ଥରେ ଉଜ୍ବେକିସ୍ତାନ ରାଜାଙ୍କ ମନରେ ଦିଗ୍ବିଜୟ କରିବାର ନିଶା ଘାରିଲା। ସବୁ କାମ କରିବା ଆଗରୁ ସେ ମୁଲ୍ଲା ନସିରୁଦ୍ଦିନଙ୍କ ପରାମର୍ଶ ନିଅନ୍ତି। ତେଣୁ ଏ ବାବଦରେ ମଧ୍ୟ ମୁଲ୍ଲାଙ୍କୁ ପଚାରିଲେ।
ମୁଲ୍ଲା କହିଲେ- ହଜୁର ଯଦି ନିହାତି ଇଚ୍ଛା ହେଉଛି ତେବେ ଅଭିଯାନ ଆରମ୍ଭ କରନ୍ତୁ। କିନ୍ତୁ ଗୋଟିଏ କଥା ମନେ ରଖିବେ। ଆମ ଚାରି ପଟେ ଥିବା ପଡ଼ୋଶୀ ରାଜ୍ୟଗୁଡ଼ିକୁ କଦାପି ଆକ୍ରମଣ କରିବେ ନାହିଁ।
ଯଥା ସମୟରେ ରାଜାଙ୍କ ଅଭିଯାନ ଆରମ୍ଭ ହେଲା। ରାଜା ଅନେକ ରାଜ୍ୟ ଜୟ କଲେ। କିନ୍ତୁ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଆକ୍ରମଣ କଲେ ନାହିଁ। ବର˚ ସେମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କ ବାଟ ଦେଇ ଯାଇ ଦୂର ରାଜ୍ୟକୁ ଆକ୍ରମଣ କରି ସଫଳ ହେଲେ।
ଦିଗ୍ବିଜୟ ପରେ ରାଜା ଅନେକ ଧନସ˚ପତ୍ତି ଧରି ରାଜ୍ୟକୁ ଫେରିଲେ। ଦୂରର ଶତ୍ରୁମାନେ ଯେତେବେଳେ ପ୍ରତିଶୋଧ ନେବା ଲାଗି ବାଟ ଖୋଜିଲେ ସେତିକି ବେଳେ ପଡ଼ୋଶୀ ରାଜ୍ୟମାନେ ଉଜବେକିସ୍ତାନର ସୁରକ୍ଷା ବଳୟ ଭାବେ ଛିଡ଼ା ହେଲେ। କେତେବେଳ କେତେବେଳେ ସେମାନଙ୍କ ଷଡ୍ଯନ୍ତ୍ରର ଖବର ଆଗତୁରା ରାଜାଙ୍କୁ ପହଞ୍ଚାଇଲେ।
ରାଜା ଏଥି ଲାଗି ମୁଲ୍ଲାଙ୍କୁ ତାରିଫ କଲେ। ମୁଲ୍ଲା କହିଲେ- ମଣିମା,ଏହା ସାଧାରଣ ଜ୍ଞାନ। ପଡ଼ୋଶୀ ଯଦି ଶତ୍ରୁ ହୋଇଯାଏ, ତେବେ ମୁଣ୍ତବିନ୍ଧା ବଢ଼ିଯାଏ। ଆମ ଘର ପରିବାର ଲାଗି ତାହା ଯେତେ ସତ, ରାଜ୍ୟ ଲାଗି ବି ସେତିକି ସତ। ଦୂର ଶତ୍ରୁ ଠାରୁ ପାଖ ଶତ୍ରୁ ଅଧିକ ବିପଜ୍ଜନକ।