ରାଉରକେଲା: ଶ୍ରାବଣ ମାସର ତୃତୀୟ ସୋମବାରରେ ଜଳାଭିଷେକ ପାଇଁ ଆଜି ବେଦବ୍ୟାସ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ରବିବାର ଅପରାହ୍ନ ୩ଟାରୁ ବିଳମ୍ବିତ ରାତି ପ୍ରାୟ ୨ଟା ଯାଏ କାଉଡ଼ିଆ ବ୍ରାହ୍ମଣୀ ନଦୀରୁ ଜଳ ଉଠାଇଥିଲେ। ପରେ ଘୋଘରଧାମ, ବାବାଧାମ, ମହାଦେବଶାଲ, ଦେଓଗାଁ ଶୈବପୀଠ ଅଭିମୁଖେ ବାହାରିଥିଲେ। ଏମିତିକି ବହୁ ଶ୍ରଦ୍ଧାଳୁ ବେଦବ୍ୟାସ ଶୈବ ପୀଠରେ ଜଳାଭିଷେକ କରିଥିଲେ।
ବେଦବ୍ୟାସ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଆସିଲେ ୨୦ ହଜାର କାଉଡ଼ିଆ
ପ୍ରତିଥର ଭଳି ଏଥର ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ସମେତ ଆଖପାଖ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଚମ୍ପା, ଦୁର୍ଗ, ରାୟଗଡ଼, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଓ ସିମଡେଗା ଅଞ୍ଚଳରୁ କାଉଡ଼ିଆ ଆସିଥିଲେ। ତୃତୀୟ ସୋମବାରରେ ଜଳାଭିଷେକ ପାଇଁ ଆଜି ବେଦବ୍ୟାସ ପୀଠରେ ପାଖାପାଖି ୨୦ ହଜାର କାଉଡ଼ିଆଙ୍କ ସମାଗମ ହୋଇଥିଲା।
ଦୂରବର୍ତ୍ତୀ ସ୍ଥାନକୁ ଜଳାଭିଷେକ ପାଇଁ ଯାଉଥିବା କିଛି କାଉଡ଼ିଆ ଆଜି ଭୋର୍ରେ ବେଦବ୍ୟାସରେ ପହଞ୍ଚିଯାଇଥିଲେ। ପୂର୍ବାହ୍ନରେ ହିଁ ସେମାନେ ଜଳ ଉଠାଇ ଗନ୍ତବ୍ୟ ପଥରେ ବାହାରିଯାଇଥିଲେ। ଅପରାହ୍ନ ୩ଟାରୁ କାଉଡ଼ିଆଙ୍କ ଭିଡ଼ ଜମିଥିଲା; ତେବେ ସନ୍ଧ୍ୟା ହେବାମାତ୍ରେ ସଂଖ୍ୟା ଦ୍ବିଗୁଣିତ ହୋଇଯାଇଥିଲା। ବିଳମ୍ବିତ ରାତି ୨ଟା ଯାଏ ଶ୍ରଦ୍ଧାଳୁ ପାଣି ଉଠାଇ ଘୋଘର ଧାମ୍, ଦେଓଗାଁ ଶିବ ମନ୍ଦିରକୁ ଜଳଜାଭିଷେକ ପାଇଁ ବାହାରିଥିଲେ। ତେବେ ଦ୍ବିତୀୟ ସୋମବାର ଅପେକ୍ଷା ଏଥର କାଉଡ଼ିଆଙ୍କ ସଂଖ୍ୟା କମ୍ ରହିଥିଲା। ଦ୍ବିତୀୟ ସୋମବାର ପ୍ରାୟ ୩୦ ହଜାର ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସାଧାରଣତଃ ପ୍ରଥମ ସୋମବାରରେ ଶ୍ରଦ୍ଧାଳୁ ସଂଖ୍ୟା କମ୍ ରହିଥାଏ। ଏହି କ୍ରମରେ ଏଥର ମଧ୍ୟ ପ୍ରଥମ ସୋମବାରରେ କାଉଡ଼ିଆଙ୍କ ସଂଖ୍ୟା ମାତ୍ର ୪ ହଜାରରେ ସୀମିତ ରହିଥିଲା। କଡ଼ା ସୁରକ୍ଷା ବଳୟ ଭିତରେ କାଉଡ଼ିଆ ପାଣି ଉଠାଇବା ସହ ଜଳାଭିଷେକ କରିଥିଲେ।