ଦୁର୍ଘଟଣା ପରେ ଅଚଳ ହୋଇଗଲା ଗୋଡ, ରୋଜଗାରିଆ ପୁଅ ବିଛଣାରେ ପଡ଼ିବା ପରେ ଟ୍ରଲି ଟାଣି ଘର ଚଳାଉଛନ୍ତି ବୁଢାବାପା

କେନ୍ଦ୍ରାପଡା: ବାପା, ମାଆ, ସ୍ତ୍ରୀ ଓ ଭଉଣୀ । ଏ ସମସ୍ତଙ୍କ ବୋଝ ଦିନେ ପୁଅ କାନ୍ଧ ଉପରେ ଥିଲା । ହେଲେ ଏବେ ଭେଣ୍ଡିଆ ପୁଅର ଭାର ବୋହୁଛନ୍ତି ବୁଢାବାପା । ଆଖି ଆଗରେ ପରିବାରର ଏ କଷ୍ଟ ଦେଖି କାନ୍ଦି କାନ୍ଦି ୬ ବର୍ଷ ହେବ ଛଟପଟ ହେଉଛନ୍ତି କେନ୍ଦ୍ରାପଡାର କାର୍ତ୍ତିକ ।

ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ବଡପାଳ ଗାଁର ଏକନ ମଲ୍ଲିକଙ୍କ ପୁଅ କାର୍ତ୍ତିକ ଆଜିକୁ ୬ ବର୍ଷ ହେବ ଏମିତି ଘରେ ପଡି ରହିଛନ୍ତି । ଟ୍ରକରେ ହେଲପର ଭାବେ କାମ କରି ପରିବାରର ୫ ଜଣଙ୍କ ପେଟରେ ଦାନା ଦେଉଥିଲେ କାର୍ତ୍ତିକ । ହେଲେ ହଠାତ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ଅଣ୍ଟା ତଳକୁ ଆଘାତ ଲାଗିବାରୁ ଡାହାଣ ଗୋଡ ସବୁଦିନ ପାଇଁ ଅଚଳ ହୋଇଗଲା ।

What to do in case of a traffic accident in the UAE | Living-transport – Gulf News
Gulf News

ଚିକିତ୍ସା ପାଇଁ ମେଡିକାଲରେ ଦେଖାଇଥିଲେ ବି ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଲୋଡା ହେଉଥିବାରୁ ଘରକୁ ଫେରାଇ ଆଣିଥିଲେ ପରିବାର ଲୋକେ | ସେବେଠାରୁ ଘରେ ପଡ଼ି ରହିଛନ୍ତି କାର୍ତ୍ତିକ । ତେବେ ପୁଅର ଏମିତି ଅବସ୍ଥା ପରେ ବଳ ନଥିବା ବୟସରେ ଘରର ଭାର ବୋହୁଛନ୍ତି ବୁଢାବାପା । ଟ୍ରଲି ଟାଣି ଯାହା ଦି ପଇସା ହୁଏ ସେଥିରେ ପୁଅର ଔଷଧ ଆସେ । ଆଉ ବାକି ରହିଲେ ଘରର ଚୁଲି ଲାଗେ ନହେଲେ ନାହିଁ । ପୁଅ ଅଚଳ ହେବା ପରେ ଉପାସ ରହିବା ପରିବାର ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି |

ସେପଟେ ପରିବାରର ପୁଅ ଘରେ ପଡି ରହିଥିବା ବେଳେ ବୋଝ ଉପରେ ନଳିତା ବିଡା ପରି ଝିଅ ବି ଦିବ୍ୟାଙ୍ଗ । ଢିହବାଡି କିଛି ନଥିବାରୁ ଏବେ ଗାଁ ଛାଡି ଚଣ୍ଡିଖୋଲ-ପାରାଦୀପ ଏନଏଚ କଡରେ ରହୁଛନ୍ତି କାର୍ତ୍ତିକଙ୍କ ପରିବାର ଲୋକ । ନିଜ ଆଖି ଆଗରେ ଘରର ଏସବୁ ଦୁଃଖ ଦେଖି ଲୁହ ଗଡାଇବା ଛଡା ଆଉ କିଛି କରିପାରୁ ନାହାନ୍ତି କାର୍ତ୍ତିକ । ତେବେ ଅସହାୟ ପରିବାରର ଏ କରୁଣ କାହାଣୀ ଦେଖି ଜିଲ୍ଲା ପ୍ରଶାସନ କିମ୍ବା ଜନପ୍ରତିନିଧି ସାହାଯ୍ୟ କରିବାକୁ ଆଗେଇ ଯିବେ ନା ଖବର ଦେଖି ଆଖି ବୁଜିଦେବେ?

ସମ୍ବନ୍ଧିତ ଖବର