କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାଶଙ୍କର କଲିକତା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସେହିପରି, ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭା‌ଶିଷ ତାଳପତ୍ରଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି। ଦେଶର ୬ଟି ହାଇକୋର୍ଟର ୬ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରାଯାଇଛି। ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଜଷ୍ଟିସ ଏ.ଅମାନୁଲ୍ଲାଙ୍କ ପାଟନା ହାଇକୋର୍ଟ, ମଣିପୁର ହାଇକୋର୍ଟର ଜଷ୍ଟିସ ଏଲ.ଜମିରଙ୍କ ଗୌହାଟୀ ହାଇକୋର୍ଟ, ଜମ୍ମୁ ଓ କାଶ୍ମୀର ହାଇକୋର୍ଟର ଜଷ୍ଟିସ ଡି.ଏସ.ଠାକୁରଙ୍କ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟର ପି.କେ.କୌରଭଙ୍କ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି।

Advertisment

୧୯୬୨, ମେ ୨୧ରେ ସୋନପୁରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଚିତ୍ତରଂଜନ ଦାଶ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବାପରେ ସିଧାସଳଖ ଜିଲ୍ଲା ଜଜ୍ କ୍ୟାଡର‌ରେ ୧୯୯୯ରେ ନିଯୁକ୍ତି ପାଇଥିଲେ। ୨୦୦୯, ଅକ୍ଟୋବର ୭ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
ସେହିପରି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩, ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।