ଭୁବନେଶ୍ୱର : ସିନେ ସାମ୍ବାଦିକ ତପନ ଘୋଷଙ୍କର ଆଜି ରାତି ୯ଟା ୪୦ ମିନିଟ୍ରେ ପରଲୋକ ହୋଇଛି। ରେସ୍ପିରେଟୋରି (ଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ) ରୋଗରେ ପୀଡ଼ିତ ହୋଇ ସେ କେୟାର ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ଭିଏସ୍ଏସ୍ ନଗରରେ ରହୁଥିବା ଶ୍ରୀ ଘୋଷ୍ ଗୁରୁତର ଅସୁସ୍ଥ ହୋଇ ସୋମବାର ଦିନ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ। ତାଙ୍କ ମୃତ୍ୟୁରେ ସାମ୍ବାଦିକ ଓ ସିନେ ଏବଂ ଟେଲି କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଶିଶିର କୁମାର ଘୋଷ ଓ ଚମ୍ପକଲତା ଘୋଷଙ୍କ ଜ୍ୟେଷ୍ଠ ପୁତ୍ର ତପନ ଘୋଷ୍ ୧୯୮୪ରେ ‘ସମ୍ବାଦ’ରେ ନିଜର ସାମ୍ବାଦିକତା ଆରମ୍ଭ କରି ପରବର୍ତୀ ସମୟରେ ‘ସିନେ ସମ୍ବାଦ’ର ସହ ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିଥିଲେ। ପରେ ସେ ‘ସମୟ’ରେ ଯୋଗ ଦେଇଥିଲେ। ୨୦୧୫ରୁ ସେ ‘ନିତିଦିନ’ର ବରିଷ୍ଠ ସହ ସମ୍ପାଦକ ଓ ମନୋରଂଜନ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ। ଦୀର୍ଘ ୩୪ ବର୍ଷ ଧରି ସେ ନିରବଚ୍ଛିନ୍ନ ଭାବେ ସିନେମା, ଟିଭି ଓ ଯାତ୍ରା ସମ୍ବନ୍ଧୀୟ ଖବର ପ୍ରଚାର ପ୍ରସାର କରି ବେଶ ପ୍ରଶଂସିତ ହୋଇପାରିଥିଲେ। ଟେଲିଭିଜନ ସାମ୍ବାଦିକତାର ମୂଳଦୁଆ ପକେଇଥିବା ଶ୍ରୀ ଘୋଷ ଟେଲି ସାମ୍ବାଦିକ ସଂଘ ଗଠନ କରି ଏହାର ସଭାପତି ଭାବେ କାର୍ଯ୍ୟ ତୁଲାଉଥିଲେ। ଏଥିସହିତ ସେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ର କାର୍ଯ୍ୟକାରୀ ସଦସ୍ୟ ଥିଲେ। ମୃତ୍ୟୁ ପୂର୍ବରୁ ସେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ତାପତି ତପନ୍ଵିତା ଘୋଷ, ୩ ଝିଅ ଓ ଭାଇ କନ୍କନ୍ ଘୋଷ୍ ଏବଂ ମିଲନ ଘୋଷ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସିନେ କ୍ରିଟିକ୍ ଆସୋସିଏସନ୍ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲି ଶୋକ ବ୍ୟକ୍ତ କରିଛନ୍ତି।