ମୁମ୍ବାଇ: ନିଜର ଦ୍ବିତୀୟ ସନ୍ତାନକୁ ଜନ୍ମଦେବାକୁ ମାତ୍ର ଅଳ୍ପ କେଇଦିନ ବାକି ଥିବା ବେଳେ ନିଜର ସ୍ବପ୍ନର ଘର ଡିଜାଇନ୍ କରିଛନ୍ତି ଅଭିନେତ୍ରୀ କରୀନା କପୁର୍। କରୀନା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ମୁମ୍ବାଇସ୍ଥିତ ତାଙ୍କ ଆପାର୍ଟମେଣ୍ଟ୍ର ଫଟୋ ସେୟାର କରି ଏ ନେଇ ସୂଚନା ଦେଇଛନ୍ତି। କରୀନା ତାଙ୍କ ପୁରୁଣା ଆପର୍ଟମେଣ୍ଟ୍କୁ ପୁଣି ଥରେ ଡିଜାଇନ୍ କରି ତାକୁ ନୂଆ ରୂପ ଦେଇଥିବା ଜାଣିବାକୁ ମିଳିଛି। କରୀନା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ କରୀନା ଏକ ମିଡି ପିନ୍ଧି ନଜର ଆସିଛନ୍ତି। ତାଙ୍କ ସହ ଅନ୍ୟ ଜଣେ ମହିଳା ବି ନଜର ଆସିଛନ୍ତି। କରୀନା ଓ ସେ ମହିଳା ଉଭୟ ମିଶି ଉପରକୁ ଛାତ ଆଡକୁ ଦେଖୁଥିବାର ଫଟୋରେ ଦେଖିବାକୁ ମିଳିଛି। ଘରଟି ଦର୍ଶିନୀଙ୍କ ଦ୍ବାରା ଡିଜାଇନ୍ ହୋଇଛି ବୋଲି କରୀନା ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ କରୀନା କପୁର ଗର୍ଭବତୀ ଥିବା ସମୟରେ ଫଟୋସୁଟ୍ କରିଥିବା ଦେଖିବାକୁ ମିଳିଥିଲା। କରୀନା ଓ ବଡ଼ ଭଉଣୀ କରିସ୍ମା ଉଭୟ ସମାନ ରଙ୍ଗର ଡ୍ରେସ୍ ପିନ୍ଧି ବିଜ୍ଞାପନରେ ସୁଟିଂ କରୁଥିବା ନିଜେ କରିନା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପୋଷ୍ଟ କରିଥିଲେ। ଚଳିତବର୍ଷ ବଲିଉଡ୍ରେ ୨୦ ବର୍ଷର କ୍ୟାରିୟର ପୂରଣ କରିଥିବା କରିନା ତୈମୁର୍ ଅଲ୍ଲୀ ଖାନ୍ଙ୍କ ଜନ୍ମ ବେଳକୁ ମଧ୍ୟ ସୁଟିଂ ଜାରି ରଖିଥିଲେ। ୨୦୧୮ରେ ତୈମୁର ଜନ୍ମ ହେବା ପରେ ‘ଭିରେ ଦି ୱେଡିଂ’ ଓ ୨୦୧୯ରେ ଅକ୍ଷୟ କୁମାରଙ୍କ ସହ ‘ଗୁଡ୍ ନ୍ୟୁଜ୍’ ଫିଲ୍ମରେ ଅଭିନୟ କରିଥିଲେ। ସେହିଭଳି ନିଜର ଦ୍ବିତୀୟ ପିଲା ଜନ୍ମ ହେବା ପରେ କରିନାଙ୍କ ‘ଲାଲ୍ ସିଂହ ଚଡ୍ଡା’ ଫିଲ୍ମ ରିଲିଜ୍ ହେବ ବୋଲି ସୂଚନା ରହିଛି।