ରାଉରକେଲା: ପ୍ରତି ବର୍ଷ ପରି ଆସନ୍ତା ୨୦ରୁ ଲ୍ୟାମ୍ପସ୍‌ରେ ଆରମ୍ଭ ହେବ ଧାନ କିଣା। ସେଥିପାଇଁ ମାତ୍ର ୫ ଦିନ ଥିବାବେଳେ ଚଳିତ ଥର ଧାନ ସଂଗ୍ରହ ପାଇଁ ସରକାର ସବୁ ଲ୍ୟାମ୍ପସ୍‌କୁ ଟାର୍ଗେଟ ଦେଇ ନାହାନ୍ତି। ହୁଏତ ଟାର୍ଗେଟ କିଛି ଦିନ ଭିତରେ ଆସିଯିବ। ତେଣୁ ଗତବର୍ଷ ଠାରୁ ଏବର୍ଷ ଲ୍ୟାମ୍ପସଗୁଡ଼ିକ ଚାଷୀଙ୍କ ଠାରୁ ଅଧିକ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାର ଲ୍ୟାମ୍ପସଗୁଡ଼ିକ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚାଷୀମାନେ ଲ୍ୟାମ୍ପସ୍‌ଗୁଡ଼ିକରେ ନାମ ପଞ୍ଜିକରଣ କରିସାରିଛନ୍ତି। ତେବେ ସବୁ ବର୍ଷ ଭଳି ଏହାର ଭରପୂର ଫାଇଦା ଉଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି ଦଲାଲମାନେ। ଧାନ କିଣା ଆରମ୍ଭ ନ ହେଉଣୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ମାତିଲେଣି ଦଲାଲ। ଚାଷ କରୁ ନଥିବା ଓ ଧାନ ବିକୁ ନଥିବା ଚାଷୀଙ୍କୁ କମିଶନ ଲୋଭ ଦେଖାଇ ସେମାନଙ୍କ ନାଁରେ ହାତେଇଛନ୍ତି ଶହ ଶହ ଟୋକନ୍‌। ଏମାନଙ୍କୁ ସହାୟତା କରୁଛନ୍ତି ଲ୍ୟାମ୍ପସଗୁଡ଼ିକର କିଛି କରିତକର୍ମା କର୍ମଚାରୀ। ଏମିତି ସାଂଘାତିକି ଅଭିଯୋଗ ଆସିଛି ସୀମାନ୍ତ‌ରେ ଥିବା ସୁନ୍ଦରଗଡ଼ର ଅନେକ ବ୍ଲକ୍‌ରୁ। ବିଶେଷକରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ନୂଆଗାଁ, ହାତୀବାରୀ, ବିଶ୍ରା ଓ ରା‌ଏବୋଗା ଆଦିରୁ ଏହି ଖବର ନିୟମିତ ଆସୁଛି। ଏହି ଅଞ୍ଚଳଗୁଡ଼ିକର ଦଲାଲମାନେ ସୀମାନ୍ତ ଝାଡ଼ଖଣ୍ଡର ଚାଷୀମାନଙ୍କଠାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ କିଣି ନିଜ ଗୋଦାମରେ ଗଚ୍ଛିତ ରଖି ସାରିଲେଣି। ଏସବୁ ଧାନ ଚାଷୀଙ୍କ ଠାରୁ ସେମାନେ କ୍ବିଣ୍ଟାଲ ପିଛା ୧୧ଶହ ଟଙ୍କାରୁ ୧୨ଶହ ଟଙ୍କାରେ କିଣିଛନ୍ତି। ଲ୍ୟାମ୍ପସ୍‌ରେ ସରକାରୀ ଧାର୍ଯ୍ୟମୂଲ୍ୟ ଅନୁଯାୟୀ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କାରେ ବିକିବେ। ଅର୍ଥାତ୍‌ ପ୍ରତି କ୍ବିଣ୍ଟାଲରେ ୭୪୦ ଟଙ୍କା ଲାଭ ପାଇବେ। ‌ପ୍ରତିବର୍ଷ ଏହି ଦଲାଲମାନେ ଏପରି ବେପାର କରୁଥିବାବେଳେ ଏଥର ଆହୁରି ଅଧିକ ଲାଭ ଆଶା ରଖିଛନ୍ତି।

Advertisment

ସେପଟେ ଏକର ପିଛା ୧୩ କ୍ବିଣ୍ଟାଲ ଧାନ କିଣିବାକୁ ସରକାର ଲ୍ୟାମ୍ପସ୍‌ଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜଣେ ଚାଷୀ ୮୦ରୁ ୧୦୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଧାନ ଦେଇପାରିବେ। ଏ ଦୃଷ୍ଟିକୋଣରୁ ଦଲାଲମାନେ ଗୋଟିଏ ଗୋଟିଏ ‌ଟୋକନ୍‌ରେ ୫୦ରୁ ୬୦ କ୍ବିଣ୍ଟାଲ ଧାନ ଲ୍ୟାମ୍ପସଗୁଡ଼ିକୁ ବିକିବାକୁ ଯୋଜନା କରିଛନ୍ତି। ଏମିତି ଭାବେ ଜଣେ ଜଣେ ଦଲାଲ ପାଖାପାଖି ୧୦୦୦ରୁ ଅଧିକ କ୍ବିଣ୍ଟାଲ ଧାନ ବିକିବାକୁ ଲ୍ୟାମ୍ପସ କର୍ମଚାରୀଙ୍କ ସହ ଭିତିରିଆ ଡିଲ୍‌ ସାରି ଦେଇଛନ୍ତି। କାରଣ ଗତବର୍ଷ ଯେତିକି ଚାଷୀ ଟୋକନ ନେଇଥିଲେ, ତା’ର ଏକ ଚତୁର୍ଥାଂଶ ଚାଷୀ ଟାର୍ଗେଟ ପୂରଣ ହୋଇଯାଇଥିବାରୁ ଧାନ ବିକି ପାରି ନଥିଲେ। ଚାଷୀଙ୍କୁ କମିଶନ ଦେଇ ଟୋକନ ହାତେଇଥିବା ଦଲାଲଙ୍କ ଯୋଗୁଁ ପ୍ରକୃତ ଚାଷୀଙ୍କୁ ଏଭଳି ଦଶା ‌ଭୋଗିବାକୁ ପଡ଼ିଥିଲା। ସୀମାନ୍ତ ହାତୀବାରି ଲ୍ୟାମ୍ପସ୍‌ ପକ୍ଷରୁ ଗତ ବର୍ଷ ୫୦ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିଲା। ପାଖାପାଖି ୧୪୦୦ ଚାଷୀ ଟୋକନ ପାଇଥିଲେ। ଟାର୍ଗେଟ ପୂରଣ ହୋଇଯାଇଥିବାରୁ ପ୍ରାୟ ୩୦୦ ଚାଷୀଙ୍କ ପାଖରେ ଟୋ‌କନ ଥିଲେ ମଧ୍ୟ ଧାନ ବିକି ପାରିନଥିଲେ। ଚଳିତ ଥର ପ୍ରାୟ ୧୨୦୦ ଚାଷୀ ଟୋକନ ପାଇବାକୁ ଲ୍ୟାମ୍ପସ୍‌ରେ ନାମ ପଞ୍ଜିକରଣ କରିଛନ୍ତି। ନୂଆଗାଁ ବ୍ଲକରେ ସେହି ସମାନ ସମସ୍ୟା ଉପୁଜିଥିଲା। ଗତବର୍ଷ ନୂଆଗାଁ ଲ୍ୟାମ୍ପସ ପକ୍ଷରୁ ୫୩ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିଲା। ପାଖାପାଖି ୨୫୦ରୁ ଅଧିକ ଚାଷୀଙ୍କ ପାଖ‌ରେ ଟୋକନ ଥିଲେ ମଧ୍ୟ ଧାନ ବିକି ପାରି ନଥିଲେ। କାରଣ ଲ୍ୟାମ୍ପସ୍‌ ତା’ର ଟାର୍ଗେଟ ପୂରଣ କରି ସାରିଥିଲା। ପ୍ରକୃତ ଚାଷୀ ଧାନ ବିକି ନଥିବାବେଳେ ଟାର୍ଗେଟ ପୂରଣ ହେବା ପଛରେ ଗୋଟିଏ ସାଂଘାତିକ ଚକ୍ରାନ୍ତ ରହିଛି। ଧାନ ବିକୁ ନଥିବା, ଏପରିକି ଆଦୌ ଚାଷ କରୁ ନଥିବା ଅନେକ ଲୋକଙ୍କ ନାମରେ ଟୋକନ ଦିଆ ଯାଉଛି। ସେମାନଙ୍କ ପାଇଁ ଦଲାଲମାନେ ଝାଡ଼ଖଣ୍ଡରୁ ଧାନ ଆଣି ବିକ୍ରି କରି ତାଙ୍କୁ ଅଳ୍ପ କମିଶନ ଦେଇ ନିଜ ପକେଟ ଗରମ କରୁଛନ୍ତି। ଏସବୁ ମାମଲା ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କର କେବଳ ଜାଣତରେ ନୁହେଁ, ସହାୟତାରେ ହେଉଛି।

ଉଦାହରଣସ୍ବରୂପ, ଏମାମଲାରେ ବିଶ୍ରା ଲ୍ୟାମ୍ପସ୍‌ ଉପରେ ଅନେକ ଅଭିଯୋଗ ରହିଛି। ଏହି ଲ୍ୟାମ୍ପସ ପକ୍ଷରୁ ଗତ ବର୍ଷ ୪୦ ହଜାର ୫୭୧ କ୍ବିଣ୍ଟାଲ ଧାନ କିଣାଯାଇଥିଲା। ଲ୍ୟାମ୍ପସ ଦେଉଥିବା ସୂଚନା ଅନୁସାରେ, ସେଥର ଟୋକନ ପାଇଥିଲେ ୯୯୯ ଚାଷୀ। ଟୋକନ ପାଇଥିବା ସମସ୍ତ ଚାଷୀ ଧାନ ବିକିଥିଲେ ବୋଲି ଲ୍ୟାମ୍ପସ କର୍ତ୍ତୃପକ୍ଷ କହୁଛନ୍ତି। କିନ୍ତୁ ଏହାର ବିଶଦ ସୂଚନା ଦେବାକୁ ଲ୍ୟାମ୍ପସ ରାଜି ନୁହେଁ। ପୁଣି ଚଳିତ ବର୍ଷ ଧାନ କିଣାକୁ ଆଉ ମାତ୍ର ୫ ଦିନ ବାକି ଥିଲାବେଳେ ବିଶ୍ରା ଲ୍ୟାମ୍ପସ୍‌ରେ ଚଳିତ ବର୍ଷ କେତେ ଚାଷୀ ଟୋକନ ନେବାକୁ ପଞ୍ଜିକରଣ କରିଛନ୍ତି, ତା’ର କିଛି ସୂଚନା ନାହିଁ ବୋଲି କୁହା ଯାଉଛି। ଏଥିରୁ ଧାନ କିଣା କେତେ ସ୍ବଚ୍ଛ ଭାବେ ହେଉଥିବ, ସହଜେ ଅନୁମେୟ। ଏ ସଂକ୍ରାନ୍ତରେ ତିନି ଲ୍ୟାମ୍ପସ୍‌ ପରିଚାଳନା ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେମାନେ ଏ ସଂକ୍ରାନ୍ତରେ କିଛି କହିବାକୁ ମନା କରି ଦେଇଛନ୍ତି।