କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ: ଦେଶରେ ହଇଚଇ ସୃଷ୍ଟି କରିଥିବା ଜମ୍ମୁ କଶ୍ମୀରର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପଠାନକୋଟ୍‌ର ଏକ ଅଦାଲତ ଆଜି ଦୋଷୀଙ୍କୁ ଦଣ୍ଡାଦେଶ କରିଛନ୍ତି। ଏହି ବର୍ବର ଏବଂ ଅମାନୁଷିକ କାର୍ଯ୍ୟ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବିଚାରପତି ଆଜୀବନ ଜେଲ୍ ଦଣ୍ଡ ଦେଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ ଜେଲଦଣ୍ଡ ଦେଇଛନ୍ତି।

ପଠାନକୋଟ୍‌ର ଜିଲ୍ଲା ଏବଂ ଦୌରାଜଜ୍ ତେଜବିନ୍ଦର ସିଂହ ମୁଖ୍ୟ ଅଭିଯୁକ୍ତ ତଥା ଦୁଷ୍କର୍ମ ଘଟିଥିବା ମନ୍ଦିରର ଦେଖାଶୁଣା କରୁଥିବା ତଥା ଗାଁ ମୁଖିଆ ସଂଜି ରାମ, ସ୍ପେସାଲ ପୁଲିସ ଅଫିସର ଦୀପକ ଖଜୁରିଆ ଏବଂ ପ୍ରଭେଶ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରଣବୀର ପିଙ୍ଗଳ କୋଡ୍‌ (ଆରପିସି)ର ଧାରା ୩୦୨ (ହତ୍ୟା), ଧାରା ୩୭୬ ଘ (ଗଣ ଦୁଷ୍କର୍ମ) ଏବଂ ଧାରା ୧୨୦ ଖ (ଅପରାଧିକ ଷଡ଼ଯନ୍ତ୍ର)ରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଅନ୍ୟ ୩ ଅଭିଯୁକ୍ତ ସବ ଇନ୍ସପେକ୍ଟର ଆନନ୍ଦ ଦତ୍ତ, ହେଡ କନଷ୍ଟେବଳ ତିଲକ ରାଜ ଏବଂ ସ୍ପେସାଲ ପୁଲିସ ଅଫିସର ସୁରେନ୍ଦ୍ର ବର୍ମାଙ୍କୁ ଆରପିସିର ଧାରା ୨୦୧ ( ପ୍ରମାଣ ନଷ୍ଟ)ରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ଏମାନଙ୍କୁ ୫ ବର୍ଷ ଲେଖାଏଁ ଜେଲଦଣ୍ଡ ଦିଆଯାଇଛି। ପୂର୍ବରୁ ଏହି ୬ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ସେମାନଙ୍କ ଦଣ୍ଡ ଘୋଷଣା କରାଯାଇଛି। ସପ୍ତମ ଅଭିଯୁକ୍ତ ତଥା ମୁଖ୍ୟ ଅଭିଯୁକ୍ତ ସଂଜି ରାମର ପୁଅ ବିଶାଳ ଜଙ୍ଗୋତ୍ରାକୁ ଦୋଷମୁକ୍ତ କରାଯାଇଛି।

୨୦୧୮ ମେ ମାସରେ ଏହି ମାମଲାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଞ୍ଜାବର ପଠାନକୋଟ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ପ୍ରାୟ ବର୍ଷେ ହେଲା ଏହି ମାମଲାର ବିଚାର ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ଚାଲିଥିଲା। କ୍ୟାମେରାରେ ଏହି ବିଚାରର ରେକର୍ଡିଂ କରାଯାଇଥିଲା। ଚଳିତବର୍ଷ ମେ ୨୪ରେ ସାକ୍ଷୀମାନଙ୍କ ସାକ୍ଷ୍ୟଗ୍ରହଣ ଶେଷ ହୋଇଥିଲା ବେଳେ ଗତ ସପ୍ତାହରେ ମାମଲାର ବିଚାର ଶେଷ ହୋଇଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ପ୍ରାୟ ୨୦ ଜଣ ଏବଂ ତଦନ୍ତକାରୀ ସଂସ୍ଥା ପକ୍ଷରୁ ୧୧୪ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହି ସମ୍ବେଦନଶୀଳ ମାମଲାରେ କ୍ରାଇମ ବ୍ରାଞ୍ଚ ଅଧିକାରୀମାନଙ୍କୁ ଚାର୍ଜସିଟ ଦାଖଲ କରିବାରେ ଆଇନଜୀବୀମାନେ ବିରୋଧ କରିବାରୁ ମାମଲାକୁ ଜମ୍ମୁ କଶ୍ମୀରର କଠୁଆରୁ ପଡ଼ୋଶୀ ପଞ୍ଜାବର ପଠାନକୋଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ। ମୃତ ନାବାଳିକା ଜଣକ ଏକ ସଂଖ୍ୟାଲଘୁ ଯାଯାବର ସମ୍ପ୍ରଦାୟର । ୨୦୧୮ ଜାନୁଆରି ୧୦ରେ ତାଙ୍କୁ ଅପହରଣ କରି ନିଆଯାଇଥିଲା। କଠୁଆ ଜିଲ୍ଲାର ଗୋଟିଏ ଗ୍ରାମର ମନ୍ଦିର ମଧ୍ୟରେ ନାବାଳିକାକୁ ଅଟକ ରଖି ଅଭିଯୁକ୍ତମାନେ ଦୁଷ୍କର୍ମ କରି ହତ୍ୟା କରିଦେଇଥିଲେ। ୨୦୧୮ ମେ ୩୧ରୁ ଏହି ମାମଲାର ଶୁଣାଣି ପଠାନକୋଟ ଅଦାଲତରେ ହୋଇ ଆସୁଥିଲା। ମାମଲାରେ ସମୁଦାୟ ୭ ଜଣ ଅଭିଯୁକ୍ତ ରହିଥିଲେ। ୨୦୧୮ ଜୁଲାଇରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତମାନଙ୍କୁ କଠୁଆ ଜେଲରୁ ଗୁରଦାସପୁର ଜେଲକୁ ଅଣାଯାଇଥିଲା।

ଦଣ୍ଡାଦେଶ ପରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ପିଡିପି ନେତ୍ରୀ ମେହବୁବା ମୁଫତି, ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା ପ୍ରମୁଖ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଜଘନ୍ୟ ମାମଲାରେ ଅଭିଯୁକ୍ତମାନଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ରାଜ୍ୟ ସରକାର ଏହା ବିରୋଧରେ ଉଚ୍ଚ ଅଦାଲତକୁ ଯିବା ଲାଗି ସେମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଇ ଆସୁଛି।

ସମ୍ବନ୍ଧିତ ଖବର