ତି। ମାମଲା ଲଢ଼ିବା ପ୍ରକ୍ରିୟା ଭିତରେ ଆପଣଙ୍କର କୌଣସି ଅଲୌକିକ ଅନୁଭୂତି ହୋଇଛି କି?
ଦେଖନ୍ତୁ, ମହାପ୍ରଭୁ ସବୁବେଳେ ନିଜ କାର୍ଯ୍ୟ ନିଜେ ନିର୍ଦ୍ଦେଶ ଦେଇ କାହା ମାଧ୍ୟମରେ କରାଇଥାନ୍ତି। ତାଙ୍କର ଆଜ୍ଞା ବିନା କାହାର ଜ୍ଞାନ ଆସିବ ନାହିଁ। ଏକଦା ମୋର ଜଣେ ମହକିଲ ତାଙ୍କର କେସ୍‌ ପରିଚାଳନା ପ୍ରସଙ୍ଗରେ ଆଲୋଚନା କରୁ କରୁ ଅନେକ ସମୟ ନେଇଗଲେ। ସେଦିନ ଶ୍ରୀମନ୍ଦିର ମାମଲାର ଶୁଣାଣି ଥାଏ, ମୁଁ ଆବଶ୍ୟକ ପ୍ରସ୍ତୁତି ଲାଗି ସମୟ ପାଇଲିନି। ବାପା ଜାଣିଲା ପରେ ଟିକିଏ ବିରକ୍ତି ପ୍ରକାଶ କଲେ। ମୁଁ ଭାବିଲି ହାକିମଙ୍କଠାରୁ ତାରିଖ ନେଇଯିବି। ଶୁଣାଣି ଆରମ୍ଭ ହୋଇଗଲା। ମୁଁ ମୋର ଜବାବ ରଖିବାରେ ଏପରି ନିମଗ୍ନ ହୋଇଗଲି ଯେ ତାରିଖ ନେବାକୁ ଭୁଲିଗଲି ଏବଂ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେହି ମାମଲାରେ ସେହିଦିନ ଠାକୁରଙ୍କର ଜିତାପଟ ହୋଇଗଲା। କୌଣସି ପ୍ରସ୍ତୁତି ନଥାଇ ଶ୍ରୀମନ୍ଦିର କେସ୍‌ ଜିତିବା କେବଳ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ। ଏହାଠାରୁ ବଡ଼ ଅଲୌକିକ ଘଟଣା ଆଉ କ’ଣ ହୋଇପାରେ?
ସେହିପରି ଆଇନ ଆଖିରେ ଯେହେତୁ ଜଗତରନାଥ ଜଗନ୍ନାଥ ଜଣେ ନାବାଳକ, ତେଣୁ କାଳିଆ ସାଆନ୍ତଙ୍କ ବିଭିନ୍ନ ଜମିଜମା କେତେକ ମଠର ମହନ୍ତଙ୍କୁ ମାର୍ଫତଦାର ଭାବେ ଦେଖାଶୁଣା କରିବାକୁ ଦିଆଯାଇଥାଏ। କେତେକ ମହନ୍ତ ସେହି ଜମିକୁ ବିକ୍ରି କରି ଅର୍ଥ ନେଇଗଲେ। ଏହି ମାମଲା କୋର୍ଟକୁ ଆସିଲା। ମୁଁ ମାମଲା ପରିଚାଳନା କଲି। ଏହାର ଶୁଣାଣି କରି କୋର୍ଟ ବିକ୍ରି ହୋଇଥିବା ସମ୍ପତ୍ତିର ୭୫ ପ୍ରତିଶତ ଅର୍ଥ ଶ୍ରୀମନ୍ଦିରକୁ ଦେବାକୁ ନିର୍ଦ୍ଦେଶ ଦେଲେ। ଏହାର ପ୍ରତିବାଦରେ ଆମେ ସୁପ୍ରିମ୍‌ କୋର୍ଟରେ ମାମଲା ଦାଏର କଲୁ। ଇତିମଧ୍ୟରେ ମୁଁ ବିଚାରପତି ହୋଇଗଲି। ମନ ବ୍ୟସ୍ତ ଲାଗିଲା କିପରି କେସ୍‌ ପରିଚାଳନା ହେବ। ମୁଁ ମୋର ଚିନ୍ତାଭାବନା ମହାପ୍ରଭୁଙ୍କୁ ସମର୍ପି ଦେଲି। ବିଚାରପତି ହେବା ପରେ ମୋର ପ୍ରଥମ ଗସ୍ତ ପଡ଼ିଲା ନ୍ୟାସ୍‌ନାଲ୍‌ ଜୁଡିସିଆଲ୍‌ ଟ୍ରେନିଙ୍ଗ୍ ସେଣ୍ଟର୍‌କୁ। ମୁଁ ବିମାନରେ ବସିଥାଏ। ସେହି ସମୟରେ ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ଗୋପାଳଗୌଡ଼ା ଓ ଜଷ୍ଟିସ୍‌ ନାଗପାନ୍ନା ବିମାନ ଭିତରକୁ ପଶିଲେ। ସେଦିନ ଉଭୟଙ୍କ ବେଞ୍ଚ୍‌ରେ ଶ୍ରୀମନ୍ଦିର ମାମଲା ଶୁଣାଣି ହେଉଥିଲା। କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ କେସ୍‌ ପ୍ରସଙ୍ଗରେ ଖବର ନେଇପାରି ନଥିଲି। ମୁଁ ଉଭୟଙ୍କୁ ନମସ୍କାର କରିସାରିବା ପରେ ଜଷ୍ଟିସ୍‌ ଗୋପାଳଗୌଡ଼ା ଖୁସି ହୋଇ କହିଲେ, ‘‘ବିଶ୍ୱନାଥ ତମ ଓକିଲଙ୍କୁ ତମେ ଅତ୍ୟନ୍ତ ସୁନ୍ଦର ଶୈଳୀରେ ଆଇନ ଉପସ୍ଥାପନ କରିବା କଳା ଶିଖାଇଛ। ତମେ ଜାଣିଛ ଆମେ ଆଜି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି କେସ୍ ଶୁଣାଣି ଶେଷ କରିଛୁ। ନିର୍ଦ୍ଦେଶ ଦେଇଛୁ ଶ୍ରୀମନ୍ଦିର ସମ୍ପତ୍ତିର ମାଲିକ କେବଳ ଜଗନ୍ନାଥ। ସମସ୍ତ ଅର୍ଥ ଶ୍ରୀମନ୍ଦିରରେ ଦାଖଲ ହେବ।’’ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।

୨୦୧୪ ମସିହାରେ ଉଚ୍ଚ ନ୍ୟାୟାଳୟର ବିଚାରପତି ହେବା ପୂର୍ବରୁ ମୁଁ ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ମାମଲା ସଫଳତାର ସହିତ ପରିଚାଳନା କରିଛି। ମୋ ବାପା ଭାରତର ଅନ୍ୟତମ ସୁପରିଚିତ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ମାମଲା ଲଢ଼ୁଥିଲେ। କିନ୍ତୁ ସେ କେବେ ସରକାରଙ୍କଠାରୁ ଶ୍ରୀମନ୍ଦିରର ଆଇନଜୀବୀ ଭାବେ କୌଣସି ପାରିଶ୍ରମିକ ଗ୍ରହଣ କରୁ ନଥିଲେ।

ଆପଣଙ୍କ କମିଟି ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ତାରିଖ ସରକାରଙ୍କୁ ଜଣାଇ ଦିଆଯାଇଛି। ତେବେ ଚାବି ପ୍ରସଙ୍ଗରେ ଆପଣଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠୁଛି?
ଭଲ ପ୍ରଶ୍ନ। ମୁଁ ଆପଣଙ୍କୁ କହିବାକୁ ଚାହେଁ, ଦିବ୍ୟ ରତ୍ନଭଣ୍ଡାରର ଚାବି ପ୍ରସଙ୍ଗରେ ଆମ କମିଟିର କୌଣସି ଭୂମିକା ନାହିଁ। ଚାବି ପ୍ରସଙ୍ଗ ମାନ୍ୟବର ହାଇକୋର୍ଟଙ୍କର ବିଚାରାଧୀନ ରହିଛି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ହାଇକୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି। ସେମାନେ ନିଜ ଅନୁଧ୍ୟାନ ରିପୋର୍ଟ ହାଇକୋର୍ଟଙ୍କ ନିକଟରେ ଦାଖଲ କରିବେ। ତେଣୁ କହନ୍ତୁ, ଏହାକୁ ନେଇ ପ୍ରଶ୍ନ କଲେ ଆମର ଦାୟିତ୍ବ କ’ଣ ରହିବ?

ଆପଣ ଆଇନ ବ୍ୟବସାୟରେ ଥିଲେ। କିନ୍ତୁ ଜଗନ୍ନାଥଙ୍କ ମାମଲା ଲଢ଼ିବା ଲାଗି ଫିସ୍‌ ନେଉ ନଥିଲେ। କିଛି ନିର୍ଦ୍ଦିଷ୍ଟ କାରଣ ଅଛି କି?
ମୁଁ ଆଇନ ପାଠ ପଢୁଥାଏ। ଦିନେ ବାପା ତାଙ୍କର ମହକିଲମାନଙ୍କ ସହିତ ଆଲୋଚନା କରୁଥିଲେ। ମୁଁ ସେଠାରେ ବସି କାମ ଶିଖୁଥିଲି। ଗୋଟିଏ ଫୋନ୍‌ ଆସିଲା। ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଫୋନ୍‌ କରିଥିଲେ। କିଛି ସମୟ ପରେ ଶ୍ରୀମନ୍ଦିର ପ୍ରଶାସନର କେତେକ ବରିଷ୍ଠ ପଦାଧିକାରୀ ଆସିଲେ। ସେମାନେ ଏକ ମାମଲା ପ୍ରସଙ୍ଗରେ ବାପାଙ୍କ ସହିତ ଆଲୋଚନା କଲେ। ଗଲାବେଳେ ବାପାଙ୍କୁ ତାଙ୍କର ପ୍ରାପ୍ୟ ବିଷୟରେ ପଚାରିଲେ। ବାପା କହିଲେ, ପ୍ରାପ୍ୟ କିଏ ଦେବ? ସେମାନେ କହିଲେ, ଶ୍ରୀମନ୍ଦିର ପ୍ରଶାସନ ଅର୍ଥରୁ ଦିଆଯିବ। ବାପା ଉତ୍ତର ଦେଲେ, ମୋ ଘରେ ଯାହାକିଛି ଦେଖୁଛନ୍ତି ସବୁ ଜଗନ୍ନାଥଙ୍କ ଦାନରୁ ମିଳିଛି। ପୁଣି ପ୍ରାପ୍ୟ କ’ଣ ନେବି? ସେଦିନ ଖୁସିରେ ବାପା ବୋଉ (ହେମାବତୀ ରଥ)ଙ୍କୁ କହିଲେ, ‘‘ଜାଣିଲ ମୁଁ ବଡ଼ଠାକୁରଙ୍କର ଏକ କେସ୍‌ ଲଢ଼ିବି କିନ୍ତୁ କିଛି ନେବିନି।’’ ବୋଉ କହିଲା, ‘‘ଭଲ କରିଛ। ଠାକୁରଙ୍କ କାମରେ ପଇସା ନେବା ଠିକ୍‌ ନୁହେଁ।’’ ଏହି ଘଟଣା ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା।