୨୦୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଲେ କାର୍ତ୍ତିକ

ଅବଶିଷ୍ଟ ଆଇପିଏଲ୍‌ରୁ ବାଦ୍‌ ପଡ଼ିପାରନ୍ତି ନଟରାଜନ

ମୁମ୍ବାଇ : କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ର ପୂର୍ବତନ ଅଧିନାୟକ ଦିନେଶ କାର୍ତ୍ତିକ ବୁଧବାର ନିଜର ୨୦୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ ଖେଳି ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୦ ଆଇପିଏଲ୍‌ ମ୍ୟାଚ୍‌ ଖେଳିବାରେ ସେ ତୃତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ଧୋନି ୨୦୮ ମ୍ୟାଚ୍‌ ଖେଳିସାରିଥିଲା ବେଳେ ରୋହିତ ୨୦୪ ମ୍ୟାଚ୍‌ ଖେଳିଛନ୍ତି।

ଆଇପିଏଲର ସବୁ ସଂସ୍କରଣ ଖେଳିଥିବା ଅଳ୍ପ କିଛି ଖେଳାଳିଙ୍କ ମଧ୍ୟରେ କାର୍ତ୍ତିକ ଅନ୍ୟତମ। ସେ ୨୦୦୮ ପ୍ରଥମ ସଂସ୍କରଣଠାରୁ ଆରମ୍ଭ କରି ଚଳିତ ବର୍ଷ ଚାଲିଥିବା ଚତୁର୍ଦ୍ଦଶ ସଂସ୍କରଣ ପର୍ଯ୍ୟନ୍ତ ସବୁ ଆଇପିଏଲ୍‌ରେ ନିଜର ବିଶେଷ ଛାପ ଛାଡ଼ିଛନ୍ତି। ସେ ଏପର୍ଯ୍ୟନ୍ତ ୬ଟି ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିଛନ୍ତି। ସେଗୁଡ଼ିକ ହେଉଛି ଦିଲ୍ଲୀ ଡେୟାରଡେଭିଲ୍ସ, ଗୁଜୁରାଟ ଲାୟନ୍ସ, କିଙ୍ଗ୍ସ ଏକାଦଶ ପଂଜାବ, ମୁମ୍ବାଇ ଇଣ୍ଡିଆନ୍ସ, ରୟାର ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ।

୨୦୦୮ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳି ମୋଟ ୧୫୬ ରନ୍‌ କରିଥିଲେ। ସେହି ଆଇପିଏଲରେ ତାଙ୍କର ସର୍ବାଧିକ ସ୍କୋର ଥିଲା ଅପରାଜିତ ୫୬ ରନ୍‌। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଦ୍ବିତୀୟ ସଂସ୍କରଣରେ ସେ ଦିଲ୍ଲୀ ପକ୍ଷରୁ ଖେଳି ମୋଟ ୨୮୮ ରନ୍‌ କରିଥିଲେ। ୨୦୧୧ରେ ତାଙ୍କୁ କିଙ୍ଗସ ଏକାଦଶ ପଂଜାବ ୯ ଲକ୍ଷ ଡଲାର ବିନିମୟରେ କିଣିଥିଲା। ସେ ବର୍ଷ ସେ ଆଇପିଏଲର ସବୁଠାରୁ ମୂଲ୍ୟବାନ ଖେଳାଳି ଥିଲେ। ୨୦୧୨ରେ ସେ ମୁମ୍ବାଇ ପାଇଁ ଖେଳିଥିଲେ। ୨୦୧୪ରୁ ୨୦୧୬ ମଧ୍ୟରେ ସେ ୩ଟି ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ, ବାଙ୍ଗାଲୋର ଓ ଗୁଜୁରାଟ ଲାୟନ୍ସ ପାଇଁ ଖେଳିଥିଲେ। ୨୦୧୮ରୁ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳି ଆସୁଛନ୍ତି। ୨୦୧୮ରେ ସେ କୋଲକାତା ଦଳର ନେତୃତ୍ବ ନେଇ ଦଳକୁ ପ୍ଲେଅଫ ପର୍ଯ୍ୟନ୍ତ ନେଇଯାଇ ଥିଲେ।

ଅବଶିଷ୍ଟ ଆଇପିଏଲ୍‌ରୁ ବାଦ୍‌ ପଡ଼ିପାରନ୍ତି ନଟରାଜନ
ମୁମ୍ବାଇ : ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ସନ୍‌ରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଚଳିତ ଆଇପିଏଲ୍‌ର ଅବିଶିଷ୍ଟ ମ୍ୟାଚ୍‌ରୁ ଟି ନଟରାଜନ ବାଦ୍‌ ପଡ଼ିବା ସମ୍ଭାବନା ଦେଖାଦେଇଛି। ୩୦ ବର୍ଷୀୟ ଏହି ବାମହାତୀ ବୋଲରଙ୍କୁ ଚଳିତ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ରେ ନ ଖେଳିବ‌ା ପାଇଁ ପରାମର୍ଶ ଦିଆଯାଇଛି। ଚଳିତ ସଂସ୍କରଣରେ ଦୁଇଟି ମ୍ୟାଚ୍‌ ‌ଖେଳିବା ପରେ ହାଇଦ୍ରାବାଦର ଗତ ଦୁଇ ମ୍ୟାଚ୍‌ରେ ‌ଖେଳିନଥିଲେ। ସଂପ୍ରତି ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ର ଫିଜିଓ ତାଙ୍କ ଫିଟ୍‌ନେସ୍‌ ଉପରେ ନଜର ରଖିଛନ୍ତି ଏବଂ ବିସିସିଆଇକୁ ରିପୋର୍ଟ ଦେଉଛନ୍ତି। ବିସିସିଆଇ ନଟରାଜନଙ୍କୁ ଛାଡ଼ିବାକୁ ଫ୍ରାଞ୍ଚାଇଜ୍‌ କହିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର