କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଅହେତୁକ ନାମଲେଖା ଫି’ ବୃଦ୍ଧିକୁ ନେଇ ଉପୁଜିଥିବା ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଗୋଟିଏପଟେ ବର୍ଦ୍ଧିତ ଫି’ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ କରାଯିବ ବୋଲି ପୁରାତନ ଛାତ୍ର ଚେତାବନୀ ଦେଉଥିବା ବେଳେ କଲେଜ କର୍ତୃପକ୍ଷ ଏଥିପାଇଁ ସରକାରୀ ଅନୁଦାନର ଘୋର ଅଭାବକୁ ଦାୟୀ କରିଛନ୍ତି। ଏ ସବୁ ବିବାଦ ଭିତରେ କିନ୍ତୁ ଯେଉଁଭଳି ହାରରେ ବିଗତବର୍ଷ ଅପେକ୍ଷା ଏଥର ଯୁକ୍ତ ଦୁଇ ଓ ତିନି ପ୍ରଥମ ବର୍ଷରେ ନାମଲେଖା ଫି’ ଏକାଥରକେ ୫୦ରୁ ୫୫ପ୍ରତିଶତ ଲେଖାଏଁ ବୃଦ୍ଧି କରାଯାଇଛି, ତାହା ଅନେକଙ୍କୁ ଚକିତ କରିଦେଇଛି। ଖାସ୍ ସେଥିପାଇଁ ବିଭିନ୍ନ ମହଲରେ ଏହାକୁ ବିରୋଧ ହେବା ସହିତ ଫି’ ପ୍ରତ୍ୟାହାର ପାଇଁ ଦାବି ହେଉଛି। ଏ ସବୁ ଦାବି, ଆନ୍ଦୋଳନର ଧମକ ଭିତରେ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଏଥର କେବଳ ବର୍ଧିତ ନାମଲେଖା ଫି’ ବାବଦକୁ କଲେଜର ଯୁକ୍ତ ଦୁଇ ଓ ତିନି ପ୍ରଥମ ବର୍ଷର ସମୁଦାୟ ୨୪୩୨ପିଲା ୬୫ ଲକ୍ଷରୁ ଅଧିକ ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି।
ତଥ୍ୟ କହୁଛି, କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇ କଳାରେ ୩୮୪ସିଟ୍ ଥିବା ବେଳେ ବିଜ୍ଞାନରେ ୫୧୨ ଆଉ ବାଣିଜ୍ୟରେ ୩୮୪ ରହିଛି। ସେହିପରି ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟରେ ୩୮୪ଲେଖାଏଁ ସିଟ୍ ରହିଛି। ମୋଟ୍ ଉପରେ ଯୁକ୍ତ ଦୁଇ ଓ ତିନିକୁ ମିଶାଇଲେ ୨୪୩୨ସିଟ୍ ରହିଛି। ‘ନାକ୍’ ଟିମ୍ ଦ୍ବାରା ଲଗାତର ‘ଏ’ ଗ୍ରେଡ୍ ପାଉଥିବା ରାଜ୍ୟର ଏହି ସର୍ବବୃହତ୍ ସରକାରୀ ଅନୁଦାନପ୍ରାପ୍ତ କଲେଜର ସୁନାମ ରହିଥିବାରୁ ସିଟ୍ କେବେ ଖାଲି ପଡ଼ିବାର ନଜିର୍ ନାହିଁ। ଅନେକଙ୍କ ପାଇଁ ତ ଏହି କଲେଜରେ ପାଠ ପଢ଼ିବା ସ୍ବପ୍ନ ହେଇଥାଏ। ସେଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ବହୁ ପିଲା ଏଠାରେ ନାମ ଲେଖାଇ ପଢ଼ିଥା’ନ୍ତି। କିନ୍ତୁ ଏଥର ନାମଲେଖା ଫି’ରେ ଅହେତୁକ ବୃଦ୍ଧି ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲ୍ଲାରେ ଥିବା ଅନ୍ୟ କଲେଜ ତୁଳନାରେ ଏଠି ଫି’ ଯଥେଷ୍ଟ ଅଧିକ ରହିଛି। ଏମିତି କୌଣସି ଗୋଟିଏ ବିଭାଗ ନାହିଁ ଯେଉଁଥିରେ ନାମଲେଖା ବାବଦକୁ ଫି’ ବୃଦ୍ଧି କରାଯାଇନାହିଁ। ସବୁ ବିଭାଗରେ ଗତବର୍ଷ ତୁଳନାରେ ଏଥର ୫୦ରୁ ୫୫ପ୍ରତିଶତ ଲେଖାଏଁ ଫି’ ବୃଦ୍ଧି କରାଯାଇଛି। ଗତ ମାର୍ଚ୍ଚ ୧୬ରେ କଲେଜରେ ବସିଥିବା ପରିଚାଳନା ସମିତି ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ, ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଗତବର୍ଷ ଅପେକ୍ଷା ଏଥର ୨୬୦୦ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିବା ବେଳେ ବିଜ୍ଞାନରେ ୩୬୦୦ ଟଙ୍କା ବଢ଼ା ଯାଇଛି। ଯୁକ୍ତ ତିନିରେ ବି ଅନୁରୂପ ସ୍ଥିତି। ଯୁକ୍ତ ତିନି କଳାରେ ୨ହଜାର ଟଙ୍କା ବଢ଼ା ଯାଇଥିବା ବେଳେ ବାଣିଜ୍ୟ ଆଉ ବିଜ୍ଞାନରେ ୨୫୦୦ଟଙ୍କା ଲେଖାଏ ବୃଦ୍ଧି ହେଇଛି। ଏହି ବର୍ଧିତ ଫି’କୁ ଯଦି ମୋଟ୍ ସିଟ୍ ଅନୁଯାୟୀ ହିସାବ କରାଯାଉଛି, ତା’ହେଲେ ଯୁକ୍ତ ଦୁଇ ଓ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ବର୍ଗର ୨୪୩୨ପିଲାଙ୍କ ପ୍ରଥମବର୍ଷ ନାମଲେଖା ବାବଦକୁ ଗତବର୍ଷ ତୁଳନାରେ ଏଥର କଲେଜ ପାଣ୍ଠିକୁ ଅଧିକ ୬୫ଲକ୍ଷ ୨୭ହଜାର ଟଙ୍କା ଯାଉଛି। ସେଥିମଧୢରେ ଯୁକ୍ତ ଦୁଇ(କଳା, ବାଣିଜ୍ୟ ଓ ବିଜ୍ଞାନ)ର ବର୍ଧିତ ନାମଲେଖା ଫି’ ପରିମାଣ ୩୮ଲକ୍ଷ ୩୯ହଜାର ଟଙ୍କା ଥିବା ବେଳେ ଯୁକ୍ତ ତିନିର ରହିଛି ୨୬ଲକ୍ଷ ୮୮ହଜାର ଟଙ୍କା।
ତେବେ ଏଭଳି ଫି’ ବୃଦ୍ଧି ତାଙ୍କ ସମୟରେ ହୋଇନଥିବା କହି ଯଦିଓ ବର୍ତ୍ତମାନର ଅଧୢକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା କହି ନିଜ ଦୋଷ ଝାଡ଼ି ଦେଉଛନ୍ତି, କିନ୍ତୁ ଏହା ପଛରେ ଯେଉଁ କାରଣ ଦର୍ଶାଇଛନ୍ତି ତାହା ଚିନ୍ତା ଉଦ୍ରେକକାରୀ। ଅଧୢକ୍ଷ ଶ୍ରୀ ବେହେରା କହିଛନ୍ତି ଯେ କଲେଜକୁ ସରକାରୀ ଅନୁଦାନ ଆସୁନାହିଁ। ପାଠ ପଢ଼ାଇବାକୁ ଅଧୢାପକଙ୍କ ଅଭାବ ରହିଛି। ଅନୁଦାନ ଅଭାବରୁ କଲେଜ ଭିତ୍ତିଭୂମି ସୁଦୃଢ଼ୀକରଣ ହେଇପାରୁନାହିଁ। ଏଭଳି ସ୍ଥିତିରେ ପୁଣି କଲେଜ ପରିଚାଳନା ପରିଷଦ ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ ଅଣ ଅଧ୍ୟାପକଙ୍କ ଦରମା ରହିଛି। ସରକାର ଅନୁଦାନ ଦେଉଥିବାରୁ ଏ ସବୁ କିଭଳି ପରଚାଳନା ହେବ। ତେଣୁ ଦରମା ସା˚ଗକୁ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ନାମଲେଖା ଫି’ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ବେହେରା ଯୁକ୍ତି ବାଢ଼ିଛନ୍ତି।
ହେଲେ ଯେଉଁ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ବିଗତ ଦୁଇ ଶିକ୍ଷା ବର୍ଷ ହେଲା କରୋନା ମହାମାରୀ କାରଣରୁ ପାଠପଢ଼ା ଏକପ୍ରକାର ବନ୍ଦ ଥିଲା। ସେହି ପୁରୁଣା ଫି’ରେ ଦରମା ବି ଦିଆଯାଉଥିଲା। ପାଠପଢ଼ା ସ୍ବାଭାବିକ ହେବା ପରେ ଏଥର ଏମିତି କ’ଣ ଆବଶ୍ୟକତା ପଡ଼ିଲା ଯେ ନାମଲେଖା ଫି’ରେ ଏକାଥରକେ ପଚାଶ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଗଲା? ଷ୍ଟାଫ୍ଙ୍କ ସ˚ଖ୍ୟାରେ ବୃଦ୍ଧି କରାଗଲା ନା’ ଦରମା ବୃଦ୍ଧି ଯୋଗୁ ଅଧିକ ବୋଝ ପଡ଼ିଗଲା? କାରଣ ଯାହା ହେଉନା କାହିଁକି; କେନ୍ଦ୍ରାପଡ଼ା ଭଳି ରାଜ୍ୟର ଏକ ପ୍ରତିଷ୍ଠିତ କଲେଜରେ ନାମଲେଖା ଫି’ରେ ଏଭଳି ଅସ୍ବାଭାବିକ ବୃଦ୍ଧି ପଛରେ କଲେଜ କର୍ତୃପକ୍ଷ ଯେତେ କାରଣ ଦର୍ଶାଇଲେ ବି ଏହା ଯେ ବହୁ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ବଡ଼ ବୋଝ ସଦୃଶ ହୋଇଛି, ତାହା ବିଭିନ୍ନ ମହଲରୁ ଉଠୁଥିବା ବିରୋଧ, ପ୍ରତିକ୍ରିୟାରୁ ଜଣାପଡ଼ି ଯାଉଛି।
ବର୍ଦ୍ଧିତ ନାମଲେଖା ଫି’ ବିବାଦ, ୨୪୩୨ ପିଲା ଗଣିବେ ୬୫ ଲକ୍ଷ
/sambad/media/post_attachments/wp-content/uploads/2022/08/maxresdefault-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)