କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା: ପୀଡ଼ିତାଙ୍କ ଘରେ ଏସ୍‌ଆଇଟିର ତନାଘନା

କୋରାପୁଟ/ପଟାଙ୍ଗୀ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତକୁ ତ୍ବରାନ୍ବିତ କରିଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌ (ଏସ୍‌ଆଇଟି)। ଆଜି ପୀଡ଼ିତାଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଟିମ୍‌। ଏହା ସହ ଅଭିଯୋଗ ଅନୁସାରେ ଦୁଷ୍କର୍ମ ହୋଇଥିବା ଜାଗାକୁ ଯାଇ ଛାନ୍‌ଭିନ୍‌ କରିଛନ୍ତି। ଅପରାହ୍ନରେ ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କୁ ଡାକି ପଚରାଉଚୁରା କରିଛନ୍ତି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ନିକଟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୦୧୭ ଅକ୍ଟୋବର ୧୦ ତାରିଖରେ ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରିଥିଲା ପୁଲିସ। ପୁଣି ଏହି ଘଟଣାର ବିଚାର ବିଭାଗୀୟ ଓ କ୍ରାଇମବ୍ରାଞ୍ଚ୍‌ ତଦନ୍ତ ମଧ୍ୟ କରାଯାଇଥିଲା। ହେଲେ କୌଣସି ଫଳ ମିଳି ନ ଥିଲା। ଅପରପକ୍ଷରେ ଏହି ଘଟଣ‌ା ‌ନେଇ ହାଇକୋର୍ଟରେ ପିଟିସନ ପଡ଼ିବା ପରେ ପୁଣିଥରେ ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ।

ତଦନ୍ତ ଲାଗି ଗତକାଲି କୋରାପୁଟରେ ଆସି ପହଞ୍ଚିଥିବା ଏସ୍‌ଆଇଟିର ସଦସ୍ୟ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ସାଫିନ ଅହମ୍ମଦ କେ, ଦକ୍ଷିଣାଞ୍ଚଳ ରେଂଜ ଡିଆଇଜି ସତ୍ୟବ୍ରତ ଭୋଇ ଓ ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ହିମାଂଶୁ ଲାଲ ପ୍ରଥମ ପର୍ଯ୍ୟାୟରେ ଅଭିଯୋଗକାରୀ ତଥା ପୀଡ଼ିତାଙ୍କ ମା ଓ ଭାଇଙ୍କ ସହ ଆଲୋଚନା କରି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଆଜି ଏହି ଟିମ୍‌ ପୀଡ଼ିତାଙ୍କ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସେ ଆତ୍ମହତ୍ୟା କରିଥିବା ସ୍ଥାନ ଦେଖିଥିଲେ। ଅପରାହ୍ନରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌ ଏହି ମାମଲା ସହ ଜଡ଼ିତ ବିଭିନ୍ନ ଅଧିକାରୀଙ୍କୁ ଡାକି ପଚରାଉଚୁରା କରିଥିଲା। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବରିଷ୍ଠ ଅଧିକାରୀମାନେ ତଦନ୍ତ ଜାରି ରଖିଥିଲା ବେଳେ ଏ ନେଇ ଗଣମାଧ୍ୟମକୁ କିଛି ସୂଚନା ଦେଇ ନାହାନ୍ତି। ଆସନ୍ତାକାଲି ମଧ୍ୟ ଏହି ଘଟଣାର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର