କୁଜଙ୍ଗ: କୁଜଙ୍ଗ ବ୍ଳକ ଜଗନ୍ନାଥପୁର ଗ୍ରାମର କ୍ଷୀରୋଦ କୁମାର ସାହୁ ଏବେ ପ୍ରକୃତରେ ସାଜିଛନ୍ତି କୁଜଙ୍ଗ ବଜାର ପାଇଁ ସ୍ବଛ ଭାରତ ମିସନର ବ୍ରାଣ୍ତ ଆମ୍ବାସଡର। ଭାରତରେ ସ୍ବଛଭାରତ ମିସନ ସିନା କିଛି ବର୍ଷ ପୂର୍ବରୁ କାର୍ଯ୍ୟକାରୀ ହେଲା ମାତ୍ର କୁଜଙ୍ଗରେ ଏହି ଯୋଜନା ୨୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି। କାରଣ କ୍ଷୀରୋଦ ଗତ ୨୦ ବର୍ଷ ଧରି କୁଜଙ୍ଗ ବଜାରରର ଅଳିଆ ସଫା କାର୍ଯ୍ୟ କରି ଆସୁଛନ୍ତି।
ଅନେକ ସଂସ୍ଥା, ବ୍ୟକ୍ତି ବିଶେଷ ବଜାରଘାଟ ସଫା କରିବା ବେଳେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଲାଗି ଗଣମାଧ୍ୟମର ସାହାରା ନେଇଥାନ୍ତି। ମାତ୍ର ବିନା ପ୍ରଚାରପ୍ରସାରରେ ଏହି କାର୍ଯ୍ୟ କରି ଆସୁଥିବା କ୍ଷୀରୋଦଙ୍କୁ ଛୁଟୁଛି ସବୁଆଡୁ ଶୁଭେଛା ଏବଂ ଅଭିନନ୍ଦନ। ମାତ୍ର ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ କୌଣସି ସଂସ୍ଥା ତାଙ୍କୁ ସମ୍ମାନୀତ କିମ୍ବା ପୁରସ୍କୃତ କରି ନାହାନ୍ତି। ତଥାପି ସେ କେବେ ମନଊଣା କରି ନାହାନ୍ତି କିମ୍ବା ନିଜ କାର୍ଯ୍ୟରୁ କ୍ଷାନ୍ତ ହୋଇ ନାହାନ୍ତି।
ଜଗନ୍ନାଥପୁର ଗ୍ରାମର ସ୍ବର୍ଗତ ଧନେଶ୍ବର ସାହୁଙ୍କ ପୁତ୍ର କ୍ଷୀରୋଦ ସାହୁ(୬୫) ପୂର୍ବରୁ କୁଜଙ୍ଗରେ ଏକ ତେଜରାତି ଦୋକାନ କରିଥିଲେ। ପରେ ଭୁବନେଶ୍ବରରେ ଯୌଥ ବ୍ୟବସାୟ କରି ଅସଫଳ ହୋଇ ସମସ୍ତ ପୁଞ୍ଜି ହରାଇଥିଲେ। ଫଳରେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ଏହାପରେ ସେ କୁଜଙ୍ଗ ଫେରି ଆସ ଥିଲେ। ସେ ବିବାହିତ। ତାଙ୍କର ମଧ୍ୟ ପୁଅ ଝିଅ ଅଛନ୍ତି। ଦୁଇ ଭାଇ ମଧ୍ୟ କୁଜଙ୍ଗରେ ଏବେ ଛୋଟମୋଟ ବ୍ୟବସାୟ ଚଳାଉଛନ୍ତି। ଗତ ୨୦ ବର୍ଷ ହେବ ସେ ପୁରା ଚୁପଚାପ। ଘରୁ କିଛି ଖାଇ ଦେଇ ସେ ବଜାରକୁ ଆସନ୍ତି।
ପକେଟରେ ଥାଏ ଗୋଟିଏ ଦିଆସିଲି। ସକାଳ ଏବଂ ଉପର ଓଳି କୁଜଙ୍ଗର ବ୍ଳକ ପଡ଼ିଆ, ପରିବା ହାଟ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ଅଂଚଳରୁ ଅଳିଆ ସଙ୍ଗ୍ରହ କରିବା ସହିତ ଏହାକୁ ନିରାପଦ ଦୂରତ୍ବକୁ ଆଣି ଅଗ୍ନି ସଞ୍ଜୋଗ କରିଥାନ୍ତି। କ୍ଷୀରୋଦଙ୍କ ପାଇଁ କୁଜଙ୍ଗ ବଜାର, ହାଟ ଅନେକ ମାତ୍ରାରେ ପରିଷ୍କାର,ପରିଛନ୍ନ ହୋଇ ପାରିଥିବା କହିଛନ୍ତି କମ୍ରେଡ ହୃଷୀକେଶ ନାଥ, ଆଇନଜୀବୀ ଜ୍ଞାନରଞ୍ଜନ ବିଶ୍ବାଳ, ସୁରେଶ ଦାସ(ଯମୁନା) ପ୍ରମୁଖ । ସେ ଅବିଶ୍ରାନ୍ତ ଭାବେ ଏହି କାର୍ଯ୍ୟ କରି ଆସୁଛନ୍ତି। କେବେ ଧକି ପଡ଼ି ନାହାନ୍ତି କିମ୍ବା କେବେ ସମ୍ମାନ କି ପାରିଶ୍ରମିକ ଦାବି କରିନାହାନ୍ତି। ଏବେ କୁଜଙ୍ଗ ବଜାରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଓ ବ୍ୟକ୍ତିମାନେ ତାଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି।