ଆଗଉନି ଜୟଦେବ ବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା: କଣ୍ଟ ପୂରିଲା, କାମ ସରିଲାନି

ରେଲୱେ ମାର୍କେଟ୍‌ରୁ କେଳୁଚରଣ ପାର୍କ ରାସ୍ତା କାମ ମନ୍ଥର

ଚନ୍ଦ୍ରଶେଖରପୁର: ଜୟଦେବବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଡାହାଣ ପାର୍ଶ୍ୱରେ ନିର୍ମାଣ ହେଉଥିବା ସମାନ୍ତରାଳ ରାସ୍ତା ଟ୍ରାକ୍‌କୁ ଆସି ପାରୁନାହିଁ। ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ପୂର୍ତ୍ତ ସଚିବଙ୍କ ପର୍ଯ୍ୟନ୍ତ ସରକାରୀ ବାବୁମାନେ ବାରମ୍ବାର ସମୀକ୍ଷା କରୁଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରୁନି। ୨୦୨୧ ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ କରି ବାଟ ଖୋଲିବାକୁ ନିର୍ଦେଶ ରହିଥିଲେ ମଧ୍ୟ ତଳସ୍ତରର ବାବୁମାନଙ୍କ ମନମାନି ପାଇଁ ବିଳମ୍ବ ହେବାରେ ଲାଗିଛି। ଇଚ୍ଛା ହେଲେ, କେତେବେଳେ କେମିତି ଚେନାଏ କାମ ହେଉଛି ନହେଲେ ନାହିଁ।

ଯେଉଁଥିପାଇଁ ହିନସ୍ତା ଭୋଗୁଛନ୍ତି ଅଞ୍ଚଳବାସୀ। କାର୍ଯ୍ୟ ତ୍ବରାନ୍ବିତ ହେଉ ନଥିବାରୁ ରାସ୍ତାସାରା ଏବେ ଖାଲଖମା ସୃଷ୍ଟି ହୋଇଛି। କେଉଁଠି ଆଣ୍ଠୁଏ ଗାତ ତ ଆଉ କେଉଁଠି ଦୁଇଟି ଚାରିଚକିଆ ଯାନ ଯିବାକୁ ରାସ୍ତା ନାହିଁ। ଗାଡ଼କଣ ଗ୍ରାମକୁ ଲାଗି ରହିଥିବା ଏହି ରାସ୍ତା ଏବେ ଯମଯନ୍ତ୍ରଣା ପାଲଟିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୨୧ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ପରେ ଏହାକୁ ସାରିବାକୁ ସମୟସୀମା ନିର୍ଦ୍ଧାରଣ କରିଥିଲେ। ଉଭୟପାର୍ଶ୍ବ ରାସ୍ତାକୁ ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତୀ ସମୟରେ ଡିସେମ୍ବର ପର୍ଯ୍ୟନ୍ତ ସମୟସୀମା ବର୍ଦ୍ଧିତ ହୋଇଥିଲା। ଇତିମଧ୍ୟରେ ଅକ୍ଟୋବର ଯାଇ ୨୦୨୨ ଜାନୁଆରି ମାସ ହେଲାଣି, କିନ୍ତୁ ରାସ୍ତା କାର୍ଯ୍ୟ ଶେଷ ହେଉ ନାହିଁ। ବାମପାର୍ଶ୍ବ ସମାନ୍ତରାଳ ରାସ୍ତାର ଜାଭିଅର ଛକରୁ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତା ଖୋଲିଛି।

ମାସେ ହେଲା ଗାଡ଼ି ଯିବା ଆସିବା କରୁଥିଲେ ମଧ୍ୟ ଡାହାଣପାର୍ଶ୍ବ ରାସ୍ତାର ଭାଗ୍ୟ ଫିଟି ପାରୁନାହିଁ। ଆଚାର୍ଯ୍ୟବିହାରଠାରୁ ପ୍ରେସ୍ ଛକ-ଏମ୍‌ସିଏଲ୍‌ ଛକ-ରେଳ ଷ୍ଟାଡିୟମ୍‌-କେଳୁଚରଣ ପାର୍କ ଦେଇ ଡମଣା ପର୍ଯ୍ୟନ୍ତ ଯାଉଥିବା ରାସ୍ତା ସିଧାସଳଖ ବିଗ୍‌ବଜାର ଛକକୁ ସଂଯୋଗ କରିବ। ୬.୨୫ କିଲୋମିଟର ଲମ୍ବାର ଏହି ରାସ୍ତାରେ ଜମି ଅଧିଗ୍ରହଣ ସମେତ ଅନ୍ୟାନ୍ୟ କାର୍ଯ୍ୟ ଲାଗି ୨୩୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।

ଇତିମଧ୍ୟରେ ଆଚାର୍ଯ୍ୟବିହାରଠାରୁ ପ୍ରେସ୍ ଛକ-ଏମ୍‌ସିଏଲ୍‌ ଛକ-ରେଳ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତା ଶେଷ ହୋଇଯାଇଛି। ମାତ୍ର ରେଲୱେ ମାର୍କେଟ୍‌ରୁ କେଳୁଚରଣ ପାର୍କ ପର୍ଯ୍ୟନ୍ତ ଦେଢ଼ କିମି ରାସ୍ତା ମନ୍ଥର ଗତିରେ ଚାଲିଛି। ଏଥିରେ ଜମି ଅଧିଗ୍ରହଣ, ବସ୍ତିବାସିନ୍ଦାଙ୍କ ଦ୍ବାରା ଜମି ଜବରଦଖଲ ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

କେବଳ ‌ଯେ ଏହି ଦେଢ଼ କିମି ରାସ୍ତା ମନ୍ଥର ଗତିରେ ଚାଲିଛି, ତାହା ନୁହେଁ, ବରଂ କେଳୁଚରଣ ପାର୍କ ସମ୍ମୁଖ ରାସ୍ତାରେ ଡ୍ରେନେଜ୍‌ ସମସ୍ୟା ରହିଥିବାରୁ କାମ ଆଗେଇପାରୁନି। ଡମଣା ଛକରୁ ଗାଁ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଏକ ଗ୍ୟାସ୍‌ ଗୋଦାମ ବାଧା ସୃଷ୍ଟି କରିଛି।

ରାସ୍ତା କାର୍ଯ୍ୟ ସରିଥିଲେ ମଧ୍ୟ ଗୋଦାମର କିଛି ଅଂଶ ଏବେ ରାସ୍ତା ମଝିରେ ରହିଛି। ଯେଉଁଥିପାଇଁ ରାସ୍ତା‌ରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇ ପାରୁନାହିଁ। ଏହାଦ୍ବାରା ଗାଡ଼କଣ, ଡମଣା, ପଟିଆ, ରଙ୍ଗମାଟିଆ, ମଞ୍ଚେଶ୍ବର ରେଳୱେ କଲୋନି, ଆଦିମାତା କଲୋନି, ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନିର ହଜାର ହଜାର ‌ଲୋକେ ହୀନସ୍ତା ଭୋଗୁଛନ୍ତି। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ହେଉଥିବା ଟ୍ରାଫିକ୍‌ ସମସ୍ୟା ବି ଦୂର ହୋଇପାରୁନାହିଁ। ପ୍ରଶାସନର ନିଦ କେବେ ଭାଙ୍ଗିବ? ରାସ୍ତା କେବେ ଫିଟିବ? ଯମ ଯନ୍ତ୍ରଣାରୁ କେବେ ମୁକ୍ତି ପାଇବେ, ତାହାକୁ ଚାହିଁ ରହିଛନ୍ତି ଅଞ୍ଚଳବାସୀ।

ବସ୍ତିବାସିନ୍ଦାଙ୍କ ଶକ୍ତି ପ୍ରଦର୍ଶନ

ସମାନ୍ତରାଳ ରାସ୍ତାର ବାମ ପାର୍ଶ୍ବ ରାସ୍ତା ଅଧା ଖୋଲିଥିଲେ ମଧ୍ୟ ସାଲିଆସାହି ବସ୍ତି ଭିତରେ ରାସ୍ତା ନିର୍ମାଣ ଏବେ କଷ୍ଟକର ହୋଇପଡ଼ିଛି। ବସ୍ତିବାସିନ୍ଦା ଜାଗା ଛାଡ଼ୁ ନଥିବାରୁ ବିବାଦ ଦେଖାଦେଇଛି। ପ୍ରଶାସନ କଳେବଳେ କୌଶଳ ଜମି ଅଧିଗ୍ରହଣ କରିବାକୁ ଲାଗି ପଡ଼ିଛି। ମାତ୍ର ଏହାର ପ୍ରତିବାଦରେ ସାଲିଆସାହି ବସ୍ତିବାସିନ୍ଦା ଏବେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ, କୋର୍ଟ ସତ୍ୟପାଠ ନାମରେ ବସ୍ତିବାସିନ୍ଦାଙ୍କ ମୌଳିକ ଅଧିକାର ଛଡ଼ାଇବା ଓ ୬୦୦ବର୍ଗ ଫୁଟ୍ ଜମି ପଟ୍ଟା ପ୍ରଦାନ ଦାବିରେ ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଆଦିବାସୀ ଗାଁ ଫୁଟବଲ୍ ପଡ଼ିଆରେ ଏକ ବିଶାଳ ପ୍ରତିବାଦ ସଭା କରାଯାଇଛି। ବିଜେଡି ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ସାମିଲ ହୋଇ ବସ୍ତିବାସିନ୍ଦାଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି।

ଜମି ନ ଛାଡ଼ିବା ପାଇଁ ସାଲିଆସାହି ବସ୍ତିବାସିନ୍ଦାଙ୍କ ସମାବେଶ

ବିଜେଡି ବ୍ୟତୀତ ସାମିଲ ହେଲେ ଅନ୍ୟ ସମସ୍ତ ଦଳ ନେତା

କମିଟି ପକ୍ଷରୁ କୁହାଯାଇଛି ସାଲିଆସାହି ଭିତରେ ୨୦୦ ଫୁଟିଆ ରାସ୍ତା ନିର୍ମାଣ ପାଇଁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରାଯାଉଛି। ଲକ୍ଷ୍ମୀପୁର ସାନ୍ତାଳ ବସ୍ତି ଭଙ୍ଗା ଢାଞ୍ଚାରେ ସାଲିଆସାହି ବସ୍ତି ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ହେଉଛି। ସାଲିଆସାହି ଭିତରେ ୨୦୦ ଫୁଟ୍‌ର ଅଙ୍କାବଙ୍କା ରାସ୍ତା ଏବଂ ଦୁର୍ଘଟଣା ଜୋନ୍ ତିଆରି କରୁଥିବା ନକ୍ସାକୁ ବଦଳାଇ ଏକାମ୍ର କାନନ ଭିତର ଦେଇ ଏକାମ୍ର କାନନ ଗେଟ୍ ଆଗରେ ସିଧା ରାସ୍ତା ତିଆରି କରି ସିଆର୍‌ପି ଛକ ରାସ୍ତାରେ ସଂଯୋଗ କରନ୍ତୁ ବୋଲି କମିଟି ଦାବି କରିଛି। ଦାବି ପୂରଣ ନ ହେଲେ, ଆଗାମୀ ଦିନରେ ବିଏମ୍‌ସି ୱାର୍ଡ ଅଫିସ୍‌ ଘେରାଉ ସହ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ଚାଲ ଅଭିଯାନ କରାଯିବ ବୋଲି କମିଟି ଚେତାବନୀ ଦେଇଛି।

ଶନିବାର ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ କମିଟିର ଆବାହକମଣ୍ଡଳୀ ସଦସ୍ୟ ଜୟଦେବ ନାୟକ, ସାଲ ମାର୍ଣ୍ଡି, ରଘୁନାଥ ନାଥ, ଅଞ୍ଜନ ନାଥ, ଦେବେନ୍ଦ୍ର ମିଶ୍ର, ଲକ୍ଷ୍ମୀପ୍ରିୟା ଲେଙ୍କା, ସିପିଆଇ (ଏମ୍)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ, କୃଷକ ନେତା ସୁରେଶ ପାଣିଗ୍ରାହୀ, ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ବିଜେପିର ଜିଲ୍ଲା ସଭାପତି ବାବୁ ସିଂ, କଂଗ୍ରେସ ରାଜ୍ୟ ସମ୍ପାଦକ ଚିନ୍ମୟ ରାୟ, ଅଶୋକ ଦାସ, ସିପିଆଇ(ଏମ୍ଏଲ)ର ପ୍ରମିଳା ବେହେରା, ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ, ବସ୍ତିନେତା ଉମେଶ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର