ନୂଆଦିଲ୍ଲୀ: ମା’ଙ୍କୁ ହରାଇଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏମ୍ସରେ ଚାଲିଥିଲା ଚିକିତ୍ସା। ବୁଧବାର ଦିଲ୍ଲୀର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେ ସିନ୍ଧିଆଙ୍କ ଦେହାନ୍ତ ହୋଇଛି। ସେ ସକାଳ ୯.୨୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସିନ୍ଧିଆ ପରିବାରର ରାଜମାତା ଗତ କିଛି ଦିନ ହେବ ଏମ୍ସରେ ଭେଣ୍ଟିଲେଟରରେ ଥିଲେ ବୋଲି ଜଣାପଡ଼ିଛି।

Advertisment

କୁହାଯାଉଛି ଯେ, ମାଧବୀ ରାଜେ ଗତ ତିନି ମାସ ଧରି ଦିଲ୍ଲୀର ଏକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ଉଭୟ ନିମୋନିଆ ଏବଂ ସେପସିସ୍ ରୋଗରେ ପୀଡିତ ଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ ବି ତୃତୀୟ ପର୍ଯ୍ୟାୟ ମତଦାନର ଠିକ୍ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଏହା ପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି।

ଦିଲ୍ଲୀରେ ତାଙ୍କର ଦେହାନ୍ତ ହେବା ପରେ ମାଧବୀ ରାଜେଙ୍କ ପାର୍ଥୀବ ଶରୀରକୁ ଶେଷ ରୀତିନୀତି ପାଇଁ ମଧ୍ୟପ୍ରଦେଶର ଗ୍ୱାଲିଅରକୁ ଅଣାଯିବ।

ତେବେ ମାଧବୀ ସିନ୍ଧିଆ ମଧ୍ୟ ଏକ ରାଜ ପରିବାରରୁ ଆସିଛନ୍ତି। ତାଙ୍କ ବାପ ଘରର ଏକ ଗୌରବମୟ ଇତିହାସ ରହିଛି। ମାଧବୀ ରାଜ ସିନ୍ଧିଆଙ୍କ ଜେଜେ ଶମଶେର ଜଙ୍ଗ ବାହାଦୂର ନେପାଳର ପ୍ରଧାନମନ୍ତ୍ରୀ ଥିଲେ। ଗୋଟେ ସମୟରେ ସେ ରାଣା ରାଜବଂଶର ମୁଖ୍ୟ ମଧ୍ୟ ଥିଲେ। ମାଧବୀ ରାଜ ସିନ୍ଧିଆ ରାଜକୁମାରୀ କିରଣ ରାଜ ଲକ୍ଷ୍ମୀ ଦେବୀ ଭାବରେ ମଧ୍ୟ ଜଣାଶୁଣା ଥିଲେ। ୧୯୬୬ ମସିହାରେ, ନେପାଳର ରାଜ ପରିବାରର ରାଜକୁମାରୀ ମାଧବୀ ଗ୍ୱାଲିଅରର ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆଙ୍କୁ ବିବାହ କରିଥିଲେ। ହେଲେ ସେପ୍ଟେମ୍ବର ୩୦, ୨୦୦୧ରେ ତତ୍କାଳୀନ କଂଗ୍ରେସ ନେତା ମାଧବରାଓ ସିନ୍ଧିଆଙ୍କର ମେନ୍ପୁରୀ (ୟୁପି) ନିକଟରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।