ବିଜେଡିରୁ କୁସୁମ ଓ ପ୍ରମୋଦଙ୍କ ଇସ୍ତଫା

ଭୁବନେଶ୍ବର: ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗେଶ ସିଂହଙ୍କୁ ପ୍ରାର୍ଥୀ କରିବା ପରେ ଦଳ ସଭାପତିଙ୍କ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ କୁସୁମ ଟେଟେ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ଦୁର୍ନୀତିଗ୍ରସ୍ତ ଯୋଗେଶଙ୍କ ପାଇଁ ସେ କାମ କରିପାରିବେନି ବୋଲି ସିଧାସଳଖ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି। ସେହିପରି ଜୁନାଗଡ଼ ବିଧାନସଭା ଆସନ ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ପୁଣି ଥରେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଛିଥିବାରୁ ଅସନ୍ତୁଷ୍ଟ ହୋଇ କଳାହାଣ୍ଡି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ନବୀନ ନିବାସରେ ପହଞ୍ଚି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ୨୦୧୪ରେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ତତ୍କାଳୀନ କଂଗ୍ରେସ ସଦସ୍ୟ ଯୋଗେଶ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ି ଶ୍ରୀମତୀ ଟେଟେ ହାରିଥିଲେ। ତା ପରଠୁ ସେ ଦଳର ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ୨୦୧୯ରେ ଏହି ଆସନ ପାଇଁ ଦଳୀୟ ଟିକେଟ ଆଶା ରଖିଥିଲେ। ଅଥଚ ଯୋଗେଶ ସିଂହ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେବା ପରଠୁ ସେ ଗଭୀର ଅସନ୍ତୋଷ ଜାହିର କରିଥିଲେ। ଦୁଇଦିନ ତଳେ ସୁନ୍ଦରଗଡ଼ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଶ୍ରୀମତୀ ଟେଟେ ଇସ୍ତଫା ଦେଇସାରିଥିଲେ। ଏପରିକି ଦଳୀୟ ଟିକେଟ ନ ମିଳିଲେ ସେ ଦଳ ଛାଡ଼ିବେ ବୋଲି ଆଗରୁ କହିସାରିଥିଲେ। ସେ ତାଙ୍କର ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଦୀର୍ଘ ବର୍ଷରୁ ବିଜୁ ଜନତା ଦଳରେ ରହି ଦଳର ସ୍ଥିତିକୁ ଜିଲ୍ଲାରେ ମଜବୁତ କରିବାରେ ତାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି। ଯୋଗେଶ ଜଣେ ଦୁର୍ନୀତିଗ୍ରସ୍ତ ଜନପ୍ରତିନିଧି ଭାବେ ଲୋକଙ୍କ ଭିତରେ ପରିଚିତ। ଆଉ ତାଙ୍କ ବିରୋଧରେ ସେ ଏେବ ଯାଏ ସଂଗ୍ରାମ କରିଆସିଛନ୍ତି। ଏଭଳି ଜଣେ ନେତାକୁ ଜିତାଇବା ପାଇଁ ସେ ଦଳର କର୍ମୀଭାବେ ଲୋକଙ୍କ ପାଖକୁ ଯାଇ କାମ କରିବା ତାଙ୍କ ପକ୍ଷରେ ଅସମ୍ଭବ ହେବ ବୋଲି ଶ୍ରୀମତୀ ଟେଟେ ଜଣାଇଛନ୍ତି। ସେହିପରି ୨୦୧୪ରେ ମିଳିଥିବା ପ୍ରତିଶ୍ରୁତି ମୁତାବକ ଜୁନାଗଡ଼ ବିଧାନସଭା ଟିକେଟ ନମିଳିବାରୁ ଦଳରୁ ଇସ୍ତଫା ଦେଇଛନ୍ତି କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ସଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ। ମଙ୍ଗଳବାର ଶ୍ରୀପଟ୍ଟନାୟକ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟଙ୍କୁ ପଠାଇ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ୨୦୧୪ରେ ସେ ଜୁନାଗଡ଼ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ତେବେ କ୍ୟାପଟେନଙ୍କୁ ପ୍ରାର୍ଥୀ କରାଯାଇଥିଲା ଓ ସଭାପତି ତାଙ୍କୁ ୨୦୧୯ରେ ଟିକେଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏବେ ପୁଣି ଦିବ୍ୟଶଙ୍କର ମିଶ୍ରଙ୍କୁ ପୁଣିଥରେ ପ୍ରାର୍ଥୀ କରିଛନ୍ତି। ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଯେତେବେଳେ ବିଜେଡି ସୁପ୍ରିମୋ ପାଳନ କରିନାହାନ୍ତି ସେତେବଳେ ଆଉ ଦଳରେ ରହିବାକୁ ସେ ସୁରକ୍ଷିତ ମଣୁନଥିବା ବୋଲି ଇସ୍ତଫା ପତ୍ରରେ ଶ୍ରୀପଟ୍ଟନାୟକ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର