ଭାଲେଣ୍ଟାଇନ୍ସ ଡେରେ ପ୍ରେମୀ ଯୁଗଳଙ୍କୁ ବିଛୁଆତି ଉପହାର ଦେବାକୁ ଉଦ୍ୟମ କରି ଗିରଫ ହେଲେ ୧୦ କଳିଙ୍ଗ ସେନା କର୍ମୀ

ଭୁବନେଶ୍ୱର: ଭାଲେଣ୍ଟାଇନ୍ସ ଡେରେ ରାଜଧାନୀର ଏକ ମଲ ଆଗରେ ଅଭାବନୀୟ ଘଟଣା ଘଟିବାକୁ ଯାଉଥିଲା । ପୂର୍ବ ଘୋଷଣା ଅନୁଯାୟୀ ପ୍ରେମୀ ଯୁଗଳଙ୍କୁ ଉପହାର ଦେବାକୁ ବିଛୁଆତି ଧରି ଆସିଥିଲେ କଳିଙ୍ଗ ସେନାର କର୍ମୀ । ଭୁବନେଶ୍ୱର ଏସପ୍ଲାନେଡ ସପିଂ ମଲ ସାମନାରେ ବିକ୍ଷୋଭ କରିବା ସମୟରେ କଳିଙ୍ଗ ସେନା କର୍ମୀଙ୍କୁ ପୁଲିସ ଉଠାଇନେଇଛି । ଫଳରେ ୧୦ରୁ ଅଧିକ କଳିଙ୍ଗ ସେନା କର୍ମୀ ଏଭଳି ଘଟଣା ଘଟାଇବା ଆଗରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି କଳିଙ୍ଗ ସେନା କର୍ମୀଙ୍କୁ ଉଠାଇନେଇଥିଲା । ପୂର୍ବରୁ ଭାଲେଣ୍ଟାଇନ ଡେରେ ପ୍ରେମୀଯୁଗଳଙ୍କୁ ଦେଖିଲେ ବିଛୁଆତି ବୋଳି ଦିଆଯିବ କଳିଙ୍ଗ ସେନା ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

ଅନ୍ୟପଟେ ଏଥର ପ୍ରେମୀ ଯୁଗଳଙ୍କୁ ବିରୋଧ ନକରିବାକୁ ଘୋଷଣା କରିଛି ବଜରଙ୍ଗ ଦଳ । ବଜରଙ୍ଗ ଦଳ ପକ୍ଷରୁ ଶାନ୍ତପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଉଛି । ପ୍ରେମକୁ ବିରୋଧ କରାଯାଉନି କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିର ଖରାପ ପରମ୍ପରାକୁ ବିରୋଧ କରାଯାଉଛି ବୋଲି ବଜରଙ୍ଗ ଦଳର ସଦସ୍ୟମାନେ କହିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଯୁବକଯୁବତୀଙ୍କୁ ସଚେତନ କରୁଛନ୍ତି । ପୂର୍ବରୁ ବଜରଙ୍ଗ ଦଳ ନାଁରେ କେତେକ ଆସାଜିକ ଯୁବକ ହିଂସା କାଣ୍ଡ ଭିଆଉଥିବାରୁ ସଂଗଠନକୁ ବଦନାମ କରାଯାଇଛି ।

ତେଣୁ ଚଳିତ ବର୍ଷ ସଂଗଠନ ପକ୍ଷରୁ ଏଭଳି ନିଆରା ଉଦ୍ୟମ କରାଯାଇଛି । ତେବେ ପାର୍କ ଓ ମଲଗୁଡିକ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି କମିଶନରେଟ୍ ପୋଲିସ୍ । ଏବଂ ଯୁବକଯୁବତୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରାୟ ୧୨ରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେହିପରି କୌଣସି ଦଳ କିମ୍ବା ସଙ୍ଗଠନ ପ୍ରେମୀ ଯୁଗଳଙ୍କୁ ମାରପିଟ ଅଭିଯୋଗ ଆସିଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର କହିଛନ୍ତି ।

ସମ୍ବନ୍ଧିତ ଖବର