ଗନ୍ଥା ସିଲେଇରୁ ରୋଜଗାର କରନ୍ତି ଯାଜ୍ଞସେନୀ; ୨୫ ଜଣଙ୍କୁ ସିଲେଇ ଶିକ୍ଷା ଦେଇ କରି ପାରିଛନ୍ତି ଆତ୍ମନିର୍ଭରଶୀଳ

କୋରକୋଣ୍ଡା: ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ସଦର ମହକୁମାରେ ବାସ କରୁଥିବା ପ୍ରତାପ ନାୟକଙ୍କ ପତ୍ନୀ ଯାଜ୍ଞସେନୀ ନାୟକ କିପରି ପରିବାରର ପ୍ରତିପୋଷଣ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି। ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ। ଗତ ପନ୍ଦର ବର୍ଷ ତଳେ ସିଲେଇ ଶିକ୍ଷାକରି ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ। ସ୍ବାମୀ ପ୍ରତାପଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ପରିବାର ଚଳାଇବା ପାଇଁ ଅଣ୍ଟାଭିଡିଥିଲେ। ଦୁଇ ପୁଅଙ୍କୁ ମଣିଷ କରିବା ପାଇଁ ଅହରହ ଚେଷ୍ଟା କରିଆସୁଛନ୍ତି। ସ୍ବାମୀ ଏବେ ଶଯ୍ୟାସାୟୀ। ଅନ୍ୟମାନେ ସିଲେଇ ଶିକ୍ଷାକରି ମହିଳା ଏବଂ ପୁରୁଷଙ୍କ ଜାମା ତିଆରି କରୁଥିବା ବେଳେ ଯାଜ୍ଞସେନୀ କିନ୍ତୁ ଗନ୍ଥା ସିଲେଇ କରିବା ପାଇଁ ଇଛୁକ ପ୍ରକାଶ କରିଥିଲେ। କୋରକୋଣ୍ଡା ଅଂଚଳର ଲୋକମାନେ ତାଂକ ନିକଟକୁ ଗନ୍ଥା ସିଲେଇ କରିବା ପାଇଁ ଭିଡ ଜମାଇଥାନ୍ତି। ଗୋଟିଏ ଗନ୍ଥାକୁ ସେ ଶହେ ଟଂକା ଦାବି କରନ୍ତି। ଦିନକୁ ପ୍ରାୟ ତିନିରୁ ଚାରୋଟି ଗନ୍ଥା ସିଲେଇ କରୁଥିଲେ।

କିନ୍ତୁ ଏବେ ସେ ମାତ୍ର ଦୁଇଟି ହିଁ ସେଲେଇ କରିପାରୁଥିବା କହିଥିଲେ। ସ୍ବାମୀଙ୍କ ଯତ୍ନ ନେବା ସହ ପିଲାଙ୍କ ଦେଖାଶୁଣା କରିବାକୁ ପଡୁଥିବାରୁ ସେ ଏଥିପାଇଁ ବେଶି ସମୟ ଦେଇ ପାରୁନାହାଁନ୍ତି। କିନ୍ତୁ କୋରକୋଣ୍ଡା ସମେତ ଆଖପାଖ ଅଂଚଳରେ ପ୍ରାୟ ପଚିଶିରୁ ତିରିଶି ମହିଳା ତାଂକ ନିକଟରେ ଆସି ସେଲିଇ କାର୍ଯ୍ୟ ଶିକ୍ଷା କରିଥିଲେ। ସମସ୍ତେ ଏବେ ଆତ୍ମନିର୍ଭରଶୀଳ। ଯାଜ୍ଞସେନୀ କେବଳ ଗନ୍ଥା ସିଲେଇ ପରିବାର ପ୍ରତିପୋଷଣ କରୁନାହାଁନ୍ତି। ବରଂ ସେ ନିଜ ବାଡିରେ ପରିବା ଫଳାଇ ମଧ୍ୟ ବେଶ ରୋଜଗାର କରିପାରୁଛନ୍ତି।

Sambad

ତେବେ ସେ ଯାହା ରୋଜଗାର କରୁଛନ୍ତି ସେସବୁ ସ୍ବାମୀଙ୍କ ଚିକିତ୍ସାରେ ହିଁ ଖର୍ଚ୍ଚ ହେଉଥିବା ସେ ଦୁଃଖର ସହ କହିଥିଲେ। ପ୍ରଶାସନ ତରଫରୁ ତାଂକୁ କୌଣସି ସହଯୋଗ ମିଳିନଥିବା ସେ କହିଥିଲେ। ସେ ଏତେ ମହିଳାଙ୍କୁ ଶିକ୍ଷା ଦେଇ ଆତ୍ମନିର୍ଭରଶୀଳ କରାଇଥିଲେ ମଧ୍ୟ ଏନେଇ ପ୍ରଶାସନ ନିକଟରେ କୌଣସି ଖବର ନାହିଁ କି ସେମାନେ ତାଂକୁ ସହଯୋଗ କରିବାପାଇଁ ଆଗେଇ ଆସିଲେ ନାହିଁ।

ସ୍ବାମୀଙ୍କ ଚିକିତ୍ସା ପାଇଁ ମଧ୍ୟ ବହୁ ଥର ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହୋଇଥିବା କହିଥିଲେ। ଯାଜ୍ଞସେନୀଙ୍କୁ ଯଦି ଅଧିକା ସିଲେଇ ମେସିନ ଦେବା ସହ ଅନ୍ୟଙ୍କୁ ସିଲେଇ ଶିକ୍ଷା ଦେବା ପାଇଁ ପ୍ରସ୍ତାବ ଦିଆଯାଏ ତେବେ ଆହୁରି ଅନେକ ଯୁବତୀମାନେ ସିଲେଇ ଶିକ୍ଷାକରି ଏହି ଅଂଚଳରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କୁହାଯାଇଛି। ନିଜେ ଗତ ପନ୍ଦରରୁ ଉର୍ଦ୍ଧ୍ବ ବର୍ଷ ହେବ ପରିବାରର ପ୍ରତିପୋଷଣ କରି ଆସୁଥିବା ବେଳେ ଦୁଇ ପୁଅଙ୍କୁ ପାଠ ପଢାରେ କେବେ ହେଳା କରିନାହାଁନ୍ତି। ବଡ ପୁଅ ଯୁକ୍ତ ଦୁଇ ପାଠ ସାରି ବ୍ଲକରେ କମ୍ୟୁଟର ଅପରେଟର ଭବେ କାମ କରୁଥିବା ବେଳେ ସାନ ପୁଅ ଆଇଟିଆଇ ପାଠ ପଢୁଥିବା ସେ କହନ୍ତି। ତେବେ ସରକାରଙ୍କ ସହଯୋଗ ହେଲେ ସେ ଆହୁରି ଅନେକ ମହିଳା ଓ ଯୁବତୀମାନଙ୍କୁ ସିଲେଇ ଶିକ୍ଷା ଦେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର